ଭୁବନେଶ୍ବର: ପୂର୍ଣ୍ଣିମାର ଉଦିଆ ଚାନ୍ଦ ମା’ ଗଜଲକ୍ଷ୍ମୀଙ୍କୁ ସ୍ବାଗତ କରିବା ପରେ ଆଜି ଜମିଛି ଅସଲ ଭିଡ଼। ବୁଧବାର ବିଳମ୍ବିତ ରାତିରେ ମା’ ପୂଜା ପାଇଥିବା ବେଳେ ଆଜି ସନ୍ଧ୍ୟାରେ ବାପୁଜୀ ନଗର, ୟୁନିଟ୍‌ ୯ ଅଞ୍ଚଳ ସମେତ ଲକ୍ଷ୍ମୀସାଗର, ୟୁନିଟ୍‌ ୮ ସ୍ଥିତ ଗୋପବନ୍ଧୁ ସ୍ମୃତି ସଂସଦ, ଅଶୋକ ନଗର, ଓୟୁଏଟି ନିକଟରେ ମା’ ଗଜଲକ୍ଷ୍ମୀଙ୍କୁ ଦର୍ଶନ ପାଇଁ ଭିଡ଼ ପରିଲକ୍ଷିତ ହୋଇଛି। କିଛି ପୂଜା ମଣ୍ଡପରେ ମୀନାବଜାର ଓ ଦୋଳିର ମଜା ନେଇଛନ୍ତି ସହରବାସୀ।

ବଡ଼ଗଡ଼ ବ୍ରିଟ୍‌ କଲୋନି ବ୍ୟବସାୟୀ ସଂଘର ଭଜନ ସନ୍ଧ୍ୟା

Advertisment

ବଡ଼ଗଡ଼ ବ୍ରିଟ୍‌ କଲୋନି ବ୍ୟବସାୟୀ ସଂଘ ପକ୍ଷରୁ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଛି। ଏହି ଅବସରରେ ଆଜି ମା’ଙ୍କ ସୂର୍ଯ୍ୟପୂଜା ପରେ ସପ୍ତସତୀ ମନ୍ତ୍ରରେ ଆହ୍ବାନ କରାଯାଇଛି। ସଂଘ ପକ୍ଷରୁ ଆଜି ଭଜନ ସନ୍ଧ୍ୟା ଆୟୋଜନ କରାଯାଇଥିବା ବେଳେ ଆସନ୍ତା ରବିବାର ଭସାଣି ଉତ୍ସବ ଅନୁଷ୍ଠିତ ହେବ। ଆଜିର ଭଜନ ସନ୍ଧ୍ୟାକୁ ସଂଘର ସଭାପତି ସନ୍ତୋଷ କୁମାର ସିଂହ, ସମ୍ପାଦକ ଅମରଜ୍ୟୋତି ଜଗଦ୍ଦେବ, ବିଜୟ କୁମାର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଶାସ୍ତ୍ରୀନଗରରେ କୁମାର ଉତ୍ସବ

ଶାସ୍ତ୍ରୀନଗର ମହିଳା ସାମାଜିକ ସାଂସ୍କୃତିକ ପରିଷଦ ପକ୍ଷରୁ କୁମାର ଉତ୍ସବ କମ୍ୟୁନିଟି ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ବିଜୟ ମହାନ୍ତି, ମେୟର ଅନନ୍ତ ନାରାୟଣ ଜେନା, କର୍ପୋରେଟର ନବକିଶୋର ବେହେରା, ପ୍ରତିଭା ସାମନ୍ତରାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ସମ୍ପାଦିକା ରଜନିରାଣୀ ରାଜହଂସ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ମନୋରମା ସାହୁ ଅତିଥି ପରିଚୟ ଦେଇଥିଲେ। କଲ୍ୟାଣି ମହାନ୍ତି ଓ ଅନ୍ନପୂର୍ଣ୍ଣା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।