ପେଣ୍ଟାଗନ୍ ବାର୍‌ରୁ ଜୁଆ ଆଡ଼ା ଧରାପଡ଼ିବା ଘଟଣା: ଚଢ଼ଉ ବେଳେ ପୁଲିସକୁ ଧକ୍କା ମାରି ଖସିବାକୁ ଉଦ୍ୟମ କରିଥିଲେ

ଭୁବନେଶ୍ବର : କଟକ ରୋଡର ପେଣ୍ଟାଗନ୍ ବାରରେ ଚାଲିଥିବା ହାଇପ୍ରୋଫାଇଲ ଜୁଆ ଆଡ଼ା ଉପରେ ଚଢ଼ଉ ସମୟରେ ପୁଲିସକୁ ଆକ୍ରମଣ କରାଯାଇଥିଲା। ଅଭିଯୁକ୍ତମାନେ ପୁଲିସର ଅତର୍କିତ ଚଢ଼ଉକୁ ଦେଖି ହଡ଼ବଡ଼େଇ ଯାଇ ଫେରାର ହେବାକୁ ଚେଷ୍ଟା କରିଥିଲେ। ଏହି ଜୁଆ ଆଡ଼ାରେ ପ୍ରତିଷ୍ଠିତ ବ୍ୟବସାୟୀ, ରାଜନେତାଙ୍କ ପୁଅ ଥିବାରୁ ଲୋକଲଜ୍ଜା ଭୟରେ ଖସି ଯିବାକୁ ଉଦ୍ୟମ କରିବା ସମୟରେ ପୁଲିସ ସହ ମୁହାଁମୁହିଁ ହୋଇଥିଲେ। ସେ ପୁଲିସକୁ ଠେଲାପେଲା କରିବା ସହ ମାଡ଼ ମଧ୍ୟ ମାରିଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଅଭିଯୋଗ ଆଧାରରେ ମାମଲା ମଧ୍ୟ ରୁଜୁ ହୋଇଛି। ଆଇପିସି ଦଫା-୩୪୧, ୧୮୬, ୩୫୩, ୩୫୪, ୩୩୨, ୨୬୯, ୨୭୦, ୩୪ ଏବଂ ଓଡ଼ିଶା ଜୁଆ ଖେଳ ନିରୋଧ ଆଇନର ଧାରା-୩, ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନର ଧାରା-୯୬ ଏବଂ ମହାମାରୀ ଆଇନର ଧାରା-୩ ଅନୁସାରେ ମାମଲା ରୁଜୁ କରିଛି ପୁଲିସ।

ସୂଚନାଯୋଗ୍ୟ, ଏହି ଜୁଆ ଆଡ଼ାରୁ ପେଣ୍ଟାଗନ୍ ହୋଟେଲ ମାଲିକ ଅରବିନ୍ଦ ମିଶ୍ର, ମଦ ବ୍ୟବସାୟୀ ପ୍ରଭଞ୍ଜନ ମହାନ୍ତି ଓରଫ୍ ପିଣ୍ଟୁ, ବସ୍ତ୍ରାଳୟ ମାଲିକ ତଥା ବାଲିପାଟଣା ଅଞ୍ଚଳର ଜଣେ ରାଜନେତାଙ୍କ ପୁଅ ବିଭୁଦତ୍ତ ପାତ୍ର, ୩ୟ ଯୁବତୀଙ୍କ ସମେତ ୧୩ ଜଣ ଗିରଫ ହୋଇଥିଲେ। ନଗଦ ୨ ଲକ୍ଷ ୫୩ ହଜାର ଟଙ୍କା, ୧୮ ମୋବାଇଲ ଫୋନ୍, ଜବତ ହୋଇଥିଲା।

ସମ୍ବନ୍ଧିତ ଖବର