ଭୁବନେଶ୍ବର: ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି କରିବା ଲାଗି ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଜନଭାଗୀଦାରି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କ୍ରମରେ ଆଜି ଭୁବନେଶ୍ୱର ଉପକଣ୍ଠ ଆଇସିଏଆର୍-ଏନ୍‌ଆଇଏମ୍‌ଏଫ୍‌ଡି ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ବାରସାହି ପଞ୍ଚାୟତର ଚାଷୀଙ୍କୁ ଗୋଖାଦ୍ୟ ବଣ୍ଟନ କରାଯିବା ସହିତ ଭାରତରେ ଅନୁଷ୍ଠିତ ହେଉଥିବା ଜି-୨୦ ସମ୍ମିଳନୀ ସମ୍ପର୍କରେ ସଚେତନ କରାଯାଇଥିଲା।

Advertisment

ଅନ୍ୟପଟେ ରାଉରକେଲା ଏନ୍‌ଆଇଟି ପକ୍ଷରୁ ଜି-୨୦ ଜନଭାଗୀଦାରି କାର୍ଯ୍ୟକ୍ରମର ଅଂଶସ୍ୱରୂପ ଏକ ଖାଦ୍ୟ ମେଳା ଆୟୋଜନ କରାଯାଇଥିଲା, ଯେଉଁଥିରେ ମାଣ୍ଡିଆ, ବାଜରା ଜାତୀୟ ଶସ୍ୟ ଦ୍ବାରା ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ଏବଂ ସ୍ଥାନୀୟ ବ୍ୟଞ୍ଜନ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ସେହିପରି ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନ (ସିଏଆର୍‌ଆଇ) ପକ୍ଷରୁ ତପୋବନ ହାଇସ୍କୁଲଠାରେ ଏକ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁସଂଖ୍ୟାରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଜଗତ୍‌ସିଂହପୁର ଜିଲ୍ଲା କାନ୍ତବଲ୍ଲଭପୁର ସରକାରୀ ଉପ୍ରା ବିଦ୍ୟାଳୟଠାରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ସହଯୋଗରେ ମୌଳିକ ସାକ୍ଷରତା ଓ ସଂଖ୍ୟାଶାସ୍ତ୍ର ଉପରେ ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ସେହିପରି ଭୁବନେଶ୍ୱର ସ୍ଥିତ ଆଇସିଟି-ଆଇଓସି ପକ୍ଷରୁ ଜନଭାଗୀଦାରି ଅଭିଯାନ ଅନ୍ତର୍ଗତ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା।