ଭୁବନେଶ୍ୱର : ପୁରୀ ଜିଲ୍ଲା ଗଡ଼ିଶାଗୋଦା ଥାନା ପୁଲିସ କଙ୍ଗାରୁ କୋର୍ଟକୁ ସମର୍ଥନ କରୁଛି। ଏହି ଥାନା ଅନ୍ତର୍ଗତ କାଙ୍କପୁର ଗ୍ରାମର ବାସିନ୍ଦା ବିଜୟ କୁମାର ଚଣ୍ଡ ଓ ତାଙ୍କ ପୁଅ ଆଜି ମାନବାଧିକାର କମିସନ୍ଙ୍କୁ ଭେଟି ଏପରି ଅଭିଯୋଗ କରିଛନ୍ତି। ପୁଲିସ୍ର ନିଷ୍କ୍ରିୟତା ଯୋଗୁଁ ସେମାନେ ଏବେ ଭୟରେ ନିଜ ଘର ଛାଡ଼ି ଗାଁଠାରୁ ଦୂରରେ ରହୁଛନ୍ତି ବୋଲି ଅଭିଯୋଗପତ୍ରରେ ଦର୍ଶାଇଛନ୍ତି।
ବିଜୟଙ୍କ ଅଭିଯୋଗ ଅନୁଯାୟୀ, ସଂପତ୍ତି ଭାଗ ବଣ୍ଟାକୁ କେନ୍ଦ୍ର କରି ବର୍ଷେ ହେଲା ତାଙ୍କ ପରିବାରକୁ ଗ୍ରାମରୁ ବାସନ୍ଦ କରାଯାଇଛି। ଏନେଇ ସେ କୋର୍ଟର ଦ୍ବାରସ୍ଥ ହେବାରୁ ପୁଲିସ କେବଳ ଏକ ମାମଲା ରୁଜୁ କରି କାମ ସାରି ଦେଇଛି। ପୁଲିସ ନିଷ୍କ୍ରିୟତାର ସୁଯୋଗ ନେଇ ଅଭିଯୁକ୍ତମାନେ ତାଙ୍କ ପରିବାରକୁ ଗାଁରୁ ତଡ଼ି ଦେଇଛନ୍ତି। ନ୍ୟାୟ ଆଶାରେ ବିଜୟ ସେତେବେଳେ ମାନବାଧିକାର କମିସନ୍ଙ୍କ ଦ୍ବାରସ୍ଥ ହୋଇଥିଲେ। ଘଟଣାକୁ ଗୁରୁତ୍ବର ସହ ନେଇ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କମିସନ୍ ଗଡ଼ିଶାଗୋଦା ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ବିଜୟ ଆଜି ପୁଣିଥରେ କମିସନ୍ରେ ହାଜର ହୋଇ ପୁଲିସ ବିରୋଧରେ ଅଭିଯୋଗ କରିଛନ୍ତି।
ବିଜୟଙ୍କ କହିବା କଥା ହେଲା, ଗଡ଼ିଶାଗୋଦା ଇନ୍ସ୍ପେକ୍ଟର ମାନବାଧିକାର କମିସନଙ୍କୁ ଯେଉଁ ରିପୋର୍ଟ ପ୍ରଦାନ କରିଛନ୍ତି, ତାହା ସଂପୂର୍ଣ୍ଣ ମିଛ। ବର୍ତ୍ତମାନ ସୁଦ୍ଧା ପୁଲିସ ଗ୍ରାମକୁ ଯାଇ ନାହିଁ। ସେହିପରି ତାଙ୍କ ପରିବାର ଗାଁଠାରୁ ଦୂରରେ ରହୁଥିଲେ ମଧ୍ୟ ପୁଲିସ ରିପୋର୍ଟରେ ସେମାନେ ଗ୍ରାମରେ ରହୁଥିବା ଉଲ୍ଲେଖ ରହିଛି। ଅଭିଯୁକ୍ତମାନେ ଗାଁରେ ଖୋଲାଖୋଲି ଭାବେ ବୁଲୁଥିବା ବେଳେ ପୁଲିସ ଅଭିଯୁକ୍ତଙ୍କୁ ଖୋଜୁଥିବା ଲେଖିଛି।