ଜୁଆ ଆଡ଼ାରେ ଚଢ଼ଉ: ୬ ଗିରଫ, ୯ ଫେରାର୍

ଜୁଆ ଖେଳ ସହ ଚାଲିଥିଲା ମଦ ଆସର, ବନ୍ଧୁକ, ଟଙ୍କା, ମଦ ଓ ଗାଡ଼ି ଜବତ

ଭୁବନେଶ୍ବର: ରବିବାର ବିଳମ୍ବିତ ରାତିରେ ନୂଆପଲ୍ଲୀ ଥାନା ପୁଲିସ ସାଲିଆସାହିରେ ଚାଲିଥିବା ଏକ ଜୁଆ ଆଡାରେ ଚଢ଼ଉ କରି ୬ ଜଣଙ୍କୁ ଗିରଫ କରିଛି। ଗିରଫ ଜୁଆଡ଼ିମାନେ ହେଲେ, ନୟାଗଡ଼ ବାୟାପଲ୍ଲୀର ସଲୁ ପାତ୍ର ରେଡ୍ଡି(୨୫), ଗଞ୍ଜାମ କଳାସନ୍ଦପୁରର ଶିବା ସେଠୀ(୨୯), ଆସ୍କା ଗାନ୍ଧୀରୋଡର ଗୁରୁମୂର୍ତ୍ତି ସାହୁ(୩୬), ପୋଲସରା ଡିମିରିଆର ବସନ୍ତ କୁମାର ସାହୁ(୩୦), ଦିଗପହଣ୍ଡି ଟୁଲୁବୁଡ଼ିର କ୍ରିଷ୍ଣା ରେଡ୍ଡି(୨୯), ହିଂଜିଳିକାଟୁ ଗୁରୁପଡ଼ାର ରତ୍ନାକର ସେଠୀ(୨୪)। ସେମାନଙ୍କଠାରୁ ଏକ ଦେଶୀ ବନ୍ଧୁକ, ୧୧ ବାଇକ୍, ଗୋଟେ କାର୍‌, ୬ଟି ମୋବାଇଲ ଫୋନ୍, ୧୭ହଜାର ୫ଶହ ଟଙ୍କା, ୨୨ ବୋତଲ ମଦ ଓ ୫ ମୁଠା ତାସ୍ ଜବତ କରାଯାଇଛି।

ସୂଚନା ଅନୁଯାୟୀ, ମୁଖ୍ୟ ଅଭିଯୁକ୍ତ ସଲୁ ରେଡ୍ଡି ସାଲିଆସାହିର ସନ୍ତୋଷୀନଗରରେ ଦୀର୍ଘ ଦିନ ହେଲା ଜୁଆ ଆଡ଼ା ଚଳାଉଥିଲା। ଜୁଆ ଖେଳ ସହ ଆଡ଼ାରେ ମଦ ଆସର ମଧ୍ୟ ଜମୁଥିଲା। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ନୂଆପଲ୍ଲୀ ଥାନା ପୁଲିସ ବିଳମ୍ବିତ ରାତିରେ ସଲୁ ଘରେ ଚଢ଼ଉ କରିଥିଲା। ପୁଲିସ ଉକ୍ତ ଘରକୁ ଚାରିପଟୁ ଘେରି ଯାଇଥିଲେ ହେଁ ସଲୁ ଏକ ବନ୍ଧୁକ ଦେଖାଇ ଗୁଳି କରିବ ବୋଲି ଧମକ ଦେଇଥିଲା। ସଲୁ ଏକ କୁଖ୍ୟାତ ଡକାୟତ ହୋଇଥିବା ବେଳେ ସେ ବନ୍ଧୁକ ଦେଖାଇବାରୁ ଚଢ଼ଉରେ ସାମିଲ୍ ଥିବା କିଛି ପୁଲିସ କର୍ମଚାରୀ ନିଜକୁ ପ୍ରସ୍ତୁତ କରିବାକୁ ପଛକୁ ଘୁଞ୍ଚିଥିଲେ। ଏହି ମଉକାରେ ୯ ଜଣ ଜୁଆଡ଼ି ଝରକା ଡେଇଁ ଫେରାର୍ ହୋଇଯାଇଥିଲେ। କିନ୍ତୁ ଆଇଆଇସି ଶରତ କୁମାର ସାହୁ ସଲୁକୁ ଫେରାର୍ ହେବାକୁ ସୁଯୋଗ ଦେଇନଥିଲେ। ବନ୍ଧୁକ ସହ ସଲୁ ଓ ଅନ୍ୟ ୫ ଜଣଙ୍କୁ କାବୁ କରି ନିଆଯାଇଥିଲା। ସୂଚନାଯୋଗ୍ୟ, ସଲୁ ରେଡ୍ଡି ୧୦ ଅକ୍ଟୋବର ୨୦୧୭ରେ ଚନ୍ଦକାରେ ହୋଇଥିବା ୧୩ଲକ୍ଷ ଟଙ୍କା ଲୁଟ୍‌ ମାମଲାର ମାଷ୍ଟରମାଇଣ୍ଡ୍ ଥିଲା। ଏକ ଘରୋଇ ସଂସ୍ଥାର କର୍ମଚାରୀଙ୍କ ଗୋଡ଼କୁ ଗୁଳି ମାଡ଼ କରି ସେ ଲୁଟ୍‌ କରିଥିଲା। କିଛି ଦିନ ଜେଲ୍‌ରେ ରହି ପରେ ଜାମିନରେ ଆସିଥିଲା ଓ ସାଲିଆସାହିରେ ଜୁଆ ଆଡ଼ା ଚଳାଇଥିଲା।

ସମ୍ବନ୍ଧିତ ଖବର