ଭୁବନେଶ୍ୱର : ପାରମ୍ପରିକ ବାଦ୍ୟ ସାଙ୍ଗକୁ ଆଧୁନିକ ଡିଜେର ତାଳେତାଳେ ମା’ ଗଜଲକ୍ଷ୍ମୀଙ୍କୁ ବିଦାୟ ଦେଇଛନ୍ତି ଶ୍ରଦ୍ଧାଳୁ। ଆଜି ଏନେଇ ସହିଦନଗର ଲକ୍ଷ୍ମୀପୂଜା ଭସାଣି ଯାତ୍ରା ସହିଦନଗର ଯାତ୍ରା ପଡ଼ିଆରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୧ଟି ମେଢ଼ ଅଂଶଗ୍ରହଣ କରିଥିଲେ। ମାର୍କେଟ୍ ବିଲ୍ଡିଂ, ମୟୂର କ୍ଲବ୍, ସରକନ୍ତରା, ବାୟାବାବା ଛକ, ସତ୍ୟନଗର, ଭୋଟପଡ଼ା, ବୁଦ୍ଧନଗର, ସହିଦନଗର, ବାଣୀବିହାର, ଭିଏସ୍ଏସ୍ ନଗର, ମଞ୍ଚେଶ୍ୱର ଚନ୍ଦନେଶ୍ୱର ଲକ୍ଷ୍ମୀପୂଜା ଏବଂ ସହିଦନଗରର ଗଜଲକ୍ଷ୍ମୀ ମିଳିତ ଭସାଣି ଯାତ୍ରାରେ ଏକାଠି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ। ଅପରାହ୍ଣରୁ ଆରମ୍ଭ ହୋଇଥିବା ଏହି ଭସାଣି ଯାତ୍ରାରେ ମା’ଙ୍କୁ ଦେଖିବା ସହ ପାରମ୍ପରିକ ବାଦ୍ୟ ମେଳକୁ ପ୍ରତ୍ୟକ୍ଷ କରିବା ପାଇଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।
ସମସ୍ତ ମେଢ଼ ଏକାଠି ହେବା ପରେ ଧାଡ଼ି ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ସମସ୍ତ ମେଢ଼ ସହିଦନଗରରୁ ରାଜମହଲ ଛକ ପର୍ଯ୍ୟନ୍ତ ମିଳିତ ଶୋଭାଯାତ୍ରାରେ ଯାଇଥିଲେ। ଏହାକୁ ଦେଖିବା ପାଇଁ ସଂପୃକ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଲୋକଙ୍କର ଭରପୂର ସମାଗମ ହୋଇଥିଲା। ରାଜମହଲ ଛକରେ ଶୋଭାଯାତ୍ରା ଶେଷ ହେବା ପରେ ସେଇଠୁ ମେଢ଼ କୁଆଖାଇ ଓ ଦୟାନଦୀ ଅଭିମୁଖେ ବିସର୍ଜନ ପାଇଁ ଯାଇଥିଲେ।
ଉତ୍ତର ଭୁବନେଶ୍ୱରରେ ଲକ୍ଷ୍ମୀପୂଜା ଭସାଣି ଉତ୍ସବ : ପାରମ୍ପରିକ ଘୋଡ଼ା ଓ ଷଣ୍ଢ ନାଚ ମୁଖ୍ୟ ଆକର୍ଷଣ
ଚନ୍ଦ୍ରଶେଖରପୁର : ଆଗରେ ଚାଲିଥାଏ ପାରମ୍ପରିକ ଘୋଡ଼ା ଓ ଷଣ୍ଢ ନାଚ। ପୁଣି ବୁଢ଼ାବୁଢ଼ୀ ନାଚ ସାଙ୍ଗକୁ ଘଣ୍ଟୁଆମାନଙ୍କର ଅଙ୍ଗଭଙ୍ଗୀପୂର୍ଣ୍ଣ ନାଚ। ଏଥିସହିତ ହଳଦୀ କାଠ ବାଜା ଓ ଆଧୁନିକ ବ୍ୟାଣ୍ଡ୍ ଏବଂ ଡିଜେ ତାଳେ ତାଳେ ଭକ୍ତମାନେ ସମୃଦ୍ଧିର ଦେବୀ ମା’ ଗଜଲକ୍ଷ୍ମୀଙ୍କୁ ମେଲାଣି ଦେଉଥିଲେ। ଆଜି ଉତ୍ତର ଭୁବନେଶ୍ୱର ଅଞ୍ଚଳର ବିଭିନ୍ନ ଲକ୍ଷ୍ମୀପୂଜା କମିଟି ପକ୍ଷରୁ ଅନୁଷ୍ଠିତ ଭଷାଣ ଉତ୍ସବର ଏପରି ଥିଲା ମାହୋଲ। କଳାରାହାଙ୍ଗ, ଭୋଟପଡ଼ା, ପଟିଆ ଓ ମଞ୍ଚେଶ୍ୱର ଅଞ୍ଚଳର ବିଭିନ୍ନ ଲକ୍ଷ୍ମୀପୂଜା କମିଟି ପକ୍ଷରୁ ମେଢ଼ଗୁଡ଼ିକୁ ନିଜ ନିଜ ଅଞ୍ଚଳରେ ଶୋଭାଯାତ୍ରା କରି ମା’ଙ୍କୁ ମେଲାଣି ଦେଇଥିଲେ। ରଘୁନାଥପୁରସ୍ଥିତ ଗଙ୍ଗୁଆ, ମଞ୍ଚେଶ୍ୱରସ୍ଥିତ ବୁଡ଼ୁନଦୀ ଓ ହଂସପାଳସ୍ଥିତ କୂଆଖାଇ ନଦୀରେ ଏହି ସବୁ ମେଢ଼ ବିସର୍ଜନ ହେବ ବୋଲି ସୂଚନା ମିଳିଛି। ତେବେ ନିଜ ଗ୍ରାମାଞ୍ଚଳରେ ବାଜା ବାଣ ଶୋଭାଯାତ୍ରା କରି କମିଟିର ସଭ୍ୟମାନେ ମେଢ଼ ନେଇ ଆସୁଥିବା ବେଳେ କିଛି ମେଢ଼ ସହିଦନଗର ରୂପାଲି ପଡ଼ିଆରେ ଏକାଠି ହୋଇ ନଦୀ ପଠାକୁ ଯାଇଥିଲେ। ଏହି ସବୁ ଶୋଭାଯାତ୍ରା ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରକ୍ରେ କିନ୍ନରମାନଙ୍କ ଦ୍ୱାରା ପରିବେଷିତ ଆଧୁନିକ ନୃତ୍ୟ ସମସ୍ତଙ୍କୁ ଆକର୍ଷଣ କରିଥିଲା। ବିଭିନ୍ନ କମିଟିର ମୁରବି ଓ ଅଞ୍ଚଳବାସୀ ଭାଇଚାରାର ଦୃଢ଼ ନିଦର୍ଶନ ପୂର୍ବକ ଶାନ୍ତିଶୃଙ୍ଖଳାର ସହିତ ଭସାଣ ଉତ୍ସବରେ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/balipatana.jpg)