ସାଇ ଇଣ୍ଟରନ୍ୟାସନାଲ ଆବାସିକ ବିଦ୍ୟାଳ
ସାଇ ଇଣ୍ଟରନ୍ୟାସନାଲ ଆବାସିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି। କରୋନା ମହାମାରୀ ମଧ୍ୟରେ ଚଳିତବର୍ଷ ସ୍କୁଲର ସମସ୍ତ ଉତ୍ସବ ଭର୍ଚୁଆଲ୍ରେ ପାଳିତ ହୋଇଛି। ସେହି ଅନୁଯାୟୀ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଶିକ୍ଷକ ଓ ଛାତ୍ରଛାତ୍ରୀ ଯୋଗଦେଇ ଗାନ୍ଧୀଜୀଙ୍କୁ ଭାରତୀୟ ସ୍ବାଧୀନତା ଆନ୍ଦୋଳନର ଜଣେ ଅଗ୍ରଣୀ ନେତା ତଥା ଅହିଂସା ଦର୍ଶନ ଓ ରଣନୀତିର ଅଗ୍ରଦୂତ ଭାବେ ବର୍ଣ୍ଣନା କରିଥିଲେ। ସ୍କୁଲର ପ୍ରତିଷ୍ଠାତା ବିଜୟ ସାହୁ କହିଲେ, ଶିକ୍ଷା ହେଉଛି ଜଣଙ୍କର ଶରୀର, ମନ ଓ ପ୍ରାଣର ହୃଦୟଙ୍ଗମ କରିବା। ଅହିଂସା, ସରଳତା, ଭାଇଚାରା ଶକ୍ତି ମଧ୍ୟମରେ ବିଶ୍ୱକୁ ଆଗେଇ ନେବାକୁ ସେ ଆହ୍ବାନ ଦେଇଥିଲେ। ପ୍ରଧାନ ଶିକ୍ଷକ ଅମିତାଭ ଅଗ୍ନିହୋତ୍ରୀ କହିଲେ, ସରଳତା, ଶାନ୍ତି ଓ ଅହିଂସା ଗୁଣକୁ ଗ୍ରହଣ କରିବା ପାଇଁ ମହାତ୍ମା ଗାନ୍ଧୀଙ୍କ ଶିକ୍ଷାକୁ ମନେ ରଖିବା। ତାଙ୍କ ଦ୍ବାରା ସ୍ଥାପିତ ନୀତି ଓ ମୂଲ୍ୟବୋଧକୁ ପାଳନ କରିବା।
କିଟ୍ ଓ କିସ୍
ଆଜି କିଟ୍ ଓ କିସ୍ ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ କିଟ୍ ଓ କିସ୍ ପରିସରରେ ଥିବା ଗାନ୍ଧୀ ପ୍ରତିମୂର୍ତିରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ମାଲ୍ୟାର୍ପଣ କରିଥିଲେ। ସଂପୂର୍ଣ୍ଣ କୋଭିଡ୍ ନିୟମକୁ ପାଳନ କରି ଅନୁଷ୍ଠାନର ସମସ୍ତ କର୍ମଚାରୀ ଗାନ୍ଧୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହି ଅବସରରେ ଶ୍ରୀ ସାମନ୍ତ କହିଲେ ସମାଜର ଦଳିତ, ଅବହେଳିତ ଓ ଜନଜାତି ବର୍ଗର ଲୋକଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଗାନ୍ଧୀଜୀଙ୍କ ସ୍ବପ୍ନ ଥିଲା ଓ ‘କିସ୍’ ଏହି ଦିଗରେ ସଫଳତାର କାର୍ଯ୍ୟ କରୁଛି। ଏହି ଅବସରରେ ଶିକ୍ଷାନୁଷ୍ଠାନର କୁଳପତି ପ୍ରଫେସର୍ ହୃଷୀକେଶ ମହାନ୍ତି, ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ, କୁଳସଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି, କିସ୍ର ପରାମର୍ଶଦାତା ପ୍ରଫେସର୍ ହରେକୃଷ୍ଣ ଶତପଥୀ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ. ପ୍ରଶାନ୍ତ କୁମାର ରାଉତରାୟ, ସ୍କୁଲ୍ ଅଧ୍ୟକ୍ଷ ସଞ୍ଜୟ ସୁଆର ଓ ଅନୁଷ୍ଠାନର ବରିଷ୍ଠ କର୍ମଚାରୀମାନେ ଉପସ୍ଥିତ ଥିଲେ।
ଏକାମ୍ର ଜନଜାଗରଣ ମଞ୍ଚ
ଏକାମ୍ର ଜନଜାଗରଣ ମଞ୍ଚ ପକ୍ଷରୁ ନନ୍ଦକିଶୋର ନଗର ମୋତିଲାଲ ଭବନଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୧ତମ ଜୟନ୍ତୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ୧୧୭ତମ ଜୟନ୍ତୀ ପାଳିତ ହୋଇଯାଇଛି। ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ମହାପୁରୁଷଙ୍କ ଜୀବନ ଅନୁସରଣ’ ଶୀର୍ଷକ ବିଷୟବସ୍ତୁକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମଞ୍ଚର ଉପଦେଷ୍ଟା ଜଗତଚନ୍ଦ୍ର ଦାସ, ଗୋପୀନାଥ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ଦୀପକ ଦ୍ବିବେଦୀ, ସଂଗ୍ରାମ କିଶୋର ସାହୁ, ସୁଲତା ସାହାଣୀ, ସଞ୍ଜୁଲତା ପଟ୍ଟନାୟକ, ବିଷ୍ଣୁପ୍ରିୟା ଜେନା, ବର୍ଷା ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ବିଜେଇଏମ୍ ସ୍କୁଲ
ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ସ୍କୁଲ୍ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ସକାଳେ ସ୍କୁଲ୍ ପରିସରରେ ଦୁଇ ମହାପୁରୁଷଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ଏଥିରେ ୟୁନିଅନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ମହାପ୍ରବନ୍ଧକ ରମାକାନ୍ତ ପ୍ରଧାନ, ଉପମହାପ୍ରବନ୍ଧକ ଶୋଭନ୍ ସେନ୍ଗୁପ୍ତା, ବରିଷ୍ଠ ପ୍ରବନ୍ଧକ ସମୀର ହୋତା, ଲୁଇସ୍ ରୋଡ୍ ଶାଖା ପ୍ରବନ୍ଧକ ସମୀର ରଞ୍ଜନ ବେହୁରା, ଅଧ୍ୟକ୍ଷା ସନ୍ଧ୍ୟା ଜେନା, ବିଦ୍ୟାଳୟ ପରିଚାଳନା କମିଟିର ଆଡ୍ସିନାଲ୍ ମ୍ୟାନେଜର୍ ଚିତ୍ତରଞ୍ଜନ ବୈରିଶାଲ, ପର୍ଯ୍ୟବେକ୍ଷକ ଶିବାନୀ ପଟ୍ଟନାୟକ, ବରଦା ପ୍ରସାଦ ପାଇକରାୟ, ଶୁଭଶ୍ରୀ ଦାସ ଓ ନଳିନୀକାନ୍ତ ମହାନ୍ତି ଉପସ୍ଥିତ ଥିଲେ। ଅନ୍ଲାଇନ୍ରେ ଆୟୋଜିତ ଦ୍ବିତୀୟ ଅଧିବେଶନରେ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏମ୍ଡି ରାଜକିରନ୍ ରାୟ ଉଦ୍ବୋଧନ ଦେଇଥିଲେ। ରିଜର୍ଭ ବ୍ୟାଙ୍କର ପୂର୍ବତନ ଡେପୁଟି ଗଭର୍ଣ୍ଣର୍ ହାରୁନ୍ ଖାନ୍, ରାଜ୍ୟସଭାର ପୂର୍ବତନ ଯୁଗ୍ମ ସଚିବ ସତ୍ୟନାରାୟଣ ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ରଘୁନାଥ ମିଶ୍ର, ବରିଷ୍ଠ ସଦସ୍ୟ ଅଶ୍ବିନୀ କୁମାର ତିୱାରୀ, ମ୍ୟାନେଜର୍ ପ୍ରତାପ କୁମାର ଜେନା ପ୍ରମୁଖ ଗାନ୍ଧୀ ବିଚାରଧାରା ଉପରେ ଆଲୋକପାତ କରିଥିଲେ। ଇ-ପତ୍ରିକା ‘ଶ୍ରଦ୍ଧା ସୁମନ’ ଉନ୍ମୋଚିତ ହୋଇଥିଲା। ଉପାଧ୍ୟକ୍ଷା ପଲ୍ଲବୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ଦିଗନ୍ତ ପଟ୍ଟନାୟକ ଓ ଶିକ୍ଷୟିତ୍ରୀ ଲିଜା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଆନ୍ତଃବିଦ୍ୟାଳୟସ୍ତରରେ ଅନ୍ଲାଇନ୍ ବକ୍ତୃତା ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।
ଶାସ୍ତ୍ରୀନଗର ଉନ୍ନୟନ ପରିଷଦ
ଶାସ୍ତ୍ରୀନଗର ଉନ୍ନୟନ ପରିଷଦ, ବରିଷ୍ଠ ନାଗରିକ ମଞ୍ଚ ଓ ସାଂସ୍କୃତିକ ସଂଘ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ଜୟନ୍ତୀ ପାଳନ କରାଯାଇଛି। ପରିଷଦର ସଭାପତି ଗିରିଜା ନନ୍ଦନ ମହାନ୍ତି, ସମ୍ପାଦକ ଅଶୋକ କୁମାର ବେହେରା, ଉପସଭାପତି ପଙ୍କଜ ଦାସଙ୍କ ସମେତ ମୁଖ୍ୟ ଅତିଥି ଭାବେ ପୂର୍ବତନ କର୍ପୋରେଟର ନବକିଶୋର ବେହେରା, ନରେନ୍ ସାହୁ, ଯୁବନେତା ସାଗର ବଳବନ୍ତରାୟ, ୱାର୍ଡ କମିଟି ସଭାପତି ମନୋରଂଜନ ନାୟକ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବରିଷ୍ଠ ନାଗରିକ ମଞ୍ଚ ସଭାପତି ପ୍ରଫୁଲ୍ଲ କୁମାର ପାଠୀ, ସାଧାରଣ ସମ୍ପାଦକ ଅଭିରାମ ଜେନା, ସୁରେଶ ପରିଡ଼ା, ପ୍ରତାପ ସାମନ୍ତ, ବସନ୍ତ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରମୋଦ, ଲିଙ୍ଗରାଜ, ଶରତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଅଙ୍କୁର
ସ୍ବେଚ୍ଛାସେବୀ ଅନୁଷ୍ଠାନ ଅଙ୍କୁର ଫାଉଣ୍ଡେସନ୍ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ୱେବିନାର୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ସାମିଲ୍ ହୋଇଥିଲେ। ବରିଷ୍ଠ କବି ତଥା ଅବସରପ୍ରାପ୍ତ ପ୍ରଶାସକ ପ୍ରଦୀପ ବିଶ୍ବାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂପ୍ରତି ଦୁଇ ମହାପୁରୁଷଙ୍କ କାର୍ଯ୍ୟଧାରାର ପ୍ରାସଙ୍ଗିକତା ବାବଦରେ ଆଲୋକପାତ କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷା ଚିନ୍ମୟୀ ପଣ୍ଡା ସ୍ବାଗତ ଭାଷଣ ଦେଇଥିଲେ। ଶିଶୁମାନଙ୍କ ଦ୍ବାରା ଚିତ୍ର, ସଂଗୀତ ଓ ବକ୍ତୃତା ମାଧ୍ୟମରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ପ୍ରମଥେଶ ମହାନ୍ତି, ଚଇତାଳି ପଣ୍ଡା, ସ୍ବାତୀ ନାୟକ ଓ ମାନସୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ।
ଏନ୍ଡିଆରଏଫ୍
ସ୍ଥାନୀୟ ମୁଣ୍ଡଳୀସ୍ଥିତ ୩ୟ ବାହିନୀ ଏନ୍ଡିଆରଏଫ୍ ପକ୍ଷରୁ ଆଜି ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ଗଣଦୌଡ଼ର ଆୟୋଜନ କରାଯାଇଥିଲା ଓ ପରେ ପରେ ଚାରାରୋପଣ ଏବଂ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସିନିୟର କମାଣ୍ଡାଣ୍ଟ ଶ୍ରୀଜାକବ୍ କିସ୍ପୋଟାଙ୍କ ତତ୍ତ୍ବାବଧାନରେ ନରାଜସ୍ଥିତ ସମ୍ପତିରାୟ ବରିଷ୍ଠ ଜରାଶ୍ରମରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଥିଲା। ଏହି ଅବସରରେ ଏନ୍ଡିଆରଏଫ୍ ପକ୍ଷରୁ ଜରାଶ୍ରମକୁ ୧୫ଟି ଚେୟାର, ୨ଟି ଟି’ପୟ ଓ ସମସ୍ତ ଅନ୍ତୋବାସୀଙ୍କୁ ବିସ୍କୁଟ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଜିଏସ୍ ପଟେଲ, କେକେ ପଟ୍ଟନାୟକ, ସୁରଜିତ ସିଂ, ଇନସପେକ୍ଟର ପିକେ ମିଶ୍ର, ଡି.କେ ପାଣ୍ଡେ ପ୍ରମୁଖ ପରିଚାଳନା କରିଥିଲେ। ପ୍ରାରମ୍ଭରେ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଗାନ୍ଧୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ସତ୍ୟଭାମାପୁର ହାଇସ୍କୁଲ
ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ସତ୍ୟଭାମାପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜି ପୂର୍ବାହ୍ନରେ ସ୍କୁଲର ୧୯୮୬ ବ୍ୟାଚ୍ର ଛାତ୍ରଛାତ୍ରୀମାନେ ସ୍କୁଲ ପରିସରରେ ବିଭିନ୍ନ ପ୍ରକାର ଚାରାରୋପଣ କରିଥିଲେ। ବର୍ତ୍ତମାନ ଏହି ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ ଅବସ୍ଥାପିତ ଥାଇ ସୁଦ୍ଧା ଗାନ୍ଧୀଜୀଙ୍କର ସ୍ବଚ୍ଛ ଭାରତ ଓ ପରିବେଶ ସୁରକ୍ଷାର ବାର୍ତ୍ତା ଏବଂ ନିଜେ ଅଧ୍ୟକ୍ଷ କରିଥିବା ବିଦ୍ୟାଳୟକୁ ସବୁଜ ସୁନ୍ଦର କରିବାର ସଂକଳ୍ପ ନେଇ ବୃକ୍ଷରୋପଣ କରିଥିଲେ। ଚାରାରୋପଣ ସହ ଏହାର ସୁରକ୍ଷା ନେଇ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଓ ଅନ୍ୟ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/m6.jpg)