ଚିକିତ୍ସା ପାଇଁ ଅର୍ଥ ବାଧକ, ଭାସିଯିବ କି ରଞ୍ଜିତାଙ୍କ ପରିବାର!

ଚନ୍ଦ୍ରଶେଖରପୁର: ପୂର୍ବରୁ ସ୍ବାମୀ ରୋଗରେ ପଡ଼ି ଆଖି ବୁଜିଥିଲେ। ତଥାପି ଭାଙ୍ଗି ପଡ଼ି ନଥିଲେ ରଞ୍ଜିତା। ଦୁଇ ଛୋଟ ଶିଶୁଙ୍କୁ ଧରି ବଞ୍ଚିବାକୁ ସଂଘର୍ଷ କରିଥିଲେ। ମୂଲପାତି ଲାଗି ଦୁଇ ପିଲାଙ୍କୁ ମଣିଷ କରିବାକୁ ଅଣ୍ଟା ଭିଡ଼ିଥିଲେ। ତଥାପି ଭାଗ୍ୟ ସହଯୋଗ କରୁନାହିଁ। ଏବେ ସେ ଯକୃତ କ୍ୟାନ୍‌ସରରେ ପୀଡ଼ିତ। ରୋଗର ଚିକିତ୍ସା ପାଇଁ ଅର୍ଥାଭାବ ବାଧକ ସାଜିଛି। ଉପଯୁକ୍ତ ଚିକିତ୍ସ‌ା ଅଭାବରୁ ଦିନକୁ ଦିନ ରୋଗ ବଢ଼ୁଛି ଓ ତା’ ସହିତ ଯନ୍ତ୍ରଣା ବି। ରଞ୍ଜିତାଙ୍କ ପାଇଁ ରୋଗ ଯନ୍ତ୍ରଣା ଯେତିକି କଷ୍ଟକର ନୁହେଁ, ପରିବାର ଉଜୁଡ଼ିଯିବା ଚିନ୍ତାରେ ସେ ବେଳକୁ ବେଳ ଦୁର୍ବଳ ହୋଇପଡ଼ୁଛନ୍ତି। ଏମିତି ସ୍ଥିତିରେ ସରକାରୀ ସାହାଯ୍ୟ, କୌଣସି ବଦାନ୍ୟ ବ୍ୟକ୍ତି ବା ଅନୁଷ୍ଠାନର କୃପା ଦୃଷ୍ଟି ହିଁ ଭରସା ବୋଲି ସେ ଆଶା ବାନ୍ଧିଛନ୍ତି।

ଭୁବନେଶ୍ବର ଆଚାର୍ଯ୍ୟ ବିହାର ବିଶ୍ବେଶ୍ବର ବସ୍ତିରେ ରୁହନ୍ତି ରଞ୍ଜିତା ବେହେରା(୨୯)। ୧୨ବର୍ଷ ପୂର୍ବରୁ ତାଙ୍କ ସ୍ବାମୀ ଆରପାରିକୁ ଚାଲିଗଲେଣି। ହେଲେ ନିଜେ ମୂଲ ଲାଗି ସେ ଦୁଇ ପିଲାଙ୍କୁ ବହୁ କଷ୍ଟରେ ବଢ଼ାଇଛନ୍ତି। ପଇସା ଅଭାବରୁ ଝିଅର ପାଠପଢ଼ାରେ ଡୋରି ବାନ୍ଧି ହୋଇଯାଇଛି ସିନା ପୁଅକୁ ଦଶମ ପର୍ଯ୍ୟନ୍ତ ପଢ଼ାଇଛନ୍ତି ଓ ଆଗକୁ ତାକୁ ଅଧିକ ପଢ଼ାଇବାକୁ ମନ କରିଛନ୍ତି। କିନ୍ତୁ ଗତ ୩ମାସ ହେଲା ସେ ଯକୃତ କ୍ୟାନସର୍‌ରେ ଛଟପଟ ହେଉଛନ୍ତି। ଏହି କ୍ୟାନସର୍‌ ଏବେ ତୃତୀୟ ପର୍ଯ୍ୟାୟରେ ରହିଛି। ପଇସା ନାହିଁ ବୋଲି ସେ ଏବେ ଘରେ ପଡ଼ି ରହିଛନ୍ତି। ଚିକିତ୍ସା ପାଇଁ ବହୁତ ଅର୍ଥ ଦରକାର।

ରଞ୍ଜିତା କହିଛନ୍ତି ଯେ ରୋଗ ସତ୍ତ୍ବେ ସେ କିଛି କାମ କରି ରୋଜଗାର କରି ପାରୁଥିଲେ। ଫଳରେ ପରିବାର ଚଳାଇବା ସହ ଔଷଧ ବାବଦରେ କିଛି ଖର୍ଚ୍ଚ କରିପାରୁଥିଲେ। କିନ୍ତୁ ଏବେ ଲକ୍‌ଡାଉନ୍‌ ସବୁ ରାସ୍ତ‌ା ବନ୍ଦ କରିଦେଇଛି। କାମ ମିଳୁ ନଥିବାରୁ ପଇସାଟିଏ ରୋଜଗାର ନାହିଁ। ତେଣୁ ଦିନେ ଦିନେ ପେଟରେ ଓଦା କନା ପକାଇ ଶୋଇବା ଭଳି ସ୍ଥିତି ସୃଷ୍ଟି ହେଉଛି। ଏଣେ ଡାକ୍ତର କେମୋ ନେବାକୁ କହିଛନ୍ତି। ହେଲେ ପେଟ ପୂରାଇବାକୁ ପଇସାଟିଏ ନଥିବା ବେଳେ କେମୋ ଖର୍ଚ୍ଚ କେଉଁଠୁ ପାଇବେ ବୋଲି ବଡ଼ ଦୁଃଖରେ କହିଛନ୍ତି ରଞ୍ଜିତା। ଯଦି କେହି ସହୃଦୟ ବ୍ୟକ୍ତି ତାଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି, ତେବେ ତାଙ୍କ ମୋବାଇଲ ନମ୍ବର ୭୭୪୯୮୧୬୪୬୧ରେ ଯୋଗାଯୋଗ କରି ସାହାଯ୍ୟ କରିବାକୁ ସେ ଆକୁଳ ନିବେଦନ କରିଛନ୍ତି l

ସମ୍ବନ୍ଧିତ ଖବର