ଭୁବନେଶ୍ବର: ଆଜି ୧ ନମ୍ବର ହାଟରୁ କ୍ୟାପିଟାଲ୍ ଥାନା ପୁଲିସ ଏକ ଜୁଆ ଆଡ଼ା ଠାବ କରିଛି। ଏହି ଜୁଆ ଆଡ଼ା ପରିଚାଳନା କରୁଥିବା ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଗଞ୍ଜାମ ବୁଗୁଡ଼ାର ନୀଳମାଧବ ଗୌଡ଼, ଜଟଣୀ ଲୋକୋ କଲୋନିର ଧନଞ୍ଜୟ ମଲ୍ଲିକ, ଚନ୍ଦକା ପାଇକାରପୁରର ସୁ ବୋଧ ମହାରଣା, ନୟାଗଡ଼ର ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ପୁରୁଣା ଭୁବନେଶ୍ବର ହାଟସାହିର ବୁବୁ ମହାରଣା। ସେମାନଙ୍କ ନିକଟରୁ ନଗଦ ୨୧ ହଜାର ଟଙ୍କା, ୩ ମୋବାଇଲ୍, ୨ କାର୍ଡ ବୋର୍ଡ, ୨ ୟୁପିଆଇ ସ୍କାନର୍ ଜବତ କରାଯାଇଛି। କ୍ୟାପିଟାଲ୍ ଥାନା ପଛପଟେ ଦୀର୍ଘ ଦିନ ହେଲା ଚାଲୁଥିବା ଏହି ଜୁଆ ଆଡ଼ା ଆଜି ପୁଲିସ ନଜରକୁ ଆସିବା ଘଟଣାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୧ ନମ୍ବର ହାଟ ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ଥାନା ପଛପଟେ ଖୋଲାଖୋଲି ଭାବେ ଏହି ଜୁଆ ଆଡ଼ା କିଭଳି ଚାଲୁଥିଲା ବୋଲି ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଛି। ପୁଲିସ ଆଖିରେ ପଡ଼ୁ ନଥିଲା କି ଜାଣିଶୁଣି ପୁଲିସ ସବୁ ଦେଖି ନ ଦେଖିବାର ଅଭିନୟ କରୁଥିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
କେମିତି ହେଲା ପର୍ଦ୍ଦାଫାସ୍
ନିତିଦିନିଆ ଜୁଆଡ଼ିମାନେ ହାରିଲେ କି ଜିତିଲେ, କିଛି ଫରକ୍ ପଡ଼ୁ ନଥିଲା। ଅନେକ ବ୍ୟବସାୟୀ ବିପୁଳ କ୍ଷତିର ସମ୍ମୁଖୀନ ହୋଇଥିଲେ ମଧ୍ୟ ପୁଲିସରେ ଅଭିଯୋଗ କରି ନଥିଲେ। ନିକଟରେ ହାଟକୁ ଆସିଥିବା ଜଣେ ବ୍ୟକ୍ତି ହଠାତ୍ ଜୁଆ ଖେଳ ହେଉଥିବା ଜାଣି ସେଠାକୁ ଯାଇଥିଲେ। ଖେଳୁ ଖେଳୁ ସେ ଲକ୍ଷାଧିକ ଟଙ୍କା ହରାଇଥିଲେ। ସେ ଦେଖିଲେ ଯେ ଆଡ଼ା ପରିଚାଳକମାନେ ବଡ଼ ଚତୁରତାର ସହ ଠକୁଛନ୍ତି। ସବୁବେଳେ କମ୍ ଟଙ୍କା ଲାଗିଥିବା ନମ୍ବର ବୋର୍ଡରେ ଉଠୁଛି। ତେଣୁ ତାଙ୍କର ସନ୍ଦେହ ହୋଇଥିଲା ଏବଂ ସେ ଆଡ଼ା ଚାଳକଙ୍କୁ ବିରୋଧ କରିଥିଲେ। କିନ୍ତୁ ତାଙ୍କ କଥାକୁ ଆଡ଼ା ଚାଳକମାନେ କର୍ଣ୍ଣପାତ କରି ନଥିଲେ। ତେଣୁ ସେ କ୍ୟାପିଟାଲ୍ ଥାନାର ଦ୍ବାରସ୍ଥ ହୋଇଥିଲେ। ଘଟଣାକୁ ନେଇ ସେ ଗଣମାଧ୍ୟମକୁ ଜଣାଇବେ ବୋଲି କହିବା ପରେ ପୁଲିସ ତତ୍ପର ହୋଇଉଠିଥିଲା।
ଏମିତିକି ବହୁ ଲୋକେ ପୁଲିସ ଉପରକୁ ଅଙ୍ଗୁଳି ଉଠାଇଛନ୍ତି। ଗିରଫ ୫ଜଣଙ୍କ ପଛରେ କିଛି ବଡ଼ବଡ଼ିଆଙ୍କ ହାତ ରହିଛି ବୋଲି ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି। ଏହି ଜୁଆ ଖେଳର ତରିକା ଥିଲା ନୂଆ। କାର୍ଡ ବୋର୍ଡରେ ଲେଖା ଥିବା କିଛି ନମ୍ବର ଉପରେ ଲୋକେ ଟଙ୍କା ଲଗାଉଥିଲେ। କିଛି ଜୁଆଡ଼ି ସିଧାସଳଖ ଟଙ୍କା ଲଗାଉଥିଲେ ତ ଆଉ କିଛି ୟୁପିଆଇ ସ୍କାନର୍ ଜରିଆରେ ଅନ୍ଲାଇନ୍ ଟଙ୍କା ଲଗାଉଥିଲେ। ବୋର୍ଡରେ ଯେଉଁ ନମ୍ବର ଉଠୁଥିଲା, ସେଥିରେ ଟଙ୍କା ଲଗାଇଥିବା ଲୋକଙ୍କୁ ୨ ଗୁଣା ଫେରସ୍ତ ମିଳୁଥିଲା। ବାକି ନମ୍ବରରେ ଲାଗିଥିବା ଟଙ୍କା ଆଡ଼ା ପରିଚାଳକଙ୍କ ପକେଟ୍କୁ ଯାଉଥିଲା। ହାଟରେ କାମ କରୁଥିବା କିଛି ଶ୍ରମିକ, ହାଟରେ ଗାଡ଼ି ଲଗାଇଥିବା ଗାଡ଼ି ମାଲିକ, ଚାଳକ ଓ କିଛି ବ୍ୟବସାୟୀ ଏଠାରେ ନିତିଦିନ ଖେଳୁଥିଲେ। ଏମିତିକି କିଛି ସରକାରୀ କର୍ମଚାରୀ ମଧ୍ୟ ଏହି ଆଡ଼ାର ନିୟମିତ ଗ୍ରାହକ ଥିବା ଜଣାପଡ଼ିଛି। ସେହିଭଳି ହାଟକୁ ଆସୁଥିବା କିଛି ଗ୍ରାହକ ମଧ୍ୟ ଜୁଆ ପାଲିରେ ଟଙ୍କା ଲଗାଉଥିଲେ। ଦୈନିକ ଲକ୍ଷଲକ୍ଷ ଟଙ୍କାର ଖେଳ ହେଉଥିଲା। ଜଣେ ଜୁଆଡ଼ିଙ୍କ କହିବା କଥା, ଆଡ଼ା ଚଳାଉଥିବା ବ୍ୟକ୍ତିମାନେ ବଡ଼ କାଇଦାରେ ଯୋଜନାବଦ୍ଧ ଭାବେ ଠକେଇ କରୁଥିଲେ। ଯେଉଁ ନମ୍ବରରେ ଅଧିକ ଟଙ୍କା ଲାଗୁଥିଲା, ତାହା କେବେ ଉଠୁ ନଥିଲା। କମ୍ ଟଙ୍କା ଲାଗିଥିବା ନମ୍ବର ଉଠୁଥିଲା। ଫଳରେ ଆଡ଼ା ଚାଳକମାନେ ସବୁବେଳେ ଫାଇଦାରେ ରହୁଥିଲେ।