ଖଣ୍ଡଗିରି: ନୂଆପଲ୍ଲୀ ଅଞ୍ଚଳରେ ଓଭରହେଡ ପାଣିଟାଙ୍କି ନିର୍ମ‌ାଣ ପାଇଁ ଜମି ମିଳିଛି। ପାଣିଟାଙ୍କି ପାଇଁ ୩ ବର୍ଷ ହେବ ସାଧାରଣ ପ୍ରଶାସନ ବିଭାଗ(ଜିଏ)ରେ ପଡ଼ି ରହିଥିବା ୱାଟ୍‌କୋର ଆବେଦନ ମଞ୍ଜୁର ହୋଇଛି। ଜିଏ କସ୍ତୁରବା ଶିକ୍ଷାଶ୍ରମ ଖେଳପଡ଼ିଆ ନିକଟ ୧୦୦ ଡିସିମିଲି ଜାଗା ୱାଟ୍‌କୋକୁ ହସ୍ତାନ୍ତର କରିଛି। ଏସଂକ୍ରାନ୍ତୀୟ ଚିଠି ମିଳିବା ପରେ ୱାଟ୍‌ କୋ ଇଞ୍ଜିନିୟର ଓ ସ୍ଥାନୀୟ କର୍ପୋରେଟର ଟାଙ୍କି ନିର୍ମାଣ ପାଇଁ ପ୍ରକ୍ରିୟ‌ା ଆରମ୍ଭ କରିଛନ୍ତି। ତେବେ ଟାଙ୍କି ନିର୍ମାଣ କରାନଗଲେ ଅବା ଜମି ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର ହେଲେ,  ଜମି ପ୍ରତ୍ୟାହାର କରି ନିଆଯିବ। ଜମି ଉପରେ କେବଳ ୱାଟ୍‌କୋର ଅଧିକାର ରହିବ। ଜମି କିମ୍ବା ଏହାର କୌଣସି ଅଂଶ କୌଣସି ବ୍ୟକ୍ତି/ସଂସ୍ଥା/ବିଭାଗକୁ ହସ୍ତାନ୍ତର କରାଯିବ ନାହିଁ କିମ୍ବା ସବ-ଲିଜ୍ ଦିଆଯିବ ନାହିଁ। ଏହାର ସମସ୍ତ କାର୍ଯ୍ୟ ବିଡିଏ ଓ ବିଏମସିର ଅନୁମୋଦିତ ଯୋଜନା ଅନୁଯାୟୀ ନିର୍ମାଣ ହେବ। ଏହି ନିର୍ଦ୍ଦେଶ ଜାରି ହେବାର ୩ ବର୍ଷ ମଧ୍ୟରେ ଜମି ଉପରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଜିଏ ବିଭାଗ ବିଜ୍ଞପ୍ତିରେ ସ୍ପଷ୍ଟ କରିଛି।

Advertisment

ନିର୍ମାଣ ହେବ ୮ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ପାଣିଟାଙ୍କି
ଦୂରହେବ ୩୭,୩୮,୩୯ ୱାର୍ଡର ପାଣି ସମସ୍ୟ‌ା

ତେବେ ୩୭, ୩୮, ୩୯ ନମ୍ବର ୱାର୍ଡ ଅନ୍ତର୍ଗତ ନୂଆପଲ୍ଲୀ ଅଞ୍ଚଳର ୩୫ହଜାର ଗ୍ରାହକଙ୍କ ପାନୀୟ ଜଳ ସମସ୍ୟା ଲାଗିରହିଥିଲା। ମଙ୍ଗଳାମନ୍ଦିର ଅଞ୍ଚଳ, ମେଟ୍ରୋ ସିଟି ସାମ୍ନା ଅଞ୍ଚଳ, ବନଦୁର୍ଗା ଲେନ୍‌, ନିରୁପମା ଆପାର୍ଟମେଣ୍ଟ ଲେନ୍‌ ଭଳି ଅଞ୍ଚଳରେ ଲୋକେ ଆବଶ୍ୟକ ପରିମାଣର ପାଣି ପାଇପାରୁନାହାନ୍ତି।  ପୂର୍ବରୁ କୁଆଖାଇରୁ ଏହି ଅଞ୍ଚଳକୁ ପାଣି ଯୋଗାଇ ଦିଆଯାଉଥିଲା। କିନ୍ତୁ ୪ବର୍ଷ ତଳେ ଜୟଦେବବିହାର ଛକରୁ ଏହି ଲାଇନ୍‌ କାଟି ସିଆର୍‌ପି ଆଡୁ ଆସୁଥିବା ନରାଜ ପାଣି ଲାଇନ୍‌ ସହିତ ଏହି ଅଞ୍ଚଳକୁ ଯୋଡ଼ି ଦିଆଗଲା। ସେବେଠାରୁ ଏହି ସମସ୍ୟା ଲାଗିରହିଛି। ଏନେଇ ୨୦୨୨ ମସିହାରେ ୱାଟ୍‌କୋ ସାଧାରଣ ପ୍ରଶାସନ ବିଭାଗ(ଜିଏ)କୁ କସ୍ତୁରବା ପଡ଼ିଆରେ ଟାଙ୍କି ନିର୍ମାଣ କରିବାକୁ ଚିଠି ଲେଖିଥିଲେ। ‌ହେଲେ ଜିଏ ପକ୍ଷରୁ ଅନୁମତି ମିଳି ପାରୁନଥିଲା। 

ଏ ‌ସମ୍ପର୍କରେ ଗତ ମେ ମାସ ୧୭ ତାରିଖରେ ‘ଓଭର୍‌ହେଡ୍‌ ଟାଙ୍କି ନାହିଁ, ପାଣି ପାଇଁ ଲୋକେ ହିନସ୍ତା: ୩ ବର୍ଷ ହେଲା ଟାଙ୍କି ପାଇଁ ମିଳୁନି ଜିଏ ଅନୁମତି’ ଶୀର୍ଷକ ଖବର ପ୍ରକ‌ାଶ ପାଇଥିଲା। ଖବର ପ୍ରକାଶ ପାଇବାର ୧୭ ଦିନ ଭିତ‌ରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହିତ ୱାଟ୍‌ କୋକୁ ଜମି ପ୍ରଦାନ କରିଛି। ଏ ସମ୍ପର୍କରେ ୩୭ ନମ୍ବର କର୍ପୋରେଟର ବନ୍ଦିତା ପାଲ୍‌ କହିଛନ୍ତି, ଓଭର୍‌ହେଡ୍‌ ପାଣି ଟାଙ୍କି ନିର୍ମାଣ କରିବାକୁ ଗତ ତିନିବର୍ଷ ହେଲା ପ୍ରସ୍ତାବ ଦିଆଯାଉଥିଲା। ହେଲେ ଗଣମାଧ୍ୟମ‌ରେ ଖବର ପ୍ରକାଶ ପରେ ଜମି ପାଇଁ ୱାଟ୍‌କୋକୁ ଅନୁମତି ମିଳିଛି।  ୮ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ପାଣିଟାଙ୍କି ନିର୍ମାଣ ହେବ। ବୋର୍‌ୱେଲ୍‌ ଖୋଳା ସରିଛି। ଫଳରେ ନରାଜରୁ ଆସୁଥିବା ପାଣି ନେଇ ସମସ୍ୟା ହେଲେଓଭରହେଡ ଟାଙ୍କି ଏ ସମସ୍ୟାର ସମାଧାନ କରିପାରିବ।