ସବ୍ୟସାଚୀ ମହାପାତ୍ରଙ୍କୁ ଗଣକବି ସମ୍ମାନ
ଭୁବନେଶ୍ୱର : ଗଣକବି ବୈଷ୍ଣବ ପାଣିଙ୍କ ରଚନାରେ ଗଣ ଜୀବନର ଭାଷା, ସୁଖ, ଦୁଃଖ, ପଲ୍ଲୀପ୍ରାଣତା ଭରି ରହିଥିଲା। ଓଡ଼ିଆ ଯାତ୍ରା ଓ ଗୀତାଭିନୟ କ୍ଷେତ୍ରରେ ସେ ଅନେକ ନାଟକ ରଚନା କରିଛନ୍ତି। ଜାତିଭେଦ ପରି ସାମାଜିକ କୁସଂସ୍କାର, ଇଂରେଜଙ୍କ ଅତ୍ୟାଚାର, ନିଶା ନିବାରଣ ଆଦି ନେଇ ସେ ଲେଖନୀ ଚାଳନା କରିଛନ୍ତି। ବୈଷ୍ଣବ ପାଣି ଜଣେ ସଫଳ ଗୀତିକବି, ସ୍ୱତଃସ୍ପୃର୍ତ ତାଙ୍କର କବିତ୍ୱ। ବାସ୍ତବରେ ଗଣକବିଙ୍କ ରଚନାରେ ସମାଜ ସଂସ୍କାରର ବାର୍ତା ଭରି ରହିଥିଲା।
ଗଣକବି ବୈଷ୍ଣବ ପାଣି ସାଂସ୍କୃତିକ ସଂସଦ ପକ୍ଷରୁ ଜୟଦେବ ଭବନଠାରେ ଅନୁଷ୍ଠିତ ଗଣକବିଙ୍କ ୧୩୫ ତମ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଏପରି ମତ ପ୍ରକାଶ ପାଇଛି। ସମାରୋହରେ ମୁଖ୍ୟଅତିଥିଭାବେ ସଂସ୍କୃତି ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଧାୟକ ବିଜୟ କୁମାର ମହାନ୍ତି, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଯୋଗ ଦେଇଥିଲେ।
ସଂସଦର ସଭାପତି ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ସମାରୋହରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କୁ ଗଣକବି ସମ୍ମାନ ପ୍ରଦାନ କରାଯାଇଥିଲ।
କାର୍ଯ୍ୟକ୍ରମ ଆରମ୍ଭରେ ନୃତ୍ୟାଶାଳା ଅନୁଷ୍ଠାନର ମୁଖ୍ୟ ଅଶୋକ ଘୋଷାଲ ଓ ସାଥୀ ଓଡ଼ିଶୀ ନୃତ୍ୟ ନାଟିକା ପରିବେଷଣ କରିଥିଲେ। ସଭା ଶେଷରେ ଜଳେଶ୍ୱରପୁର, ମାହାଙ୍ଗାର କଳାକାରବୃନ୍ଦ ଗଣକବିଙ୍କ ରଚିତ ଗୀତିନାଟ୍ୟ ଦର୍ଶକଙ୍କୁ ଭେଟି ଦେଇଥିଲେ। ସଂସଦର ସଂଯୋଜକ ଅବନୀଚନ୍ଦ୍ର ଦାସ ସ୍ୱାଗତ ଭାଷଣ ଦେଇଥିଲେ। ସମ୍ପାଦକ ଦେବ ଜେନା ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ। ଶାଶ୍ୱତୀ ସାଂସ୍କୃତିକ କେନ୍ଦ୍ରର ଶିଳ୍ପୀଗଣ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ଯୁଗ୍ମ ସମ୍ପାଦକ ରଜନୀକାନ୍ତ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/ganakabi.jpg)