ବାଲିଅନ୍ତାରେ ଗାନ୍ଧୀଙ୍କ ରହଣିର ସ୍ମାରକୀ ଡାକ ଲଫାଫା ଉନ୍ମୋଚିତ

ଭୁବନେଶ୍ବର: ସମଗ୍ର ଦେଶରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଇଁ ଭାରତ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଡାକ ବିଭାଗ ପକ୍ଷରୁ ବାଲିଅନ୍ତାରେ ଗାନ୍ଧୀଙ୍କ ରହଣିର ସ୍ମାରକୀ ଡାକ ଲଫାଫା ଉନ୍ମୋଚିତ ହୋଇଛି। ୧୯୩୪ ମସିହା ମେ ମାସ ୧୨ ତାରିଖରେ ଗାନ୍ଧୀଜୀ ତାଙ୍କ ଓଡ଼ିଶା ହରିଜନ ପଦଯାତ୍ରା ସମୟରେ ସତ୍ୟଭାମାପୁରରେ ଅବସ୍ଥାନ କରିଥିଲେ। ୧୩ରୁ ୧୫ ତାରିଖ କୁଆଖାଇ, କୁଶଭଦ୍ରା ନଦୀ ପାର୍ଶ୍ବ‌ସ୍ଥ ବାଲିଅନ୍ତା ହାଟ ପଡ଼ିଆ ଆମ୍ବତୋଟାରେ ସହଯୋଗୀଙ୍କ ସହ ରହିଥିଲେ। ନିକଟସ୍ଥ ନିକୁଞ୍ଜ ବିହାରୀ ମନ୍ଦିରରେ ହରିଜନମାନଙ୍କୁ ମନ୍ଦିର ପ୍ରବେଶ କରାଇ ସମୂହ ପଂକ୍ତି ଭୋଜନ କରିଥିଲେ। ଏହି ଆଧାରରେ ସ୍ମାରକୀ ଡାକ ଲଫାଫା ପ୍ରସ୍ତୁତ ହୋଇଛି। ଏହି ସ୍ମୃତିକୁ ଉଜ୍ଜୀବୀତ କରିବା ପାଇଁ ବିଧାୟକ ଶଶିଭୂଷଣ ବେହେରାଙ୍କ ଉଦ୍ୟମରେ ଟଙ୍କପାଣିର କୁଆଖାଇ ସେତୁ ନିକଟରେ ୧ କୋଟି ଟଙ୍କା ବ୍ୟୟରେ ଗାନ୍ଧୀ ଐତିହ୍ୟ ତୋରଣ ନିର୍ମିତ ହେଉଛି। ବାଲିଅନ୍ତା ଗାନ୍ଧୀ ପୀଠରେ ୬୦ ଲକ୍ଷ ଟଙ୍କାରେ ସାଂସ୍କୃତିକ ମଣ୍ଡପ ଓ ଆନୁସଙ୍ଗିକ ଭିତ୍ତିଭୂମି ନିର୍ମାଣ କରାଯାଇ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଁ ପ୍ରୟାସ ଚାଲିଛି।

ଏନେଇ ଆଜି ବାଲିଅନ୍ତା ବ୍ଲକ୍‌ ସତ୍ୟଭାମାପୁରସ୍ଥିତ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ-୨ରେ ଏକ ସ୍ମାରକୀ ଡାକ ଟିକଟ ପ୍ରଦର୍ଶନୀ ହୋଇଥିଲା। ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ, ବିଧାୟକ ଶଶିଭୂଷଣ ବେହେରା, ପ୍ରଦର୍ଶନୀକୁ ଉଦ୍‌ଘାଟନ ସହ ଡାକ ଲଫାଫା ଉନ୍ମୋଚନ କରିଥିଲେ। ଓଡ଼ିଶାର ମୁଖ୍ୟ ମହାଡାକପାଳ ଡ.ସନ୍ତୋଷ କୁମାର କାମିଲା, ନିର୍ଦେଶକ ଜି.ଗୁରୁନାଥନ୍‌, ଭୁବନେଶ୍ବର ଡାକ ଡିଭିଜନ୍‌ ମୁଖ୍ୟ ସତ୍ୟବାଦୀ ବିଶ୍ବାଳ, ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଡାକଟିକଟ ସଂଗ୍ରାହକ ସହଦେବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସତ୍ୟଭାମାପୁର ପୋଷ୍ଟମାଷ୍ଟର ଇନ୍ଦିରା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ ପ୍ରିୟଙ୍କା ଜେନା ସ୍ବାଗତ ଭାଷଣ ଦେଇଥିଲେ। ସ୍କୁଲ୍‌ର ଅଧ୍ୟକ୍ଷା କ୍ଷଣିକା ଦାସ, ଗାନ୍ଧୀ ସ୍ମୃତି ପରିଷଦର ସଭାପତି ବିନୋଦ ସାହୁ, ନବୀନ ସାହୁ, ବଇଁଚୁଆ ସରପଞ୍ଚ ବିଜୟ ସାହୁ, ପୂର୍ବତନ ସରପଞ୍ଚ ପ୍ରଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର