ଭୁବନେଶ୍ବର : ଜଗନ୍ନାଥ କେବଳ ଓଡ଼ିଆଙ୍କର ନୁହନ୍ତି, ସେ ସମଗ୍ର ବିଶ୍ବର ଦେବତା। ଜଗନ୍ନାଥଙ୍କ ଧାମକୁ ବିଶ୍ବର କୋଣଅନୁକୋଣରୁ ବହୁ ମହାପୁରୁଷଙ୍କ ଆଗମନ ଘଟିଛି। ଓଡ଼ିଆ ସଂସ୍କୃତି ‘ବସୁ‌‌‌‌‌‌‌ଧୈବ କୁଟୁମ୍ବକମ୍‌’ ନୀତିରେ ବିଶ୍ବାସ ରଖିଥାଏ।  ଜଗନ୍ନାଥଙ୍କ ଦେଶରେ ଜନ୍ମ ନେଇଥିବା ଗଣକବି ବୈଷ୍ଣବ ପାଣି ଜଣେ ମହାନ୍‌ ଚିନ୍ତାନାୟକ ଥିଲେ। ତାଙ୍କ ଗୀତିନାଟ୍ୟରେ ପ୍ରଚଳିତ ସମାଜ ବ୍ୟବସ୍ଥାକୁ ବିରୋଧ କରିବାର ସ୍ବର ଥା‌ଏ। ସେ ଗୀତିନାଟ୍ୟ ଜରିଆରେ ସାଧାରଣ ଲୋକଙ୍କର କେବଳ ମନୋରଂଜନ କରୁ ନଥିଲେ ବରଂ ଇଂରେଜ ଶାସନ ବିରୋଧରେ ନିଜର ସ୍ବରକୁ ଶାଣିତ କରିପାରିଥିଲେ ବୋଲି ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ କହିଥିଲେ। ଆଜି ଜୟଦେବ ଭବନ ପରିସରରେ ଗଣକବି ବୈଷ୍ଣବ ପାଣିଙ୍କ ୧୩୬ତମ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଓଡ଼ିଶାକୁ ପବିତ୍ର ତୀର୍ଥଭୂମି ଭାବେ ବର୍ଣ୍ଣନା କରିଥିଲେ।

Advertisment

ଆଜିର କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଭୁବନେଶ୍ବର ମହାନଗର ନିଗମର ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଯୋଗଦେଇ ଜୀବଦଶାରେ ଗଣକବିଙ୍କ ପ୍ରତି ଯେଉଁଭଳି ସମ୍ମାନ ପ୍ରଦର୍ଶନ କରାଯିବା କଥା ତାହା କରାଯାଇ ପାରି ନାହିଁ ବୋଲି କହିଥିଲେ। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି ଗଣକବି ବୈଷ୍ଣବ ପାଣି ମନୋରଂଜନ ଜରିଆରେ ସମାଜ ସଂସ୍କାରର ବାର୍ତ୍ତା ପ୍ରଚାର କରୁଥିଲେ ବୋଲି କହିଥିଲେ।

ଏହି ଅବସରରେ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କୁ ‘ଗଣକବି ସମ୍ମାନ-୨୦୧୮’ପ୍ରଦାନ କରାଯାଇଥିଲା।  ସଭା ଆରମ୍ଭ‌ରେ ଶାଶ୍ବତୀ ସାଂସ୍କୃତିକ କେନ୍ଦ୍ରର କଣ୍ଠଶିଳ୍ପୀବୃନ୍ଦ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିବା ବେ‌ଳେ ଗଣକବି ବୈଷ୍ଣବ ପାଣି ଜୟନ୍ତୀ ଅନୁଷ୍ଠାନର ରାଜ୍ୟ ସଂଯୋଜକ ଅବନୀ ଚନ୍ଦ୍ର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନୁଷ୍ଠାନର ସଂପାଦକ ଦେବ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ଶିଳ୍ପୀ ଅଶୋକ ଘୋଷାଲ୍‌ ଓ ସାଥୀଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟନାଟିକା ପରିବେଷଣ କରାଯାଇଥିଲା। ଶେଷରେ ମାହାଙ୍ଗା ବିନୋଦ ବିହାରୀ କଳା ପରିଷଦ ପକ୍ଷରୁ ଗଣକବିଙ୍କ ରଚିତ ଗୀତିନାଟ୍ୟ ‘ବାଣା ପରାଜୟ’ ପରିବେଷଣ କରାଯାଇଥିଲା।