ବିରାଜିବେ ଗଜଲକ୍ଷ୍ମୀ

ଚାଲିଛି ପାର୍ବଣ ଋତୁ। ଗୋଟିଏ ପରେ ଗୋଟିଏ ପର୍ବରେ ଆନନ୍ଦିତ ହେଉଛନ୍ତି ସହରବାସୀ। ସଜେଇ ‌େହଉଛି ରାଜଧାନୀ। ଦୁର୍ଗତିନାଶିନୀ ମା’ ଦୁର୍ଗା ଭକ୍ତଙ୍କଠାରୁ ମେଲାଣି ନେଲା ପରେ ଧରାପୃଷ୍ଠରେ ବିରାଜିବେ ମା’ ଗଜଲକ୍ଷ୍ମୀ। ସତ୍ୟଭାମା, ଚଞ୍ଚଳା, ଧନଲକ୍ଷ୍ମୀ ଓ ଆଦିଲକ୍ଷ୍ମୀ ପରି ଅନେକ ନାମରେ ପୂଜା ପାଉଥିବା ମା’ଲକ୍ଷ୍ମୀଙ୍କୁ ସ୍ବାଗତ କରିବା ପାଇଁ ଚଳଚଞ୍ଚଳ ହୋଇପଡ଼ିଲେଣି ରାଜଧାନୀବାସୀ। ମା’ ଦୁର୍ଗାଙ୍କୁ ବିଦ‌ାୟ ଦେବାର ଦୁଃଖକୁ ଭୁଲି ଆଶ୍ବିନ ଶୁକ୍ଳ ଚତୁର୍ଦଶୀରେ ମା’ ଲକ୍ଷ୍ମୀଙ୍କୁ ଧରାପୃଷ୍ଠକୁ ଆବାହନ କରିବା ପାଇଁ ଯୋଜନା କଲେଣି ବିଭିନ୍ନ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠାନ। କିଏ ମା’ଙ୍କୁ ରୂପାରେ ସଜେଇବାକୁ ଚିନ୍ତା କଲେଣି ତ କିଏ ମା’ଙ୍କୁ ସୁନା ଥାଳି‌େର ଖାଇବାକୁ ‌େଦବା କଥା ଭାବିଲେଣି। ୨୫ରୁ ଅଧିକ ଅନୁଷ୍ଠାନ ମା’ଙ୍କ ପୂଜାର ଆୟୋଜନ କରୁଛନ୍ତି। ସେମିତି କିଛି ପୂଜା ଅନୁଷ୍ଠାନର ପ୍ରସ୍ତୁତିକୁ ନେଇ ଆମର ଏହି ଉପସ୍ଥାପନା…

ବାପୁଜୀ ନଗରରେ ଅଷ୍ଟଲକ୍ଷ୍ମୀ
ବାପୁଜୀ ୟୁଥ୍‌ ଆସୋସିଏସନ୍‌ ପକ୍ଷରୁ ଦୀର୍ଘ ୫୩ ବର୍ଷ ହେବ ଗଜଲକ୍ଷ୍ମୀ ପୂଜା କରାଯାଉଛି। ଚଳିତ ବର୍ଷ ଆଠଟି ମନ୍ଦିର କରାଯାଇ ସେଥିରେ ୮ଟି ମା’ ଲକ୍ଷ୍ମୀଙ୍କ ମୂର୍ତ୍ତିକୁ ସ୍ଥାନିତ କରାଯିବ। ଆଇସକ୍ରିମ କାଠିରେ ସାଜସଜା କରାଯିବ। ମା’ଙ୍କ ପାଇଁ ରୁପା ମୁକୁଟ ଓ ହାର ପ୍ରସ୍ତୁତ ହୋଇଛି। ମା’ ୮ ଦିନ ଧରି ପୂଜା ପାଇବେ। ପ୍ରତ୍ୟେକ ଦିନ ମା’ଙ୍କ ନିକଟରେ ଅନ୍ନ ଭୋଗ କରାଯିବ ଓ ୩ ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ରହିଛି। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମା’ଙ୍କ ପାଖରେ ବିଭିନ୍ନ ପ୍ରକାରର ଭୋଗ ଲାଗି ହେବାର ବ୍ୟବସ୍ଥା ରହିଛି। ଏଥର ପୂଜା ବଜେଟ ୧୨ ଲକ୍ଷ ଟଙ୍କା ରହିଛି। ୪ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିବା ବେଳେ ଦୃଷ୍ଟିହୀନ ପିଲାଙ୍କୁ ନେଇ ଏକ ଭଜନ ସନ୍ଧ୍ୟା ଆୟୋଜନ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ ଆଶିଷ ପଟ୍ଟନାୟକ ସୂଚନା ଦେଇଛନ୍ତି।

ବିନା ଚାନ୍ଦାରେ ପୂଜା
ଓୟୁଏଟି, କୃଷିବିହାର ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ମା’ଙ୍କ ପୂଜା ୧୧ ବର୍ଷ ଧରି ପାଳିତ ହେଉଛି। ଏଠାରେ ବିନା ଚାନ୍ଦା ଆଦାୟରେ ମା’ଙ୍କୁ ପ୍ରତିବର୍ଷ ପୂଜା କରାଯାଇ ଆସୁଛି। ପୂଜାର ସମସ୍ତ ଖର୍ଚ୍ଚ କମିଟିର ସଦସ୍ୟମାନେ ବହନ କରୁଛନ୍ତି। ଚଳିତ ବର୍ଷ ମା’ଙ୍କ ୧୭ ଫୁଟର ମୂର୍ତ୍ତି ସ୍ଥାପନ କରାଯିବ। ୪ ଦିନ ମା’ ପୂଜା ପାଇବେ। ପ୍ରତିବର୍ଷ ଗଜଲକ୍ଷ୍ମୀ ପୂଜାର ଦ୍ବିତୀୟ ଦିନରେ ‌କୁନି କୁନି ଝିଅଙ୍କୁ ନେଇ କୁଆଁରୀ ପୂଜା କରାଯାଇଥାଏ। ସନ୍ଧ୍ୟା ଆଳତି ପ‌େର ମା’ମାନେ ତାଙ୍କ ଝିଅଙ୍କୁ ଅଳତା, ନୂଆବସ୍ତ୍ର, ଚନ୍ଦନ, ଚୁଡ଼ି ଓ ଦକ୍ଷିଣା ଦେଇ ପୂଜା କରିଥାଆନ୍ତି।

ମଞ୍ଚେଶ୍ବରରେ ପୂଜା ପାଇବେ ଧନଲକ୍ଷ୍ମୀ ପ୍ରତିମା
ମଞ୍ଚେଶ୍ବର ଭୋଟପଡ଼ାରେ ଏଥର ନିଆରା ଢ଼ଙ୍ଗରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହେବ। ଗତ ୩୧ ବର୍ଷ ହେଲା ଏଠାରେ ବିଭିନ୍ନ ଅବତାରରେ ମା’ଙ୍କ ପୂଜାର୍ଚ୍ଚନା ହେଉଥିବା ବେଳେ ଚଳିତବର୍ଷ ଧନଲକ୍ଷ୍ମୀ ପ୍ରତିମା ପୂଜା ପାଇବେ। ୭ ଦିନ ଧରି ଏଠାରେ ପୂଜା ଚାଲିବ। ପ୍ରତିଦିନ ସ˚ଧୢାରେ ସା˚ସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଲୋକ ପ୍ରତିନିଧିଙ୍କୁ ସମ୍ମାନିତ କରାଯିବ। ପୂଜା ଯୋଗୁ ମଞ୍ଚେଶ୍ବର ଓ ତା’ର ଆଖପାଖ ଅଞ୍ଚଳରେ ଟ୍ରାଫିକ୍‌ ସମସ୍ୟା ଦେଖାଯାଉ ଥିବାରୁ ପୁଲିସ୍‌ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନେଇ ବ୍ୟବସ୍ଥା ହୋଇଛି। ସେହିପରି ପ୍ରତିବର୍ଷ ପରି ଏଥର ମଧ୍ୟ କଳାରାହାଙ୍ଗ, ଚକେଇସିଆଣି, ଦାଢ଼ା, ଅଳସୁଆ ଓ ପଟିଆରେ ମଧ୍ୟ ଧନଦାତ୍ରୀଙ୍କ ପୂଜା ଅନୁଷ୍ଠିତ ହେଉଛି।

ଶୈଳଶ୍ରୀବିହାରରେ ରୁପା ମୁକୁଟରେ ଶୋଭା ପାଇବେ ମା’
ଶୈଳଶ୍ରୀ ବିହାର, ଫେଜ୍‌-୨ରେ ଥିବା ଏଲ୍‌ ସି ବ୍ଲକ୍‌ ଉନ୍ନୟନ ଓ ସାଂସ୍କୃତିକ ସଂଘ ପକ୍ଷରୁ ଚଳିତବର୍ଷ ୫ ଦିନ ବ୍ୟାପି ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେବ। ସଂଘର ସମ୍ପାଦକ ସୁଶିଲ୍‌ ପଣ୍ଡା କହିଛନ୍ତି ଯେ, ଆସନ୍ତା ୨୪ ତାରିଖ ଅପରାହ୍‌ଣରେ ଡମଣାରେ ଥିବା ପୁଷ୍କରଣୀରୁ ମହିଳାମାନେ ୧୦୮ କଳସ ଶୋଭାଯାତ୍ରାରେ ଆସିବା ପରେ ପୂଜା ଆରମ୍ଭ ହେବ। ମା ରୁପା ମୁକୁଟ ପିନ୍ଧିବେ। ୨୫ ତାରିଖରେ ୩ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ହରିହାଟ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ। ୨୬ ତାରିଖ ମଧ୍ୟରାତିରେ ପୂର୍ଣ୍ଣାହୁତି ହେବ। ୨୭ ତାରିଖରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବା ପରେ ୨୮ ତାରିଖ ସକାଳ ୮ଟାରୁ ଭସାଣି ଆରମ୍ଭ ହେବ ବୋଲି ସଂଘର ଆବାହକ ଆକୁଳି ନାୟକ, ସଭାପତି ଈଶ୍ବର ଚନ୍ଦ୍ର ସ୍ବାଇଁ ସୂଚନା ଦେଇଛନ୍ତି।

ସୁନାଥାଳିରେ ଭୋଗ ଖାଇବେ ଧନଲକ୍ଷ୍ମୀ
୩୮ବର୍ଷ ହେବ ୟୁନିଟ-୯ ଭୁବନେଶ୍ବର ଫ୍ରେଣ୍ଡ୍‌ସ କ୍ଲବ ପକ୍ଷରୁ ବହୁ ଆଡ଼ମ୍ବରରେ ପାଳନ କରାଯାଉଛି ଗଜଲକ୍ଷ୍ମୀ ପୂଜା। ଏଥର ମା‌’ ଧନଲକ୍ଷ୍ମୀ ରାଜସ୍ଥାନ ପ୍ୟାଲେସ୍‌ରେ ଶୋଭା ପାଇବେ। ପାଦଠାରୁ ମଥା ପର୍ଯ୍ୟନ୍ତ ୩୮ କେଜି ରୂପା ଗହଣାରେ ମା’ ସଜେ‌ଇ ହେବେ। ତା’ସହିତ ପୂଜାରେ ହେବ ଷୋଡ଼ଶ ଉପଚାର। ୧୦ ଦିନ ଯାଏ ପୂଜା ଚାଲିବ। ମା’ଙ୍କ ନିକଟରେ ସୁନା ଥାଳିରେ ଭୋଗ ଲାଗିବ। ପୂଜାକୁ ଆହୁରି ଆକର୍ଷଣୀୟ କରିବା ପାଇଁ କାଳ୍ପନିକ ତୋରଣ ପ୍ରସ୍ତୁତ କରାଯାଉଛି। ୧୫ଫୁଟ ମୃଣ୍ମୟ ମୂର୍ତି ପୂଜା ପାଇବେ। ଏଠାରେ ୩ଦିନ ଯାଏ ପୁରୀର ମହାପ୍ରସାଦରେ ଆପାୟିତ କରାଯିବ। ମୀନା ବଜାର, ପିଲାଙ୍କ ରେକର୍ଡ ଡ୍ୟାନ୍ସ, ଭଜନ ଓ ମେଲୋଡିର ବନ୍ଦୋବସ୍ତ ହୋଇଛି ବୋଲି ସମ୍ପାଦକ ମାରୁତି ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ଲକ୍ଷ୍ମୀ ସାଗରରେ ଲକ୍ଷ୍ମୀପୂଜା
ଲକ୍ଷ୍ମୀ ସାଗର ବାସିନ୍ଦାଙ୍କୁ ନେଇ ‘ଓଁ ମା ଗଜଲକ୍ଷ୍ମୀ ପୂଜା ସମିତି’ ୨୮ ବର୍ଷ ହେଲା ଧୁମ୍‌ଧାମାରେ ଗଜଲକ୍ଷ୍ମୀ ପୂଜା ପାଳନ କରିଆସୁଛି। ସମିତିର ସମ୍ପାଦକ କିଶୋର ନାୟକଙ୍କ ସୂଚନା ଅନୁଯାୟୀ ଚଳିତବର୍ଷ ମା’ଙ୍କ ପାଇଁ କୋଲକାତାର ବେଲୁର୍‌ ମଠ ଢାଞ୍ଚାରେ ତୋରଣ ତିଆରି କରାଯାଉଛି। ଏଥିରେ ମା’ ଚଞ୍ଚଳା ବିରାଜମାନ ହେବେ। ତା’ସହିତ ମାଲେସିଆର ଟୁଇନ ଟାୱାରର ଲାଇଟ ଡେକୋରେସନ କରାଯିବ। ୭ଦିନ ଧରି ଗଜଲକ୍ଷ୍ମୀ ପୂଜା ପାଇବେ। ଏଥର ପୂଜା ବଜେଟ ୧୦ ଲକ୍ଷ ଟଙ୍କାରୁ ଅଧିକ ରହିଛି। ୭ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରସାଦ ସେବନର ବ୍ୟବସ୍ଥା ରହିଛି। ପୂଜା ପରିସରରେ ମୀନା ବଜାର ମଧ୍ୟ ଖୋଲାଯିବ।

ରାଜ ଉଆ‌ସରେ ଶୋଭା ପାଇବେ ଆଦିଲକ୍ଷ୍ମୀ
ରାଜ ଉଆସରେ ବିରାଜିତ ହେବେ ମା’ ଆଦିଲକ୍ଷ୍ମୀ। ବଡ଼ ଆଡ଼ମ୍ବରରେ ୭ଦିନ ଧରି ମା’ଙ୍କୁ ପୂଜା କରାଯିବ। ପ୍ରତ୍ୟେକ ଦିନ ବୁନ୍ଦି ଭୋଗ ହେବ ଆଉ ଚତୁର୍ଥ ଦିନରେ ମା’ଙ୍କ ନିକଟରେ ମଣ୍ଡାପିଠା ଭୋଗ ଓ ଖେଚୁଡି ଭୋଗ କରାଯିବ। ‌ୟୁନିଟ-୯ ଗଜଲକ୍ଷ୍ମୀ ସାଂସ୍କୃତିକ ସଂଘ ତରଫରୁ ଏହା ହେଉଛି ୨୫ତମ ଗଜଲକ୍ଷ୍ମୀ ପୂଜା ପ୍ରସ୍ତୁତି। ଚଳିତ ବର୍ଷ ମା’ଙ୍କ ୮ଫୁଟର ମୃଣ୍ମୟୀ ମୂର୍ତ୍ତି ପୂଜା ପାଇବ। ଗଜଲକ୍ଷ୍ମୀଙ୍କ ସହିତ ମା’ ଶକ୍ତିଙ୍କୁ ବି ଏଥର ପୂଜା କରାଯିବ। ତା’ସହିତ ପୂଜାମଣ୍ଡପ ପରିସରରେ ମେଳାର ଆୟୋଜନ କରାଯାଇଛି। ଏହି ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହେଉଥିବା ପୂଜାରେ ଲୋକଙ୍କ ସୁରକ୍ଷା ପାଇଁ ବିଶେଷ ଧ୍ୟାନ ଦିଆ‌ଯାଇଛି ବୋଲି ‌ଅନୁଷ୍ଠାନର ଯୁଗ୍ମ ସମ୍ପାଦକ ଦେବାଶିଷ ପାଢ଼ୀ କହିଛନ୍ତି। ଏଠାରେ ସିସି କ୍ୟାମେରା ଲଗାଯିବା ସହ ଅଗ୍ନି ନିର୍ବାପକ ବ୍ୟବସ୍ଥା ମଧ୍ୟ କରାଯାଇଛି।

ସମ୍ବନ୍ଧିତ ଖବର