ଭୁବନେଶ୍ୱର: ଦେଶ ବିଦେଶରେ ଗାନ୍ଧୀଜୀ ଭାରତର ପରିଚୟ, ପ୍ରତୀକ ଓ ପ୍ରବହମାନ ସାଂସ୍କୃତିକ ଆତ୍ମା। ଯେଉଁମାନେ ପରିଚୟ ସଂକଟରେ ଅଛନ୍ତି, ସେମାନେ ଜାତିର ପିତାଙ୍କ ଚରିତ୍ର ସଂହାର କରିଚାଲିଛନ୍ତି। କିନ୍ତୁ ଯାହା ସତ, ତାହା ଯୁଗେଯୁଗେ ଝଟକିଛି ଓ ଝଟକିବ। ଅହିଂସା ହେଉଛି ପ୍ରାକୃତିକ ଓ ହିଂସା ହେଉଛି ପ୍ରତିକ୍ରିୟା। ଗାନ୍ଧୀଜୀ ଅହିଂସା ଓ ସତ୍ୟର ପ୍ରତୀକ। ସଂଭାବନା ଆୟୋଜିତ ‘ଗାନ୍ଧୀ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଗାନ୍ଧୀବାଦୀ ଦାଶ ବେନହୁର ଏହା କହିଛନ୍ତି।

Advertisment

ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗାନ୍ଧୀ ଚିନ୍ତନ ସଂଧ୍ୟାରେ ଅନ୍ୟତମ ବକ୍ତା ଐତିହାସିକ ଡ. ଅମିୟ କୁମାର ମହାନ୍ତି କହିଥିଲେ ଯେ ମହାତ୍ମା ଗାନ୍ଧୀ ସାଂପ୍ରତିକ ବିଶ୍ବ ଏବଂ ଭାରତର ସମସ୍ତ ଜ୍ବଳନ୍ତ ସମସ୍ୟାର ସମାଧାନ ପାଇଁ ଆଲୋକ ବର୍ତ୍ତିକା। ସଂଭାବନାର ସଂପାଦକ ଦେବପ୍ରସାଦ ପରିଜାଙ୍କ ପ୍ରାରମ୍ଭିକ ସୂଚନା ସହ ଆରମ୍ଭ ହୋଇଥିବା ଏହି ଅବସରରେ ସିପିଆଇର ଜାତୀୟ ସଂପାଦକ ରାମକୃଷ୍ଣ ପଣ୍ଡା ମଞ୍ଚାସୀନ ଥିବା ବେଳେ କବି ତନ୍ଦ୍ରାଳସା ଦାସ କବି ସୌରୀନ୍ଦ୍ର ବାରିକଙ୍କ ରଚିତ ଦୁଇଟି ଚମତ୍କାର ଗାନ୍ଧୀ କବିତା ପାଠ କରିଥିଲେ।

ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ତମ୍ଭକାର ସିଦ୍ଧାର୍ଥ କାନୁନ୍‌ଗୋ, ରଶ୍ମି ସାହୁ, ନିବେଦିତା ମଲ୍ଲିକ, ରତ୍ନମଞ୍ଜରୀ ସାମନ୍ତରାୟ, ସୌଭାଗ୍ୟଲକ୍ଷ୍ମୀ ମହାନ୍ତି, ଅରନ୍ଧତୀ ମିଶ୍ର, ପଦ୍ମାଳୟା ଶତପଥୀ, ସଂଧ୍ୟା ରଥ, ସୁଧାଂଶୁ ପରିଜାଙ୍କ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।