ନର୍ସିଂ ଛାତ୍ରଛାତ୍ରୀଙ୍କ କ୍ୟାରିୟର୍ ସହ ଖେଳ

ଭୁବନେଶ୍ବର: ସ୍ବାସ୍ଥ୍ୟ ବିଭାଗ ଅଧୀନସ୍ଥ ନର୍ସିଂ ନିର୍ଦ୍ଦେଶାଳୟ ପକ୍ଷରୁ ବିଏସ୍‌ସି ନର୍ସିଂ ପାଇଁ କାଉନ୍‌ସେଲିଂ କରାଗଲା। ଛାତ୍ରଛାତ୍ରୀ ଭାଗ ନେଲେ ଓ ଅନୁବନ୍ଧିତ କଲେଜରେ ନାମ ଲେଖାଇଲେ। ଆବଶ୍ୟକ ପ୍ରକ୍ରିୟାରେ ପରୀକ୍ଷା ଦେଲେ ଓ କୃତକାର୍ଯ୍ୟ ହେଲେ। କିନ୍ତୁ ନିଜ ପରିଶ୍ରମ ଓ ସଫଳତାକୁ ସେମାନେ କ୍ୟାରିୟର୍‌ରେ ଲଗାଇପାରୁ ନାହାନ୍ତି। କାରଣ ବିଭିନ୍ନ ଆଳ ଦେଖାଇ ଓଡ଼ିଶା ନର୍ସେସ୍ ଓ ମିଡ୍‌ୱାଇଭ୍‌ସ୍ କାଉନ୍‌ସିଲ୍(ଓଏନ୍‌ଏମ୍‌ସି) ସେମାନଙ୍କୁ ପଞ୍ଜୀକରଣ ନମ୍ବର ଦେଉ ନାହିଁ। ନମ୍ବର ନ ଥିବାରୁ ସେମାନଙ୍କ ପାଇଁ ନର୍ସିଂ ଡିଗ୍ରି ବି ମୂଲ୍ୟହୀନ ହୋଇପଡ଼ିଛି। ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ନୀଳାଚଳ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍‌ ସାଇନ୍‌ସେସ୍‌ରେ ୨୦୧୩-୧୪ରେ ବିଏସ୍‌ସି ନର୍ସିଂରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନେ ଚଳିତ ବର୍ଷ ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନରେ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଛନ୍ତି। ଏହି ଛାତ୍ରଛାତ୍ରୀମାନେ ସରକାରୀ କାଉନ୍‌ସେଲିଂ ପ୍ରକ୍ରିୟାରେ ଭାଗ ନେଇ ଏହି ଅନୁଷ୍ଠାନରେ ନାମ ଲେଖାଇଥି‌େଲ। ଛାତ୍ରଛାତ୍ରୀମାନେ ବିଶ୍ବବିଦ୍ୟାଳୟରୁ ପ୍ରୋଭିଜ୍‌ନାଲ୍ ସାର୍ଟିଫିକେଟ୍ ପାଇଥିଲେ ମଧ୍ୟ ସେଥିରେ ବିଶ୍ବବିଦ୍ୟାଳୟର ପଞ୍ଜୀକରଣ ନମ୍ବର ନ ଥିଲା। ପ୍ରାୟ ୩୭ ଜଣ ଛାତ୍ରଛାତ୍ରୀଙ୍କ ପ୍ରୋଭିଜ୍‌ନାଲ୍ ସାର୍ଟିଫିକେଟ୍‌କୁ କଲେଜ କର୍ତ୍ତୃପକ୍ଷ ଓଏନ୍‌ଏମ୍‌ସିକୁ ପଠାଇଲେ ପଞ୍ଜୀକରଣ ନମ୍ବର ପାଇଁ। କାରଣ ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ନର୍ସିଂ ପାସ୍ କରୁଥିବା ଛାତ୍ରଛାତ୍ରୀ ଓଏନ୍‌ଏମ୍‌ସି ପଞ୍ଜୀକରଣ ନମ୍ବର ପାଇଲେ ହିଁ ଏହି ବୃତ୍ତିରେ କାର୍ଯ୍ୟ କରିବାକୁ ଯୋଗ୍ୟ ବିବେଚିତ ହେବେ। କିନ୍ତୁ ପ୍ରୋଭିଜ୍‌ନାଲ୍ ସାର୍ଟିଫିକେଟ୍‌ରେ ବିଶ୍ବବିଦ୍ୟାଳୟ ପଞ୍ଜୀକରଣ ନମ୍ବର ନ ଥିବାରୁ ଓଏନ୍‌ଏମ୍‌ସି ରେଜିଷ୍ଟ୍ରାର୍ ତାହାକୁ ଗ୍ରହଣ କଲେ ନାହିଁ।

ମିଳୁନି ପଞ୍ଜୀକରଣ ନମ୍ବର, ଗୋଟିଏ ବର୍ଷ ବରବାଦ ଆଶଙ୍କା
ବିଶ୍ବବିଦ୍ୟାଳୟକୁ ଦୋଷ ଠେଲୁଛି ଓଏନ୍‌ଏମ୍‌ସି

ପରବର୍ତ୍ତୀ ସମୟରେ ବିଶ୍ବବିଦ୍ୟାଳୟର ପଞ୍ଜୀକରଣ ନମ୍ବର ମିଳିଥିଲା। କଲେଜ କର୍ତ୍ତୃପକ୍ଷ ତାହାକୁ ଓଏନ୍‌ଏମ୍‌ସିକୁ ପଠାଇଲେ। କିନ୍ତୁ ଓଏନ୍‌ଏମ୍‌ସି ରେଜିଷ୍ଟ୍ରାର୍ ତାହାକୁ ଗ୍ରହଣ ନ କରି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟୀକରଣ ମାଗିଲେ। ତେବେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଚିଠିର କୌଣସି ଉତ୍ତର ଦେଲେ ନାହିଁ। ‌େଯହେତୁ ବିଶ୍ବବିଦ୍ୟାଳୟ ପକ୍ଷରୁ ପଞ୍ଜୀକରଣ ନମ୍ବର ଦିଆସରିଛି, ତେଣୁ ‌େସମାନେ ଓଏନ୍‌ଏମ୍‌ସି ଚିଠିକୁ ଗୁରୁତ୍ବ ଦେଲେ ନାହିଁ। ପଞ୍ଜୀକରଣ ନମ୍ବର ମିଳିବା ବିଳମ୍ବ ହେଉଥିବାରୁ ଛାତ୍ରଛାତ୍ରୀମାନେ ଓଏନ୍‌ଏମ୍‌ସି ରେଜିଷ୍ଟ୍ରାର୍‌ଙ୍କୁ ଭେଟି ପଞ୍ଜୀକରଣ ନମ୍ବର ପାଇଁ ଦାବି କଲେ। ନୀଳାଚଳ ଇନ୍‌ଷ୍ଟିଚ୍ୟୁଟ୍ କର୍ତ୍ତୃପକ୍ଷ ବିଶ୍ବବିଦ୍ୟାଳୟ ପଞ୍ଜୀକରଣ ନମ୍ବର ନେଇ ଏକ ସତ୍ୟପାଠ ଦାଖଲ କରିବାକୁ ରେଜିଷ୍ଟ୍ରାର୍ କହିଲେ। ସେହି ଅନୁଯାୟୀ କଲେଜ ପକ୍ଷରୁ ଗତ ମାସ ୨୦ ତାରିଖରେ ସତ୍ୟପାଠ ବି ଦାଖଲ କରାଗଲା। ତାହା ପରେ ୧୫ ଦିନ ହେଲା ଛାତ୍ରଛାତ୍ରୀମାନେ ଦୌଡ଼ୁଛନ୍ତି। କିନ୍ତୁ ପଞ୍ଜୀକରଣ ନମ୍ବର ମିଳୁ ନାହିଁ।

ନିୟମ ଅନୁଯାୟୀ ଛାତ୍ରଛାତ୍ରୀମାନେ ଏମ୍‌ଏସ୍‌ସି ନର୍ସିଂରେ ନାମ ଲେଖାଇବା ପାଇଁ ‌ଓଏନ୍‌ଏମ୍‌ସି ପଞ୍ଜୀକରଣ ନମ୍ବର ପାଇଲା ପରେ ଏକ ବର୍ଷ ନର୍ସିଂ ବୃତ୍ତିରେ କାର୍ଯ୍ୟ କରିବାର ଅଭିଜ୍ଞତା ଥିବା ଦରକାର। କିନ୍ତୁ ଓଏନ୍‌ଏମ୍‌ସି ପଞ୍ଜୀକରଣ ନମ୍ବର ପାଇ ନ ଥିବାରୁ ଏହି ୩୭ ଜଣ ଛାତ୍ରଛାତ୍ରୀ ୨୦୧୯-୨୦ ଶିକ୍ଷା ବର୍ଷରେ ଏମ୍‌ଏସ୍‌ସି ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ। କାରଣ ଏକ ବର୍ଷର ଅଭିଜ୍ଞତା ପାଇଁ ସେମାନେ ସମୟ ପାଇ ନାହାନ୍ତି। ପରୀକ୍ଷାରେ କୃତକାର୍ଯ୍ୟ ହେବାର ପାଖାପାଖି ୪ ମାସ ହୋଇଥିଲେ ବି ସେମାନେ ପଞ୍ଜୀକରଣ ନମ୍ବର ପାଉ ନାହାନ୍ତି। ନର୍ସିଂ ଛାତ୍ରଛାତ୍ରୀଙ୍କ କ୍ୟାରିୟର୍‌ ଗଢ଼ିବାକୁ ଦାୟିତ୍ବ ନେଇଥିବା ଓଏନ୍‌ଏମ୍‌ସି ପିଲାଙ୍କ ଭବିଷ୍ୟତ ସହ ଖେଳୁଥିବାରୁ ଅଭିଭାବକମାନେ ହତାଶ ହୋଇପଡ଼ିଲେଣି। ଏ ନେଇ ଓଏନ୍‌ଏମ୍‌ସି ରେଜିଷ୍ଟ୍ରା‌ର୍‌ଙ୍କ ମତାମତ ପାଇଁ ଉଦ୍ୟମ କରାଯାଇଥିଲେ ବି ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ନ ଥିଲା।

ସମ୍ବନ୍ଧିତ ଖବର