ଭୁବନେଶ୍ବର: ଜାଗା ନିଜର ନୁହେଁ, କିନ୍ତୁ ଏହାକୁ ନିଜର ଦର୍ଶାଇ ରିୟଲ ଇଷ୍ଟେଟ୍ କମ୍ପାନିକୁ ଟେକି ଦେଉଛନ୍ତି ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଓ ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି)। ଏ ବାବଦରେ ମୋଟା ଅଙ୍କର ଟଙ୍କା ସିକ୍ୟୁରିଟି ଜମା ଆକାରରେ ଉଭୟ ବିଡିଏ ଓ ବିଏମ୍ସି ଆଦାୟ କରୁଛନ୍ତି। ଏଭଳି ଅଭିଯୋଗ ଖୋଦ୍ ସାଧାରଣ ପ୍ରଶାସନ ବିଭାଗ (ଜିଏ) ବିଭାଗ କରିଛି। ଜିଏ ବିଭାଗର ଜମିକୁ ଦୁଇ ରିୟଲ ଇଷ୍ଟେଟ୍ କମ୍ପାନିକୁ ପ୍ରାୟ ୩ କୋଟି ଟଙ୍କାରେ ଟେକି ଦେଇଛନ୍ତି ବିଡିଏ ଓ ବିଏମ୍ସି। ନା ଏଥିପ୍ରତି ଜିଏ ବିଭାଗର ଅନୁମତି ମିଳିଛି ନା ଏନ୍ଓସି। ସେପଟେ ବିଡିଏ ବିପି ଓ ଡିପି କମିଟି ବି ଉଭୟ ପ୍ରକଳ୍ପ ଓ ସରକାରଙ୍କ ଏହି ଜମିକୁ ବ୍ୟବହାର ପାଇଁ ମଞ୍ଜୁରି ପ୍ରଦାନ କରିଛନ୍ତି। ୨୪୮ତମ ବିପି ଓ ଡିପି କମିଟିରେ ଦୁଇ ରିୟଲ ଇଷ୍ଟେଟ୍ କମ୍ପାନିକୁ ସରକାରୀ ଜମି ଦେବାକୁ ମଞ୍ଜୁରି ମିଳିଛି। ଏହା ଜାଣିବା ପରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ପାତ୍ର ଏ ଉପରେ ରିପୋର୍ଟ ମାଗିଛନ୍ତି। ବିଡିଏ ଓ ବିଏମ୍ସି କେଉଁ ପରିସ୍ଥିତିରେ ଏହି ଜମି ରିୟଲ ଇଷ୍ଟେଟ୍ କମ୍ପାନିକୁ ଟେକିଦେଲା, ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ରିୟଲ ଇଷ୍ଟେଟ୍ ପ୍ରକଳ୍ପ ମଞ୍ଜୁରିରେ ଚାଲିଛି ବ୍ୟାପକ ଜାଲିଆତି। ଟଙ୍କା ଦେଲେ ବିନା ଭିତ୍ତିଭୂମିରେ ପ୍ରକଳ୍ପକୁ ମିଳିଯାଉଛି ମଞ୍ଜୁରି। ଏ ବାବଦରେ କୋଟି କୋଟି ଟଙ୍କାର ବେଆଇନ୍ କାରବାର ଚାଲିଥିବା ଅଭିଯୋଗ ଉଠିଛି। ଏଣୁ କେତେକ ରିୟଲ ଇଷ୍ଟେଟ୍ ମାଲିକଙ୍କଠାରୁ ଘର କିଣି କଲବଲ ହେଉଛନ୍ତି କ୍ରେତା। ସାଧାରଣ ଲୋକଙ୍କ ଏଭଳି ମାଳ ମାଳ ଅଭିଯୋଗ ପହଞ୍ଚିବା ପରେ ଓରେରା ବି ଏହାକୁ ଗଣ୍ଠି କରି ପ୍ରକଳ୍ପକୁ ପ୍ରମାଣପତ୍ର ଦେବାକୁ ସିଧା ସିଧା ମନା କରି ଦେଉଛନ୍ତି। ବିଡିଏ ଓ ବିଏମ୍ସି ପ୍ଲାନିଂ ସେକ୍ସନ୍ରେ ରହୁଥିବା ଅଧିକାରୀ ଓ କର୍ମଚାରୀଙ୍କ ସହ ରିୟଲ୍ ଇଷ୍ଟେଟ୍ ମାଲିକମାନଙ୍କ ଏହି ମଧୁଚନ୍ଦ୍ରିକା ଏବେ ସରକାରଙ୍କୁ ଅକଳରେ ପକାଇଛି।
ଓରେରା ତନାଘନା ପରେ ରିପୋର୍ଟ ମାଗିଲେ ମନ୍ତ୍ରୀ
ଓଡିଏ ଆଇନ-୧୯୮୨ କହୁଛି, ଯଦି କୌଣସି ରିୟଲ ଇଷ୍ଟେଟ୍ ପ୍ରକଳ୍ପର ଆପ୍ରୋଚ ରୋଡ୍ ନାହିଁ, ସେହି ପ୍ରକଳ୍ପକୁ ମଞ୍ଜୁରି ମିଳିବନି। କିନ୍ତୁ ବରମୁଣ୍ଡାରେ ଏକ ରିୟଲ ଇଷ୍ଟେଟ୍ ପ୍ରକଳ୍ପର ଆପ୍ରୋଚ୍ ରୋଡ୍ ନଥିଲେ ବି ବିଏମ୍ସି ଏହି ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରିଛି। ଏଥିପାଇଁ ଜିଏର ଜମିକୁ ନିଜର କହି ସିକ୍ୟୁରିଟି ଜମା ବି ରଖିଛି ବିଏମ୍ସି। ବରମୁଣ୍ଡା ମୌଜାର ପ୍ଲଟ୍ ନଂ-୧୨୩୩ରେ ଥିବା ସରକାରୀ ଜମିରେ ଆପ୍ରୋଚ ରୋଡ୍ ନେବାକୁ ଏକ ରିୟଲ ଇଷ୍ଟେଟ୍ କମ୍ପାନିକୁ ଅନୁମତି ଦେଇଛି ବିଏମ୍ସି। ଏ ନେଇ ବିଏମ୍ସି ସିକ୍ୟୁରିଟି ଜମା ବାବଦରେ ୬୩ଲକ୍ଷ ୫୧ହଜାର ୬୯୬ ଟଙ୍କା ରିୟଲ ଇଷ୍ଟେଟ୍ କମ୍ପାନିଠାରୁ ଗ୍ରହଣ କରିଛି। ସେହିଭଳି ବମିଖାଲ ମୌଜାର ପ୍ଲଟ୍ ନଂ-୫୨୭ରେ ଥିବା ସରକାରୀ ଜମିକୁ ରିୟଲ ଇଷ୍ଟେଟ୍ ପ୍ରକଳ୍ପକୁ ଆପ୍ରୋଚ୍ ରୋଡ୍ ପାଇଁ ଟେକି ଦେଇଛି ବିଏମ୍ସି।
ଏ ବାବଦରେ ବିଏମ୍ସି ୨ କୋଟି ୩୬ଲକ୍ଷ ୫୯ହଜାର ୩୬୦ ଟଙ୍କା ଗ୍ରହଣ କରିଛି। ଓରେରା ଏ ଉପରେ ସାଧାରଣ ପ୍ରଶାସନ ବିଭାଗକୁ ରିପୋର୍ଟ ମାଗିଥିଲା। ଖୋଳତାଡ଼ କରିବା ପରେ ବିଏମ୍ସି ଯେଉଁ ଦୁଇ ରିୟଲ ଇଷ୍ଟେଟ୍ ପ୍ରକଳ୍ପ ପାଇଁ ଜମି ଦେଇଥିଲା, ତାହ ସାଧାରଣ ପ୍ରଶାସନ ବିଭାଗର ବୋଲି ଜଣାପଡ଼ିଥିଲା। ଯାହାକୁ ବିଡିଏର ଡିପି ଓ ବିପି କମିଟି ଏବଂ ବିଏମ୍ସି ଅନୁମୋଦନ କରିଛି। ଏହି ଜମି ତାଙ୍କର ଓ ଏ ବାବଦରେ ତାଙ୍କ ବିଭାଗ ତରଫରୁ କୌଣସି ଏନ୍ଓସି ଦିଆଯାଇନଥିବା ସାଧାରଣ ପ୍ରଶାସନ ବିଭାଗ ସ୍ପଷ୍ଟ କରିଛି। ସେପଟେ ଓରେରାଙ୍କ ଚିଠି ପରେ ସାଧାରଣ ପ୍ରଶାସନ ବିଭାଗ ଏ ଉପରେ ବିଡିଏ ଉପାଧ୍ୟକ୍ଷ ଓ ବିଏମ୍ସି କମିସନରଙ୍କୁ ଚିଠି କରି କେଉଁ ପରିସ୍ଥିତିରେ ତାଙ୍କ ଜମି ରିୟଲ ଇଷ୍ଟେଟ୍ କମ୍ପାନିକୁ ଦିଆଗଲା ଓ ଏ ବାବଦ ଟଙ୍କା ଗ୍ରହଣ କରାଗଲା, ରିପୋର୍ଟ ମାଗିଥିଲା। ବିଡିଏ ଡିପି ଓ ବିପି କମିଟି ଓ ବିଏମ୍ସି କେଉଁ ପରିସ୍ଥିତିରେ ସାଧାରଣ ପ୍ରଶାସନ ବିଭାଗ ଜମିକୁ ଆପ୍ରୋଚ ରୋଡ୍ ଭାବେ ବ୍ୟବହାର କରି ରିୟଲ ଇଷ୍ଟେଟ୍ ପ୍ରକଳ୍ପ କରିବାକୁ ଅନୁମତି ଦେଲା, ଜଣାଇବାକୁ କହିଥିଲା। କିନ୍ତୁ ଅଦ୍ୟାବଧି ଏହାର ସ୍ପଷ୍ଟୀକରଣ ରଖିନାହାନ୍ତି ବିଡିଏ ଓ ବିଏମସି। ସେପଟେ ଏହା ଜାଣିବା ପରେ ମନ୍ତ୍ରୀ ରିପୋର୍ଟ ତଲବ କରିଛନ୍ତି।