ଭୁବନେଶ୍ୱର: ହାଉସିଂ ପ୍ରକଳ୍ପରେ ନିମ୍ନ ମଧ୍ୟବିତ୍ତ ପରିବାରଙ୍କୁ ଘର ଯୋଗାଇ ଦେବାପାଇଁ ସରକାର ଶ୍ୟାମପୁର ମୌଜା ପ୍ଲଟ୍‌ ନଂ. ୨୭୭ରେ ବିଡିଏକୁ ୬୮ ଏକର ଜମି ଯୋଗାଇ ଦେଲେ। ହେଲେ ବିଡିଏ କାମରେ କିଛି କଲା ନାହିଁ। କ୍ରମଶଃ ଏହା ଜବରଦଖଲ ହେଲା। ପ୍ଲଟିଂ କରି ଦଲାଲ ବିକିଦେଲେ। ଗଣମାଧ୍ୟମ ଓ ସଚେତନ ନାଗରିକଙ୍କ ଜରିଆରେ ବିଡିଏକୁ ଅଭିଯୋଗ ଯିବା ପରେ ପ୍ରଥମେ ନୋଟିସ୍‌, ପରେ ଇଓଡବ୍ଲ୍ୟୁରେ ଅଭିଯୋଗ କଲା। ପୂର୍ବରୁ ବିଡିଏ ଜବରଦଖଲ ଦେଖୁ ଦେଖୁ ଉ‌ଚ୍ଛେଦ କରୁଥିବା ବେଳେ ଏଠାରେ ଇଓଡବ୍ଲ୍ୟୁରେ ଅଭିଯୋଗ କରି ଇତିହାସ ସୃଷ୍ଟି କଲା। ପ୍ରଥମେ ୧୬ ଟି ଘର ଜବରଦଖଲରେ ତିଆରି ହୋଇଥିବା ବେଳେ ଘର ସଂଖ୍ୟା ୩୦୬। ଭାଙ୍ଗିବା ପାଇଁ ବିଡିଏର ଆଉ ଯୁ’ ନାହିଁ, କି ଜିଏର ଆଉ ଦମ୍ଭ ନାହିଁ। ଉଭୟ ଆଉ ଜବରଦଖଲ ରୋକି ପାରୁ ନାହାନ୍ତି। 
ଇଏ ତ’ ଗଲା ସହର ଉପକଣ୍ଠର ବ୍ୟଥା। ସହରର ଛାତି କୁହାଯାଉଥିବା ବାପୁଜୀନଗରରେ ସ୍ଥିତି ଗମ୍ଭୀର। ଶିଶୁ ଭବନ ଛକରୁ ମାଉସୀମା’ ଛକ ପର୍ଯ୍ୟନ୍ତ ଆରଓବି (ରେଲ୍‌ୱେ ଓଭରବ୍ରିଜ୍‌) ତିଆରି ହେବା ବେଳେ ଶିଶୁଭବନ ଛକରୁ ଆରଓବି ଓ ରେଳଧାରଣା କଡ଼େ କଡ଼େ ଥିବା ସର୍ଭିସ୍‌ ରୋଡ୍‌ରେ ୩୭ଟି କୋଠା ନିର୍ମାଣ ହୋଇଛି। ଦୋକାନ, ପ୍ୟାଥୋଲ୍ୟାବ୍‌ ଓ ସାଧାରଣ ଲୋକଙ୍କୁ ଏହି ସବୁ ଘର ଭଡ଼ା ଲାଗିଛି। ପ୍ରାୟ ୧ ଏକରରୁ ଅଧିକ ଏହି ସରକାରୀ ଜାଗାର ମୂଲ୍ୟ ୨୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହେବ। ଏଠାରୁ ମାସିକ ପ୍ରାୟ ୪ ଲକ୍ଷ ଟଙ୍କା ଭଡ଼ା ଆଦାୟ ହେଉଛି। ବିଏମ୍‌ସି ଓ ଜିଏ ବିଭାଗ ମିଶି ଏକାଧିକ ବାର ମାପଚୁପ କରିଛନ୍ତି। ପୁଲିସ ଫୋର୍ସ ସହ ଉଚ୍ଛେଦକାରୀ ଦଳ ଏକାଧିକ ବାର ଯାଇ ହତାଶ ହୋଇ ଫେରି ଆସିଛି। ଉଚ୍ଛେଦ ପାଇଁ ଏବେ ଜିଏ ବିଡିଏକୁ ଚିଠି ‌ଲେଖିଛି ହେଲେ ବିଡିଏ ଜବରଦଖଲକାରୀଙ୍କୁ କୋର୍ଟରୁ ସୁରକ୍ଷା ଆଣିବା ପାଇଁ ସୁଯୋଗ ଦେଇ ବସି ଯାଇଛି। 

Advertisment

ଆଉ ଗୋଟିଏ ସରକାରୀ ଜାଗା ହେଉଛି ଲୟଲା ସ୍କୁଲ ପାଖ। ଏଠାରେ ଥିବା ଏକ ପଡ଼ିଆକୁ ୧୦ ବର୍ଷ ହେଲା ଜମି ମାଫିଆ ମାଡ଼ି ବସି ପ୍ଲଟିଂ କରି ବିକି ଦେଇଛନ୍ତି। ପ୍ରାୟ ୩୫ରୁ ୪୦ ଜଣ ଲୋକ ଏଠାରେ ଘର କରି ରହିଛନ୍ତି। ଏହାକୁ ନେଇ ଅଭିଯୋଗ ହେବା ପରେ ଜିଏ ବିଭାଗ ମାପଚୁପ କରି ସରକାରୀ ଜାଗା ବୋଲି ଜାଣିଥିଲା। ହେଲେ ଉଚ୍ଛେଦ ପାଇଁ କୌଣସି ପ୍ରକ୍ରିୟା ଆରମ୍ଭ କରି ନଥିଲା। ଭୁବନେଶ୍ବରର ପଥରଗାଡ଼ିଆରେ ଥିବା ପ୍ରାୟ ୫ଏକର ସରକାରୀ ଜମିକୁ ମାଫିଆମାନେ ପ୍ଲଟିଂ କରି ବିକି ଦେଇଛନ୍ତି। ୪୦ରୁ ଊର୍ଦ୍ଧ୍ବ ଲୋକ ଏହାକୁ କିଣିଛନ୍ତି। କୋର୍ଟ ପେପରରେ ଚୁକ୍ତିନାମା କରି ଦଲାଲ୍‌ ମୋଟା ଅଙ୍କର ଟଙ୍କା ନେଇ ଫେରାର ହୋଇଯାଇଛି। ଏ ନେଇ ଅଭିଯୋଗ ହେବା ପରେ ଜିଏ ବିଭାଗ ଏହ‌ାର ତଦନ୍ତ କରିଛି। ହେଲେ ଫଳ କିଛି ହୋଇ ନାହିଁ। ୟେ ତ ଗଲା ସାଧାରଣ ‌ଲୋକଙ୍କ ଅଭିଯୋଗ କଥା। ନିକଟ ଅତୀତରେ ଭୁବନେଶ୍ବରରେ ୩୦ ଏକରରୁ ଅଧିକ ଜାଗା ଜବରଦଖଲରେ ଥିବା ଏଜି ଆପତ୍ତି ଉଠାଇଥିଲେ। ହେଲେ ନା ଜିଏ ଶୁଣିଲା ନା ବିଡିଏ। ଜବରଦଖଲକାରୀ ସେମିତି ସୁରକ୍ଷିତ ଅଛନ୍ତି। ଏଭଳି ଶହଶହ ଉଦାହରଣ ରହିଛି ଯେଉଁଠି ଛୋଟ ଛୋଟ ଜବରଦଖଲ ଉଚ୍ଛେଦ ହୋଇଥିବା ବେଳେ ବଡ଼ ବଡ଼ ଜବରଦଖଲକୁ ସୁରକ୍ଷା ଦେଇଛନ୍ତି ଜିଏ ଓ ବିଡିଏ। ଠିକ୍‌ ଯେମିତି ଖଣ୍ଡଗିରି‌ ବାରିରେ ବାବା ବୈକୁଣ୍ଠନାଥ ଆଶ୍ରମ। ୧୦ ବର୍ଷ ତଳେ ଜବରଦଖଲରେ ଘର ହୋଇଥିଲେ ମଧ୍ୟ ଏହାକୁ ଉଚ୍ଛେଦ କଲେ ନାହିଁ। ୧୦ ବର୍ଷ ସୁଯୋଗ ଦେବା ପରେ ଏବେ ହାଇକୋର୍ଟରୁ ସୁରକ୍ଷା ମିଳିଛି। ଜବରଦଖଲ ହେଉ ହେଉ ଜାଣିବା ପାଇଁ ସରାକାରଙ୍କ ଜିଏ ବିଭାଗ ଏକ ସ୍ବତନ୍ତ୍ର ବ୍ୟବସ୍ଥା‌ କରିଛି। ତାହା ହେଉଛି ବ୍ଲୁଇସ୍‌ ଆପ୍‌। ଏହି ଆପ୍‌ ଜରିଆରେ କେଉଁଠି ଜବରଦଖଲ ହେଲା ତାହା ଜାଣି ହେବ। ଏହି ଆପ୍‌ ପରିଚାଳନା କରିବା ପାଇଁ ମାସକୁ ୮ ଲକ୍ଷରୁ ଊର୍ଦ୍ଧ୍ବ ଖର୍ଚ୍ଚ ହେଉଛି। ଏହି କାର୍ଯ୍ୟାଳୟ ବିଡିଏ ପରିସରରେ ରହିଛି। ଏହାର ଖର୍ଚ୍ଚ ଭରଣା କରୁଛି ଜିଏ। ହେଲେ ଏ ସବୁ କେବଳ ପ୍ରହସନ ହୋଇଛି। ଅଧିକାରୀ, ଦଲାଲ ଓ ଜବରଦଖଲକାରାୀ ଏକାଠି ହୋଇ ଭାଗିଦାରୀ‌ରେ ବେପାର କରୁଛନ୍ତି।

ଭାଗିଦାରୀରେ ବେପାର ଚାଲିଛି
ବିକି ସାରିଲେଣି ଶହେ ଏକର ସରକାରୀ ଜମି

ଭୁବନେଶ୍ୱର, ୨୨/୧୧(ଇମିସ): ସାଧାରଣ ପ୍ରଶାସନ ବାହୁବଳେ ଜବରଦଖଲକାରୀ ରାଜା ସାଜିଛନ୍ତି। ଯେଉଁଠି ସରକାରୀ ଜାଗା ଅଛି ‌ସେଠାରେ ନିର୍ମାଣ କରୁଛନ୍ତି। ସାଧାରଣ ଲୋକଙ୍କ ସ୍ବାର୍ଥ ରକ୍ଷା କରିବା ପାଇଁ କାମ କରୁଥିବା ବିଏମ୍‌ସି ଜବରଦଖଲକାରୀଙ୍କୁ ସୁରକ୍ଷା ଯୋଗାଉଛି। ସ୍ପଷ୍ଟ ଦିବାଲୋକରେ ସରକାରୀ ଜାଗାରେ ବହୁତଳ କୋଠା ନିର୍ମାଣ ହେଉଥିଲେ ମଧ୍ୟ କର୍ତ୍ତୃପକ୍ଷ ଆଖି ବୁଜି ଦେଇଛନ୍ତି। ଭୀମପୁର ମୌଜା ଗଙ୍ଗନଗରରେ ବିଚିତ୍ର ଘଟଣା ଘଟିଛି। ପ୍ରଥମେ ସରକାରୀ ଜାଗାରେ ଘର କରି ସେଠାରେ ଭଡ଼ାଟିଆ ରଖିଲେ। ପରେ ସେମାନଙ୍କୁ ରେ’(ରାଜୀବ ଆବାସ ଯୋଜନା)ରେ ସାମିଲ୍‌ କଲେ। ପରେ ସେମାନଙ୍କୁ ଉଚ୍ଛେଦ କରି ସେହି ସରକାରୀ ଜାଗାରେ କୋଠା ତିଆରି କଲେ। ଭୁବନେଶ୍ବର ଛାତି ଉପରେ ଏଭଳି ଏକ ଘଟଣା ପ୍ରଥମ ଥର ପାଇଁ ଘଟିଛି। ସରକାରଙ୍କ ନିକଟରେ ଅଭିଯୋଗ ହେବା ସହ ବିଏମ୍‌ସି କମିସନରଙ୍କୁ ଅଭିଯୋଗ ହୋଇଛି। ତଦନ୍ତ ବେଳେ ଏହା ସମ୍ପୂର୍ଣ୍ଣ ସରକାରୀ ଜାଗା ବୋଲି ବିଏମ୍‌ସି ଜାଣିବାକୁ ପାଇଛି। ହେଲେ କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ। 
ଜିଏ ବିଭାଗ ଏହି ଜାଗା ହେଉଛି ୫୨ ନଂ ୱାର୍ଡର ଭୀମପୁର ମୌଜା ଖାତା ସଂଖ୍ୟା ୭୪୦ ପ୍ଲଟ୍‌ ନଂ ୫୦। ଏଠା‌ରେ ୬୧୦ ଡେସିମିଲ୍‌ ଜମି ରହିଛି। ଏହାର କିଛି ଅଂଶରେ ପ୍ରାୟ ୧୫ଟି ଜବରଦଖଲ ଥିଲା। ଦୀର୍ଘ ଦିନ ହେବ ଏଠାରେ ଏହି ପରିବାର ଘର କରି ରହୁଥିଲେ। ରେ’ ସର୍ଭେ ସମୟରେ ସେମାନଙ୍କୁ ଚିହ୍ନଟ କରାଯିବା ସହ ଘରଗୁଡ଼ିକୁ ଜିଓ ଟ୍ୟାଗିଂ କରାଯାଇଥିଲା। ‌ସେମାନେ ରେ’ରେ ସାମିଲ୍‌ ହୋଇ ଯିବା ପରେ ହଠାତ୍‌ ଉଭାନ୍‌ ହୋଇ ଯାଇଥିଲେ। ଏଠାରେ ଏବେ ଦ୍ରୁତ ଗତିରେ ନିର୍ମାଣ ଚାଲିଛି। ଏବେ ସେଠାରେ ଦୁଇ ମହଲା ନିର୍ମାଣ ହେଉଛି। ଯେଉଁମାନେ ରେ’ରେ ସାମିଲ୍‌ ହୋଇଛନ୍ତି ସେମାନେ ସରକାରୀ ଘର ପାଇ‌ବେ। ଏଣେ ଜବରଦଖଲକାରୀ ଏଠାରେ ବହୁତଳ କୋଠା ନିର୍ମାଣ କରି ଭଡ଼ା ପାଇବ। ଉଭୟ ଲାଭବାନ୍‌ ହେବେ।
ଜବରଦଖଲ ଯା‌ଞ୍ଚ କରି ରିପୋର୍ଟ କରିବାକୁ ବିଏମ୍‌ସିରେ ସ୍ବତନ୍ତ୍ର କର୍ମଚାରୀ ରହିଛନ୍ତି। ଅମିନ, ୱାର୍ଡ ଅଫିସର ଓ ଏବେ ପ୍ରତି ଜୋନ୍‌ରେ ସ୍ବତନ୍ତ୍ର ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ରହିଛନ୍ତି। ଏହି ସ୍କ୍ବାଡ୍‌ ଜବରଦଖଲ ଚିହ୍ନଟ କରି ବିଏମ୍‌ସିକୁ ରିପୋର୍ଟ କରିବା ପରେ ଉଚ୍ଛେଦ ହେଉଛି। କିନ୍ତୁ ଏହି ଟିମ୍‌ କେବଳ ରାସ୍ତା କଡ଼ରେ ଥିବା ‌ଛୋଟ‌ ମୋଟ ଦୋକାନୀଙ୍କୁ ଉଠାଇ ବଟି ଆଦାୟ କରୁଛି ଏବଂ ବଡ଼ବଡ଼ ନିର୍ମାଣକୁ ମୋଟା ଅଙ୍କର ଅର୍ଥ ନେଇ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ସହରସାରା ଏଭଳି ଜବରଦଖଲ ନିର୍ମାଣ ବଢ଼ିବାରେ ଲାଗିଛି। ତେବେ ଏହି ନିର୍ମାକୁ ନେଇ ବିଏମ୍‌ସି ୱାର୍ଡ ଅଫିସରଙ୍କୁ ଦୋଷ ଦେଇଛି। ସେମାନେ ଏହି ଜବରଦଖଲ ଚିହ୍ନଟ କରି ରିପୋର୍ଟ କରିବା କଥା। ତେବେ ଅଭିଯୋଗ ହୋଇଥିବାରୁ ଏହାର ତଦନ୍ତ ହେବ। 
ତେବେ କେବଳ ବିଏମ୍‌ସି ନୁହେଁ, ଜିଏ ବିଭାଗରେ ମଧ୍ୟ ଜବରଦଖଲ ଚିହ୍ନଟ କରି ଉଚ୍ଛେଦ କରିବା ବ୍ୟବସ୍ଥା ରହିଛି। ଏଥିପାଇଁ ମଧ୍ୟ ସ୍ବତନ୍ତ୍ର ଅଧିକାରୀ ରହିଛନ୍ତି। ହେଲେ ସେମାନେ ମଧ୍ୟ ହାତଗୁଞ୍ଜା ନେଇ ବସି ଯାଉଥିବା ଅଭିଯୋଗ ହୋଇଛି। ଏ ନେଇ ଜିଏ ବିଭାଗ କହିଛି, ଏଭଳି ଅଭିଯୋଗ ଆସିନି। ତେବେ ଆମେ ତଦନ୍ତ କରିବୁ।