ବିଳମ୍ବିତ ରାତିରେ ଦର୍ଶନ ଦେଲେ ଗଜଲକ୍ଷ୍ମୀ, ୫୦ରୁ ଊର୍ଧ୍ବ ସ୍ଥାନରେ ମା’ଙ୍କ ପୂଜାର୍ଚନା

ଭୁବନେଶ୍ବର: ପୂର୍ଣ୍ଣ ଚନ୍ଦ୍ରର ଶୁଭ୍ର ଆଲୋକମାଳାରେ ଆଶିଷ ବାଢ଼ିବା ପାଇଁ ଧରାକୁ ଓହ୍ଲାଇଛନ୍ତି ମା’ ଗଜଲକ୍ଷ୍ମୀ। ବିଳମ୍ବିତ ରାତିରେ ମା’ଙ୍କୁ ଆବାହନ ପରେ ଐଶ୍ବର୍ଯ୍ୟମୟ ହୋଇଛି ସହର। ୫୦ରୁ ଊର୍ଧ୍ବ ସ୍ଥାନରେ ମା’ଙ୍କ ପୂଜାର୍ଚନା ସହ ଶୂନଶାନ ରାତିରେ ମା’ଙ୍କ ଆବାହନୀ ମନ୍ତ୍ରରେ ଅଭିମନ୍ତ୍ରିତ ହୋଇଛି ରାଜଧାନୀ। କିଛି ସ୍ଥାନରେ କଳସ ଅଧିବାସ ପରେ ସନ୍ଧ୍ୟାରେ ମା’ଙ୍କ ପୂଜାର୍ଚନା ଆରମ୍ଭ ହୋଇଥିବା ବେଳେ କିଛି ପୂଜା ମଣ୍ଡପରେ ପାଞ୍ଜି ମୁତାବକ ରାତି ୧୧ଟା ପରେ ମା’ଙ୍କୁ ଚକ୍ଷୁଦାନ ଦିଆଯାଇଥିଲା। ପରେ ପ୍ରାଣ ପ୍ରତିଷ୍ଠା, ଷୋଡ଼ଶ ଉପଚାର ପୂଜା, ମଣ୍ଡଳ ଦେବତା ପୂଜନ, ହବନ ଆରତି କରାଯାଇଥିଲା। ମା’ଙ୍କ ପୂଜା ଦେଖିବା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ବିଳମ୍ବିତ ରାତି ଯାଏ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା। ବାପୁଜୀ ନଗରରେ ଐଶ୍ବର୍ଯ୍ୟ କଳସ ସ୍ଥାପନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖବାକୁ ମିଳିଥିଲା। ସେହିପରି ୟୁନିଟ୍‌ ୯ ଫ୍ରେଣ୍ଡ୍‌ସ କ୍ଲବ୍‌, ୟୁନିଟ୍‌ ୯ ରିଜିଓନାଲ୍‌ କଲେଜ୍‌ ନିକଟ, ୪ ସ୍ଥିତ ପ୍ରିୟା ହୋଟେଲ୍‌ ନିକଟସ୍ଥ ପୂଜା ମଣ୍ଡପ, ଲକ୍ଷ୍ମୀସାଗର ସମେତ ଓୟୁଏଟି କୃଷି ବିହାର, ସହିଦନଗର, ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନି, ପୁରୁଣା ଭୁବନେଶ୍ବର ଆଦି ପ୍ରମୁଖ ପୂଜାମଣ୍ଡପରେ ବିପୁଳ ସମାଗମ ଦେଖିବାକୁ ମିଳିଥିଲା ଅଧିକାଂଶ ସ୍ଥାନରେ ପୂଜା ମଣ୍ଡପରେ ୧୦ ଦିନ ପର୍ଯ୍ୟନ୍ତ ପୂଜା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ କିଛି ସ୍ଥାନରେ ମା’ ୭ଦିନ ପର୍ଯ୍ୟନ୍ତ ଦର୍ଶନ ଦେବେ। ସମସ୍ତ ପୂଜାନୁଷ୍ଠାନ ଭଜନଠୁ ନେଇ ମେଲୋଡି ଓ ନୃତ୍ୟ କାର୍ଯ୍ୟକ୍ରମରେ ଆୟୋଜନ କରିଥିବା ବେଳେ ଆସନ୍ତାକାଲିଠୁ ବିଭିନ୍ନ ପୂଜା ପେଣ୍ଡାଲ୍‌ ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ସହିଦନଗର‌ରେ ମିଳିତ ଭସାଣି ପର୍ବରେ ବିଭିନ୍ନ ସ୍ଥାନରୁ ଗଜଲକ୍ଷ୍ମୀ ଆସି ଦର୍ଶନ ଦେବେ। ନାଗେଶ୍ବରଟାଙ୍ଗି ଗଜଲକ୍ଷ୍ମୀ ପୂଜାରେ ପରିବେଶ ଅନୁକୂଳ ବାର୍ତା ବଣ୍ଟାଯାଇଛି। ବିନ୍ଦୁ ସାଗରରୁ ତୀର୍ଥ ଜଳ ଆଣିବା ପରେ କଳସ ସ୍ଥାପନ ହୋଇଥିଲା। ପରେ ବିଧି ଅନୁଯାୟୀ ବିଳମ୍ବିତ ରାତି ପର୍ଯ୍ୟନ୍ତ ପୂଜା ଅନୁଷ୍ଠିତ ହୋଇଥିଲା। ପୂଜା କମିଟି ପକ୍ଷରୁ ଆସନ୍ତା ୧୫ ତାରିଖରେ ଭଜନ ସମାରୋହ ସହ ୫ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ରହିଛି। ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଉକ୍ତ ଦିନ ପରିବେଶ ପ୍ରତି ଦେଖା ଦେଇଥିବା ଭୟାବହତା ଏବଂ ଏଥିରୁ ମୁକ୍ତି ପାଇବା ପାଇଁ ବ୍ୟକ୍ତିବିଶେଷଙ୍କ କର୍ତବ୍ୟ ବାବଦରେ ସଚେତନ କରାଯିବ ବୋଲି ଆୟୋଜକ ତଥା ପୂର୍ବତନ କର୍ପୋଟେର ନୃପେଶ କୁମାର ନାୟକ କହିଛନ୍ତି। ଅନନ୍ତପୁରରେ ଚାନ୍ଦି ଅଳଙ୍କାରରେ ବିରାଜି‌ଛନ୍ତି ମା’।

ଫୁଲନଖରାସ୍ଥିତ ଅନନ୍ତପୁରରେ ଆୟୋଜିତ ଗଜଲକ୍ଷ୍ମୀ ପୂଜାରେ ଚଳିତ ବର୍ଷ ମା’ ଚାନ୍ଦି ଅଳଙ୍କାରରେ ସଜେଇ ହୋଇ ଦର୍ଶନ ଦେଇଛନ୍ତି। ଅନନ୍ତପୁର ଗ୍ରାମବାସୀଙ୍କ ଆର୍ଥିକ ସହଯୋଗରେ ମା’ଙ୍କ ପାଇଁ ଚାନ୍ଦିର ମୁକୁଟ, ହାର, ଅଣ୍ଟାବିଛା, ବାହୁଟି,‌ ନୋଥ ଓ ଅନ୍ୟ ଗହଣା ପ୍ରସ୍ତୁତ କରି ମା’ଙ୍କୁ ସଜାଯାଇଛି। ୫ଦିନ ଧରି ପୂଜା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ପୂଜା କମିଟିର ସଭାପତି ଜିତେନ୍ଦ୍ର ଶାସମଲ କହିଛନ୍ତି।

ସମ୍ବନ୍ଧିତ ଖବର