ଭୁବନେଶ୍ବର: ରାଜଧାନୀର ରାସ୍ତାଘାଟରେ ଆଉ କଟା ହେବନି ଛେଳି। ମୁଖ୍ୟ ରାସ୍ତା ହେଉ କି ସାହି ଗଳିକନ୍ଦି, କେଉଁଠି ବି ଛେଳି କଟା ହେବନି କି ବିକ୍ରି ହେବନି ମାଂସ। ରାସ୍ତାରେ ଛୁଟିବନି ଅପରିଷ୍କାର ପାଣି ସୁଅ। ଏଥିପାଇଁ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)ର ୯ ନମ୍ବର ୱାର୍ଡ ଅନ୍ତର୍ଗତ ଗାଡ଼କଣରେ ଅତ୍ୟାଧୁନିକ କଂସେଇଖାନା ନିର୍ମାଣ ପାଇଁ ନିଷ୍ପତ୍ତି ହେଲା। ସୁପ୍ରିମକୋର୍ଟଙ୍କ ଆଦେଶ ଓ ପ୍ରାଣୀ ନିଷ୍ଠୁରତା ଆଇନ-୨୦୦୧ର ଅନୁପାଳନ ପାଇଁ ଏହି ନିଷ୍ପତ୍ତି ନେଇଥିଲା ବିଏମ୍‌ସି। ଏଥିପାଇଁ ବିଏମ୍‌ସି ପକ୍ଷରୁ ପ୍ରାୟ ସାଢ଼େ ୪ କୋଟି ଟଙ୍କା ବ୍ୟୟରେ ଏହି ଅତ୍ୟାଧୁନିକ କଂସେଇଖାନା ନିର୍ମାଣ ହେଲା। ଏ ଭିତରେ ନିଷ୍ପତ୍ତିକୁ ୧୨ ବର୍ଷ ଓ ନିର୍ମାଣକୁ ୮ ବର୍ଷ ବିତିଗଲାଣି, କିନ୍ତୁ ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁନି। ପୂର୍ବବତ୍ ଏବେ ବି ରାସ୍ତାଘାଟରେ ମାଂସ କଟା ଚାଲିଛି। ଏହା ଏକ ନକରାତ୍ମକ ବାତାବରଣ ସୃଷ୍ଟି କରୁଛି ଓ କୋର୍ଟଙ୍କ ଆଦେଶକୁ ଖୋଲା ଉଲ୍ଲଂଘନ କରୁଛି। ଅପରପକ୍ଷେ ରକ୍ଷଣାବେକ୍ଷଣ ଅଭାବରୁ କଂସେଇଖାନାର କୋଟି କୋଟି ଟଙ୍କାର ଯନ୍ତ୍ରାଂଶ, ଘର ସବୁ ଖତଖାଉଛି। ଯେଉଁ କାଁ ଭାଁ ଦୋକାନୀ ଏଠାରେ ମାଂସ କାଟୁଛନ୍ତି, ସେମାନେ ବି ବେପାର ହେଉନଥିବାରୁ ମୁହଁ ମୋଡ଼ିଲେଣି।

Advertisment

ଖତଖାଉଛି ଯନ୍ତ୍ରାଂଶ, ଘର
ଏବେ ବି ରାସ୍ତାଘାଟରେ ଚାଲିଛି ମାଂସକଟା
ପ୍ରାଣୀ ନିଷ୍ଠୁରତା ଆଇନର ଖୋଲା ଉଲ୍ଲଂଘନ
ସୁପ୍ରିମକୋର୍ଟଙ୍କ ଆଦେଶକୁ ଦଳିଦେଲେ

୨୦୧୩ ମସିହାରେ ପ୍ରକଳ୍ପକୁ ଅନୁମୋଦନ ଓ ଡିପିଆର୍‌ ପ୍ରସ୍ତୁତ ପରେ ଗାଡ଼କଣଠାରେ ପ୍ରାୟ ଅଧ ଏକର ଜାଗାରେ ଏହି ଅତ୍ୟାଧୁନିକ କଂସେଇଖାନା ନିର୍ମାଣ ହେଉଥିଲା। ଅନୁମୋଦିତ ବ୍ୟୟ ଅଟକଳରୁ ୫୦ ପ୍ରତିଶତ ରାଜ୍ୟ ସରକାରଙ୍କ ସହରାଞ୍ଚଳ ଭିତ୍ତିଭୂମି ଉନ୍ନୟନ ପାଣ୍ଠି ଓ ୫୦ ପ୍ରତିଶତ ଋଣ ନେଇ ଖର୍ଚ୍ଚ କରାଗଲା। ଭୁବନେଶ୍ବର ମହାନଗର ନିଗମ ଏହାର ନିର୍ମାଣ ଦାୟିତ୍ବ ନେଇଥିଲା। ପ୍ରକଳ୍ପର ରୂପରେଖ ଅନୁଯାୟୀ, ଏହି ଅତ୍ୟାଧୁନିକ କଂସେଇଖାନାରେ ଦୈନିକ ୧୦୦ଟି ଛେଳି କଟାଯିବାର ବ୍ୟବସ୍ଥା ହୋଇଥିଲା। ସେପଟେ ସ୍ବାସ୍ଥ୍ୟକର ପରିବେଶରେ ମାଂସକଟାର ପୂର୍ଣ୍ଣ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଥିଲା। ମାଂସ କାଟିବା ପାଇଁ ଦୋକାନ ଘର ସହ ପ୍ରଶାସନିକ କୋଠା, ବିଶ୍ରାମ ଗୃହ, ଅତିଥି ଗୃହ, ଜଗୁଆଳି ଗୃହ ଆଦିର ନିର୍ମାଣ କରାଯାଇଥିଲା। ସୁବିଧାରେ ମାଂସ କାଟିବା ଓ ବିକ୍ରି କରିବା ପାଇଁ ସ୍ବତନ୍ତ୍ର ଗୃହର ବ୍ୟବସ୍ଥା କରାଯାଇଥିଲା। ସବୁ ଦୋକାନକୁ ବିଜୁଳି, ପାଣିର ସୁବିଧା କରାଯାଇଥିଲା। ଏଠାରୁ ନିର୍ଗତ ଆବର୍ଜନାର ପ୍ରକ୍ରିୟାକରଣର ବ୍ୟବସ୍ଥା ହୋଇଥିଲା। କଂସେଇଖାନା ଭିତରେ ରାସ୍ତାଘାଟ  ସହ ଅନ୍ୟାନ୍ୟ ବିକାଶମୂଳକ କାମ କରାଯାଇଥିଲା। ଯେଉଁ ଛେଳି କଟାଯିବ, ତାର ସ୍ବାସ୍ଥ୍ୟ ପରୀକ୍ଷା ଓ ଅନ୍ୟାନ୍ୟ ଯାଞ୍ଚ ପରେ ମାଂସ କାଟିବାକୁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ଡାକ୍ତରଙ୍କ ଚାମ୍ବର, ପରୀକ୍ଷାଗାରର ବ୍ୟବସ୍ଥା ହେଲା। କୋଠା ଓ ଭିତ୍ତିଭୂମି ନିର୍ମାଣରେ ୫୦ ପ୍ରତିଶତ ଓ ଅତ୍ୟାଧୁନିକ ଯନ୍ତ୍ରାଂଶ ସ୍ଥାପନରେ ୫୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରାଯାଇଥିଲା। ସଫଳ ହେଲେ, ରାଜ୍ୟର ଅନ୍ୟ ବଡ଼ ବଡ଼ ସହରରେ ଏଭଳି କଂସେଇଖାନା କରାଯିବାକୁ ନିଷ୍ପତ୍ତି ହୋଇଥିଲା।

କିନ୍ତୁ ଏହି କଂସେଇଖାନା ନିର୍ମାଣ ପରେ ବିଏମ୍‌ସି ଆଉ ବେପାର ଦିଗରେ ମନଧ୍ୟାନ ଦେଲାନି। ସମୟ ଗଡ଼ିବା ସହ ସୁପ୍ରିମକୋର୍ଟଙ୍କ ଆଦେଶକୁ ବି ଅନୁପାଳନ ଉପରେ କେହି ଚିନ୍ତା କଲେନି। ଫଳସ୍ବରୂପ ଯେଉଁ ଦାମୀ ଯଂନ୍ତ୍ରାଶ ସବୁ ଲାଗିଥିଲା, ତାହା ବ୍ୟବହାର ନ ହୋଇ ଖତ ଖାଇଗଲାଣି। ଘର ସବୁ ଫାଟି ଆଁ ମେଲିଲାଣି। ୯ ନମ୍ବର ୱାର୍ଡ କର୍ପୋରେଟର୍ ସୁଷମା ସାହୁ କହିଛନ୍ତି, କଂସେଇଖାନା ନ ଚାଲିବାର ପ୍ରମୁଖ କାରଣ ହେଉଛି, କୌଣସି ମାଂସ ଦୋକାନୀଙ୍କୁ ଏଠାକୁ ଆଣିବା ଦିଗରେ ବିଏମ୍‌ସି ଉଦ୍ୟମ କରୁନି। ସାରା ରାଜଧାନୀର ମାଂସ ଦୋକାନୀଙ୍କୁ ଏଠାରେ ଆଣି ଥଇଥାନ କରିବାକୁ ଯୋଜନା ହୋଇଥିଲା। କିନ୍ତୁ ଯୋଜନା ତା ବାଟରେ ଓ ବିଏମ୍‌ସି ତା ବାଟରେ। ଯଦି ମାଂସ ଦୋକାନୀଙ୍କୁ ଏଠାକୁ ଆସିବାକୁ ବାଧ୍ୟତାମୂଳକ କରାଯାଆନ୍ତା, ତେବେ ସମସ୍ତେ ଆସି ଏଠାରେ ବେପାର କରନ୍ତେ। କିନ୍ତୁ ସେଭଳି କିଛି କରାଯାଉନି। ଏ ଦିଗରେ ବିଏମ୍‌ସି ବିଚାର କରିବା ଜରୁରି। ଅପରପକ୍ଷେ ନିକଟରେ ନୂଆ କମିସନର୍ ଏହି କଂସେଇଖାନା ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। କଂସେଇଖାନାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ଦିଗରେ ଦୃଷ୍ଟି ଦେବେ ବୋଲି ଆଶ୍ବାସନା ଦେଇଛନ୍ତି। କିନ୍ତୁ ଏହି ଆଶ୍ବାସନା କେତେଦୂର କାର୍ଯ୍ୟକାରୀ ହେଉଛି, ଦେଖିବା ବାକି ରହିଛି।