ଖଣ୍ଡଗିରି : ଭରତପୁର ନିକଟ ଜିଏ ପ୍ଲଟିଂ କଲୋନି ପଡ଼ିଆକୁ ଆବର୍ଜନାବୁହା ଗାଡ଼ି କବ୍ଜା କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହି ଆବର୍ଜନା ଗାଡ଼ିଗୁଡ଼ିକର ଅସ୍ଥାୟୀ ଟର୍ମିନାଲ୍କୁ ହଟାଇବା ପାଇଁ ସ୍ଥାନୀୟ ଲୋକେ ପୁଲିସ ପ୍ରଶାସନଠାରୁ ଆରମ୍ଭ କରି ବିଧାୟକଙ୍କୁ ଗୁହାରି କରିବା ପରେ ମଧ୍ୟ କିଛି ସୁଫଳ ମିଳିନାହିଁ। ତେଣୁ ଏହି ଜନଅସନ୍ତୋଷ ଏବେ ବଢ଼ିବାରେ ଲାଗିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଏହି ପଡ଼ିଆରେ ସ୍ଥାନୀୟ ପିଲାମାନେ ଖେଳୁଥିବା ବେଳେ ବରିଷ୍ଠ ନାଗରିକମାନେ ସକାଳେ ସଞ୍ଜବେଳେ ଏଠାରେ ଚଲାବୁଲା କରୁଥିଲେ। ମାତ୍ର ଏବେ ଏହାକୁ ଭୁବନେଶ୍ବର ମହାନଗର ନିଗମର ଆବର୍ଜନା ବୁହା ଗାଡ଼ିମାନଙ୍କ ରାତ୍ରୀ ରହଣିସ୍ଥଳ ଭାବେ ବ୍ୟବହାର କରାଯାଉଛି। ତେଣୁ ଏହି ଖେଳ ପଡ଼ିଆଟି ସମ୍ପୂର୍ଣ୍ଣ ଭାବେ ଉକ୍ତ ଆବର୍ଜନା ସଫା କମ୍ପାନି କବ୍ଜାକୁ ଚାଲି ଯାଇଛି। ଫଳରେ ପିଲାମାନେ ଖେଳକୁଦରୁ ବଞ୍ଚିତ ହେବା ସହ ବରିଷ୍ଠ ନାଗରିକମାନେ ମଧ୍ୟ ଚଲାବୁଲା କରିବା ସୁଯୋଗ ହରାଇଛନ୍ତି। କେବଳ ସେତିକି ନୁହେଁ, ଏହି ଆବର୍ଜନା ବୁହା ଗାଡ଼ି ଯୋଗୁଁ ଉକ୍ତ ଅଞ୍ଚଳର ପରିବେଶ ଗନ୍ଧମୟ ହୋଇ ପଡ଼ିଛି ବୋଲି ସେମାନେ ଜଣାଇଛନ୍ତି। ଏ ନେଇ ବିବାଦ ସୃଷ୍ଟି ହେବାରୁ ଲୋକେ ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଥିଲେ। ଏମିତିକି ସେମାନେ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତଙ୍କୁ ମଧ୍ୟ ଅଭିଯୋଗ କରିଥିଲେ। ମାତ୍ର ସବୁଠାରୁ ମିଳିଥିବା ପ୍ରତିଶ୍ରୁତି ପାଣିର ଗାର ପାଲଟି ଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।
ଭରତପୁର ନିକଟ ଜିଏ ପ୍ଲଟିଂ କଲୋନି ପଡ଼ିଆରେ ଆବର୍ଜନା ଗାଡ଼ି ଟର୍ମିନାଲ୍
/sambad/media/post_attachments/wp-content/uploads/2019/12/g.a-colony.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)