ଗଜପତି ରାମଚନ୍ଦ୍ରଦେବଙ୍କ ଅଭିନୟ ମୋ ଜୀବନର ବଡ଼ ଉପଲବ୍ଧି: ଲରେନ୍ସ

ଭୁବନେଶ୍ବର: ଧାରାବାହିକରୁ ଆରମ୍ଭ କରିଥିଲେ ଅଭିନୟ ଯାତ୍ରା। ଏହାପରେ ଆଲ୍‌ବମ୍‌, ଓଡ଼ିଆ ଚଳଚ୍ଚିତ୍ର ଓ ଯାତ୍ରା ଜଗତ… ସବୁଠାରେ ସେ ନିଜ ଛାପ ଛାଡ଼ିଛନ୍ତି। ଗୋଟିଏ ପରେ ଗୋଟିଏ ମେଗା ଧାରାବାହିକର ମୁଖ୍ୟ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇ ସେ ଦର୍ଶକଙ୍କ ପ୍ରଶଂସା ସାଉଣ୍ଟିଥିଲେ। ଏହାପରେ ସେ ‘ସୁନା ଚଢ଼େଇ ମୋ ରୁପା ଚଢ଼େଇ’ ଜରିଆରେ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ। ‘ସପନର ନାୟିକା’, ‘ମୁଁ ପ୍ରେମୀ ମୁଁ ପାଗଳ’ ଓ ‘ହରେ କୃଷ୍ଣ ହରେ ରାମ’ ଆଦି ଚଳଚ୍ଚିତ୍ରରେ ନିଜ ଅଭିନୟ କଳାର ବଳିଷ୍ଠ ପ୍ରମାଣ ଦେଇଛନ୍ତି। ୨୦୧୪ରେ ଯାତ୍ରା ଜଗତରେ ପ୍ରବେଶ କରି ଅଧିକରୁ ଅଧିକ ଲୋକଙ୍କ ହୃଦୟ ଛୁଇଁପାରିଥିଲେ। ଏବେ ତାଙ୍କ ଅଭିନୀତ ‘ଆହେ ନୀଳଶଇଳ’ ଓଡ଼ିଶାରେ ଏକ ଚର୍ଚ୍ଚିତ ନାଟକ। ଆଜି ଏହି ପ୍ରଖ୍ୟାତ ଅଭିନେତା ଲରେନ୍ସ ବେହେରାଙ୍କ ସହ ଆମର ସାକ୍ଷାତକାର…

ଅଭିନୟ ଜଗତକୁ କେମିତି ଆସିଲେ?
ପିଲାଟି ଦିନୁ ମୋର ଅଭିନୟ ପ୍ରତି ପ୍ରବଳ ଆଗ୍ରହ ଥିଲା। ସ୍କୁଲ, କଲେଜରେ ପଢ଼ୁଥିବା ସମୟରେ ମୁଁ ପ୍ରତିଟି ନାଟକ ଓ ଡ୍ରାମାରେ ଅଂଶଗ୍ରହଣ କରେ। ଭୁବନେଶ୍ବରରେ ସୂର୍ଯ୍ୟ ମହାନ୍ତିଙ୍କ ସହ ନାଟକ କରୁଥିବା ସମୟରେ ମୋତେ ଏକ ଧାରାବାହିକର ଅଫର୍‌ ଆସିଥିଲା। ୨୦୦୩ ମସିହାରେ ପ୍ରଥମେ ଡିଡି-୧ରେ ପ୍ରସାରିତ ମେଗା ଧାରାବାହିକ ‘ମହାଯଜ୍ଞ’ରେ ଅଭିନୟ କରିବାର ସୁଯୋଗ ମିଳିଥିଲା। ଏହାପରେ ଇଟିଭିରେ ଆସିଲା ଧାରାବାହିକ ‘ପଣତକାନି’। ସେହି ବର୍ଷ ହିଁ ମୋର ୩ଟି ‌ମେଗା ଧାରାବାହିକ ‘ମହାଯଜ୍ଞ’, ‘ପଣତକାନି’ ଓ ‘ସମ୍ପର୍କ’ ଏକସଙ୍ଗେ ପ୍ରସାରିତ ହୋଇଥିଲା। ‌ଏହା ହିଁ ମୋ ଅଭିନୟ ଜୀବନର ମାଇଲଖୁଣ୍ଟ ପାଲଟିଥିଲା।

ନାଟକ ‘ଆହେ ନୀଳଶଇଳ’ର ଅଫର୍‌ ଆପଣଙ୍କୁ କେମିତି ମିଳିଲା?
ଯେତେବେଳେ ‘ଆହେ ନୀଳଶଇଳ’ ଭଳି ବଡ଼ ପ୍ରୋଜେକ୍ଟ କଥା ମୁଁ ଶୁଣିଲି, ମୁଁ ପ୍ରଥମେ ଏହି ନାଟକ କରିବାକୁ ମନା କରି ଦେଇଥିଲି। ମୁଁ ଯାତ୍ରା ଦୁନିଆରେ ଅତ୍ୟନ୍ତ ବ୍ୟସ୍ତ ଥିବା ବେଳେ ଏହି ନାଟକରେ ଗଜପତି ଭୂମିକା ପାଇଁ ହୁଏତ ଯେତିକି ସମର୍ପଣ, ଅଭ୍ୟାସ ଓ ସମୟ ଆବଶ୍ୟକ ସେତିକି ଦେଇପାରିବି ନାହିଁ ବୋଲି ଭାବୁଥିଲି। ଏଣୁ ନାଟକ କରିବାକୁ ସମ୍ପୂର୍ଣ୍ଣ ମନା କରିଦେଇଥିଲି। କିନ୍ତୁ ନାଟକର ପ୍ରଯୋଜିକାଙ୍କୁ ଭେଟିବା ପରେ ଓ ଏଭଳି ଏକ ଐତିହାସିକ କାହାଣୀରେ ଅଭିନୟ ସମ୍ପର୍କରେ ଅବଗତ ହେବା ପରେ ମୁଁ ଗଜପତି ମହାରାଜ ରାମଚନ୍ଦ୍ର ଦେବଙ୍କ ଚରିତ୍ର କରିବାକୁ ରାଜି ହୋଇଥିଲି।

ଟିକେଟ୍‌ଡ୍‌ ନାଟକକୁ ନେଇ କ’ଣ କହିବେ?
ଏବେ ଦର୍ଶକ ମାଗଣା ଓ ନକଲି ଜିନିଷ ଦେଖିବା ଅପେକ୍ଷା ଟଙ୍କା ଖର୍ଚ୍ଚ କରି ଭଲ ଓ ନିଚ୍ଛକ କଥା ଦେଖିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ସମୟ ସହ ବିଭିନ୍ନ ଟ୍ରେଣ୍ଡ୍‌ରେ ପରିବର୍ତ୍ତନ ହୁଏ। ଆଉ ସେ ପୁରୁଣା ଯୁଗ ନାହିଁ। ଲୋକେ ତ’ ଏବେ ଶାହରୁଖ ଖାନ୍‌ଙ୍କ ଚଳଚ୍ଚିତ୍ରକୁ ବି ଅଗ୍ରାହ୍ୟ କରି ଦେଉଛନ୍ତି। ଏଣୁ ସମୟ ଆସିଛି ମାଟିର କଥାକୁ ନେଇ କାହାଣୀ ପ୍ରସ୍ତୁତିର। ଏଣୁ ପୁଣି ଥରେ ଟିକେଟ୍‌ଡ୍‌ ସୋ’ର ଯୁଗ ଆରମ୍ଭ ହେଲାଣି। ଆଗକୁ ଏହି ଧାରା ଆହୁରି ବଢ଼ୁ। ଅତିକମ୍‌ରେ କଳାକାରମାନେ ଭଲ ରୋଜଗାର କରିବା ସହ ବଞ୍ଚିବାର ସୁଯୋଗ ପାଇବେ।

ଯାତ୍ରା ଓ ନାଟକରେ ଅଭିନୟ ମଧ୍ୟରୁ କେଉଁଟି କଷ୍ଟକର?
ଦର୍ଶକଙ୍କ ଆଗରେ ପରିବେଷଣ କରୁଥିବା ସମୟରେ ଅଧିକ ନର୍ଭସ ଲାଗେ। କିନ୍ତୁ ଏହା ପଛରେ ହୋଇଥିବା ଅଧ୍ୟବ୍ୟସାୟ ଓ ସାଧନାରେ ଭଗବାନ ନିଜ ଆଶୀର୍ବାଦ ଢାଳି ଦିଅନ୍ତି। ଏଣୁ ପ୍ରାୟ ସମୟରେ ଦେଖିବେ ଯାତ୍ରା କିମ୍ବା ନାଟ୍ୟମଞ୍ଚରେ କଳାକାରଙ୍କ ଦ୍ବାରା ବିଶେଷ ଭୁଲଭଟକା ହୁଏ ନାହିଁ।

ଆପଣଙ୍କ ଜୀବନର ସବୁଠାରୁ ବଡ଼ ସ୍ବପ୍ନ କ’ଣ?
ସେମିତି କେବେ କିଛି ସ୍ବପ୍ନ ଦେଖି ନଥିଲି। ଅଭିନେତା ହିସାବରେ ଯାହା ବି ଆହ୍ବାନପୂର୍ଣ୍ଣ ଭୂମିକା ଆସେ, ତାହାକୁ ମୁଁ ନିର୍ବାହ କରେ। ଯଦିଓ ନାଟକ ‘ଆହେ ନୀଳଶଇଳ’ର ଗଜପତି ମହାରାଜ ରାମଚନ୍ଦ୍ରଦେବ ଚରିତ୍ର ମୋର କେବେ ସ୍ବପ୍ନ ନଥିଲା। ଏହି ଚରିତ୍ର ନିର୍ବାହ ମୋ ଜୀବନର ସବୁଠାରୁ ବଡ଼ ଉପଲବ୍ଧି ପାଲଟି ଯାଇଛି। ମହାପ୍ରଭୁ ଜଗନ୍ନାଥ ଏମିତି ଭିନ୍ନ ସ୍ବାଦର ଭୂମିକା ମୋ ପାଇଁ ଆହୁରି ଆଣିଦିଅନ୍ତୁ।

ଅବସର ସମୟରେ କ’ଣ କରିବାକୁ ପସନ୍ଦ କରନ୍ତି?
ଅବସର ସମୟରେ ପତ୍ନୀ ଶୁଭଶ୍ରୀ ନାୟକଙ୍କ ସହ ବୁଲେ ଓ ସମୟ ଅତିବାହିତ କରେ।

ସମ୍ବନ୍ଧିତ ଖବର