ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ଶେଷକୃତ୍ୟ

ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ଜୀମୂତ ବାହନ ମଙ୍ଗରାଜଙ୍କର ସତ୍ୟନଗର ମଶାଣିରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଆଜି ମଧ୍ୟାହ୍ନ ୧୨ଟା ୫୦ ମିନିଟ୍‌ରେ ତାଙ୍କ ମରଶରୀର ଶ୍ମଶାନରେ ପହଞ୍ଚିବା ପରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ସାମ୍ବାଦିକମାନେ ଶେଷ ଦର୍ଶନ କରିଛନ୍ତି। କନ୍ୟା ଋତୁପର୍ଣ୍ଣା ମଙ୍ଗରାଜ ମୁଖାଗ୍ନି ଦେଇଥିଲେ। ପୁତ୍ର ଅମୃତଙ୍କ ସମେତ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ, ପ୍ରଭାତ ବିଶ୍ବାଳ, ଅମର ଶତପଥୀ, ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ଶେଷ ଦର୍ଶନ କରିଥିଲେ। ‘ସମ୍ବାଦ’ ଡିଜିଏମ୍‌(ମାନବ ସମ୍ବଳ)ବୈଜୟନ୍ତୀ କରଙ୍କ ସମେତ ବହୁ ବରିଷ୍ଠ ସାମ୍ବାଦିକ ତଥା ଗଣମାଧ୍ୟମ ସହ ଜଡ଼ିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଶ୍ରୀ ମଙ୍ଗରାଜଙ୍କ ବିୟୋଗରେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର, ଉପବାଚସ୍ପତି ରଜନୀକାନ୍ତ ସିଂ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଜଳ ସମ୍ପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମ୍ବାଦିକତା ଜଗତରେ ସେ ଜଣେ ଉଜ୍ଜ୍ୱଳ ଜ୍ୟୋତିଷ୍କ ଥିଲେ ଏବଂ ତାଙ୍କ ବିୟୋଗ ଗଣମାଧ୍ୟମ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେମାନେ କହିବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

ସମ୍ବନ୍ଧିତ ଖବର