ଭୁବନେଶ୍ୱର: ଓଡ଼ିଆ ଭାଷା ଓ ସାହିତ୍ୟକୁ ରସସିକ୍ତ ଓ ରୁଦ୍ଧିମନ୍ତ କରିଥିବା ଉନ୍ନବିଂଶ ଶତାବ୍ଦୀର ବିଶିଷ୍ଟ କବି ଓ ନାଟ୍ୟକାରମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ ସ୍ବର୍ଗତ ବୈଷ୍ଣବ ପାଣି। ତାଙ୍କ ବଳିଷ୍ଠ ଚେତନା ଉଦ୍ରେକକାରୀ ରଚନା ପାଇଁ ତାଙ୍କୁ ଗଣକବି ଆଖ୍ୟା ମିଳିଥିଲା। କିନ୍ତୁ ବିଡ଼ମ୍ବନା ଏହି ପ୍ରଥିତଯଶା ନାଟ୍ୟକାରଙ୍କ ଜୀବନ ଥିଲା ଏକ ନାଟକ। ତାଙ୍କ ଅନ୍ତିମ ଜୀବନକାଳ ଥିଲା ବଡ଼ ଦୟନୀୟ। ନିଃସଙ୍ଗ ଓ ରୋଗଗ୍ରସ୍ତ ଅବସ୍ଥାରେ ସେ ବଡ଼ କଷ୍ଟରେ ଇହତ୍ୟାଗ କରିଥିଲେ। ଆଜି ରବୀନ୍ଦ୍ରମଣ୍ଡପରେ ମଞ୍ଚସ୍ଥ ନାଟକ ‘ଗଣକବି ବୈଷ୍ଣବ ପାଣି’ର ଏସବୁ ଘଟଣାବଳୀର ଚିତ୍ର ଦର୍ଶକମାନଙ୍କ ଆଖିକୁ ଭିଜାଇଦେଇଥିଲା।
ବୈଷ୍ଣବ ପାଣି ବାଲ୍ୟକାଳରେ ଗାଁ ମଠରେ ହେଉଥିବା ନାଚ, ଗୀତ, ଯାତ୍ରା ଆଦିକୁ ନିଖୁଣ ଭାବେ ଅନୁସରଣ କରି ପରିବେଷଣ କରୁଥିଲେ। ପରେ ଯୁବାବସ୍ଥାରେ ସେ ଗାଁ ଗାଁ ବୁଲି ପାଲା ପରିବେଷଣ କରି ଲୋକପ୍ରିୟ ହୋଇପାରିଥିଲେ। ନିଜ ରଚନା ଗାନ କରି ପାଲା ଗାୟକରୁ ସେ ଜଣେ ଦକ୍ଷ କବି ଓ ନାଟ୍ୟକାର ହୋଇପାରିଥିଲେ। ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିବା ବେଳେ ଅଚାନକ ତାଙ୍କ ଜୀବନର ଗତିପଥ ବଦଳିଯାଏ। ରଜକ ଯୁବତୀ ହରପ୍ରିୟାର ସୌନ୍ଦର୍ଯ୍ୟରେ ବିମୋହିତ ବୈଷ୍ଣବ ତାଙ୍କୁ ପ୍ରେମ କରି ବସନ୍ତି। ତତ୍କାଳୀନ ସମାଜର କଠୋର ଜାତିପ୍ରଥା ତାଙ୍କର ଏହି ଅଜାତି ବିବାହକୁ ଗ୍ରହଣ କରେନାହିଁ। ଫଳରେ ବୈଷ୍ଣବ ବାସନ୍ଦ ହୁଅନ୍ତି ସମାଜରୁ। ଘରଦ୍ବାର ଛାଡ଼ି ବିରୂପା ନଦୀ କୂଳରେ ଏକ କୁଡ଼ିଆ କରି ହରପ୍ରିୟା ସହ ରହନ୍ତି।
ତଥାପି ଦୁଃଖ ତାଙ୍କ ପିଛା ଛାଡ଼େନାହିଁ। ହରପ୍ରିୟା ଏକ ବ୍ୟାଧିରେ ଇହତ୍ୟାଗ କଲା ପରେ ସେ ବି ବାତ ରୋଗରେ ପୀଡ଼ିତ ହୁଅନ୍ତି। ଶେଷରେ ଚଳିବା ପାଇଁ ନିଜ ଘରକୁ ବିକ୍ରି କରିଦିଅନ୍ତି। ପରେ ଚୋରମାନେ ତାଙ୍କ ଟଙ୍କା ପଇସା ଚୋରି କରି ତାଙ୍କୁ ବେସାହାରା କରିଦେଇଥିଲେ। ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଓଡ଼ିଶାର ବରପୁତ୍ରମାନଙ୍କ ଜୀବନୀ ଉପରେ ଆଧାରିତ ନାଟକ ଉତ୍ସବରେ ଆଜି ଶତାବ୍ଦୀର କଳାକାର ପକ୍ଷରୁ ନାଟକ ‘ଗଣକବି ବୈଷ୍ଣବ ପାଣି’ ମଞ୍ଚସ୍ଥ ହୋଇଥିଲା। ନାଟ୍ୟକାର ରଞ୍ଜିତ ପଟ୍ଟନାୟକଙ୍କ ରଚିତ ଓ ନିର୍ଦ୍ଦେଶକ ଧୀରେନ୍ଦ୍ର ନାଥ ମଲ୍ଲିକଙ୍କ ନିର୍ଦ୍ଦେଶିତ ଏହି ନାଟକ ଦର୍ଶକଙ୍କୁ କନ୍ଦେଇଥିଲା। ଏହି ନାଟକ ଉତ୍ସବର ତୃତୀୟ ସନ୍ଧ୍ୟାରେ ଅତିଥି ଭାବେ ମନ୍ତ୍ରୀ ପ୍ରତାପ ଜେନା, ଚଳଚ୍ଚିତ୍ର ଅଭିନେତା କୁନା ତ୍ରିପାଠୀ, ଓଡ଼ିଶା ସଂଗୀତ ନାଟକ ଏକାଡେମିର ସଚିବ ପ୍ରବୋଧ ରଥ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/61-2.jpg)