ଖଣ୍ଡଗିରି: ଗତ ମାସ ୨୭ ତାରିଖ ଦିନ ଅପରାହ୍ଣରେ ଗଣ୍ଡମୁଣ୍ଡା ଛକରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଭୁଜାଲିରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଏହି ମାମଲାରେ ଖଣ୍ଡଗିରି ଥାନା ପୁଲିସ ଗଣ୍ଡମୁଣ୍ଡାର ଦୁର୍ଦ୍ଦାନ୍ତ ଚିତ୍ତରଞ୍ଜ ରଣସିଂହ ଓରଫ କାଳିଆ(୩୭)କୁ ଗିରଫ କରିଛି। କାଳିଆ ହିଁ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସ ଦର୍ଶାଇଛି। ଏବେ ବି କାଳିଆର ୨ ସହଯୋଗୀ ଫେରାର ଅଛନ୍ତି। ଘଟଣା ଦିନ କାଳିଆ, ତା’ର ସହଯୋଗୀମାନଙ୍କୁ ଧରି ଗଣ୍ଡମୁଣ୍ଡା ଛକରେ ଉତ୍ପାତ କରୁଥିଲା। ଯିଏ ତା ସାମ୍ନାରେ ପଡ଼ୁଥିଲା, ତାକୁ କାଳିଆ ଗାଳିମନ୍ଦ କରୁଥିଲା। ଏତିକିବେଳେ ସେମାନଙ୍କ ହାବୁଡ଼ରେ କୁଲୁ ସ୍ବାଇଁ ପଡ଼ିଯାଇଥିଲେ।
କାଳିଆ ଗୋଷ୍ଠୀ କୁଲୁଙ୍କୁ ଅଟକାଇ ଗାଳିମନ୍ଦ କରିବାରୁ ସେ ପ୍ରତିବାଦ କରିଥିଲେ। କାଳିଆ ଡରରେ କେହି ମୁହଁ ଖୋଲି ନଥିବା ବେଳେ କୁଲୁ ଜୋର୍ଦାର ପ୍ରତିବାଦ କରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ କାଳିଆ ଓ ତା’ର ସହଯୋଗୀମାନେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଭୁଜାଲି ଚୋଟରେ କୁଲୁ ଗୁରୁତର ହୋଇ ତଳେ ପଡ଼ିଯିବା ପରେ ଅନ୍ୟ ଜଣେ ଭଙ୍ଗା ବୋତଲରେ ଭୁସି ପକାଇଥିଲା। ଏତିକିବେଳେ ଜଣେ ମହିଳା ପାଟି କରି ପାଖପଡ଼ୋଶୀଙ୍କୁ ଡାକ ପକାଇଥିଲେ। ଦୁର୍ବୃତ୍ତମାନେ କୁଲୁଙ୍କୁ ଛାଡ଼ି ମହିଳାଙ୍କୁ ଆକ୍ରମଣ କରିଥିଲେ ଏବଂ ପରେ ପଳାଇଥିଲେ। ଘଟଣା ପରଠୁ କାଳିଆ ଫେରାର ହୋଇଯାଇଥିଲା। ଗତକାଲି ସେ ଘରକୁ ଆସିଥିବା ଖବର ପାଇ ବିଳମ୍ବିତ ରାତିରେ ପୁଲିସ ଚଢ଼ଉ କରିଥିଲା। କାଳିଆ ନାଁରେ ପୂର୍ବରୁ ୪ଟି ମାମଲା ରହିଛି।