ଭୁବନେଶ୍ବର : ଗାନ୍ଧୀଜୀଙ୍କ ମହାପ୍ରୟାଣ ଦିବସ ଅବସରରେ ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ମହାତ୍ମାଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପରିସରରେ ଉଦ୍ଘାଟିତ ହୋଇଛି ବହୁପ୍ରତୀକ୍ଷିତ ‘ଗାନ୍ଧୀ ଗ୍ୟାଲେରି’। ମହାତ୍ମାଙ୍କ ଓଡ଼ିଶା ଆଗମନର ଏକଶହ ବର୍ଷ ପୂର୍ତ୍ତି ଅବସରରେ ‘ଓଡ଼ିଶାରେ ମହାତ୍ମା’ ବିଷୟବସ୍ତୁକୁ ନେଇ ଏହି ଗ୍ୟାଲେରି ଉନ୍ମୋଚିତ ହୋଇଛି। ଗାନ୍ଧୀଜୀ ତାଙ୍କ ଜୀବନକାଳରେ ସମୁଦାୟ ୮ଥର ଓଡ଼ିଶା ଆସିଥିଲେ। ଓଡ଼ିଶାର ଯେଉଁ ଯେଉଁ ସ୍ଥାନରେ ସେ ଓହ୍ଲାଇଥିଲେ, ରାତ୍ରିଯାପନ କରିଥିଲେ ଓ ସେ କହିଥିବା ସମସ୍ତ କଥାର ସାରମର୍ମ ଏହି ଗ୍ୟାଲେରିରେ ପ୍ରଦର୍ଶିତ ହେଉଛି। ଯେଉଁଭଳି ଭାବେ ସାବରମତୀ ଆଶ୍ରମରେ ବାହାରୁ ଆସୁଥିବା ଅତିଥିମାନେ ନିଜେ ବସି ଅରଟରେ ସୂତା କାଟିବାର ଅନୁଭୂତି ସାଉଁଟି ପାରୁଛନ୍ତି, ଗାନ୍ଧୀ ଗ୍ୟାଲେରିରେ ମଧ୍ୟ ସେ ବ୍ୟବସ୍ଥା କରାଯାଇଛି। ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ସମସ୍ତ ଅତିଥି ଓ ପର୍ଯ୍ୟଟକମାନେ ଏଠାରେ ବସି ଅରଟରେ ସୂତା କାଟିବାର ଅନୁଭୂତି ନେଇପାରିବେ। ଏଥିସହ ଏଠାରେ ଗାନ୍ଧୀଜୀଙ୍କ ଭାଷଣକୁ ନେଇ ଡିଜିଟାଲ୍ ସ୍କ୍ରିନିଂ ବ୍ୟବସ୍ଥା କରାଯାଉଛି। ପର୍ଯ୍ୟଟକମାନେ ଉକ୍ତ ସ୍କ୍ରିନ୍କୁ ଛୁଇଁଲେ, ମହାତ୍ମାଙ୍କ ଭାଷଣ ଓ ଦୃଶ୍ୟ ଦେଖିବାକୁ ମିଳିବ।
ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଭାଗ୍ୟଲିପି ମଲ୍ଲ କହିଛନ୍ତି, ମହାତ୍ମାଙ୍କ ବ୍ୟବହୃତ ସମସ୍ତ ସାମଗ୍ରୀ ପାଇବା ସମ୍ଭବ ନୁହେଁ। ତେଣୁ ଗାନ୍ଧୀଜୀଙ୍କ ୮ଥର ଓଡ଼ିଶା ଗସ୍ତ ଆମ ପାଇଁ ପୁଞ୍ଜି। ଏହାକୁ ହିଁ ଆମେ ଆମ ଉତ୍ତରପିଢ଼ି ପାଇଁ ସାଇତି ରଖି ପାରିବା। ଏହି ଉଦ୍ଦେଶ୍ୟରେ ଏହି ଗ୍ୟାଲେରି ଉନ୍ମୋଚିତ ହୋଇଛି ଓ ଓଡ଼ିଶା ସହ ଗାନ୍ଧୀଙ୍କ ସମ୍ପର୍କ ଓ ନିବିଡ଼ତାକୁ ସଂରକ୍ଷିତ କରାଯାଉଛି। ଏଥିସହ ମହାତ୍ମାଙ୍କ ସମସ୍ତ ଭାଷଣକୁ ନେଇ ଏକ କିଓସ୍କ ନିର୍ମିତ ହେବାର ଯୋଜନା ରହିଥିବା ସେ କହିଛନ୍ତି। ଯେହେତୁ ଏବେ ସଂଗ୍ରହାଳୟ ବନ୍ଦ ରହିଛି, ଏହା ଭିତରେ ତ୍ବରାନ୍ବିତ ବେଗରେ ଅବଶିଷ୍ଟ କାର୍ଯ୍ୟ କରାଯିବାର ଯୋଜନା ହେଉଥିବା ସେ କହିଛନ୍ତି।
ଏଥିସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟଠାରେ ଆଜି ସହିଦ ଦିବସ ଓ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଏକଶହ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ଓ ଭର୍ଚୁଆଲ୍ ମାଧ୍ୟମରେ ଯୋଗ ଦେଇଥିବା ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ।
ବିଭାଗୀୟ ନିର୍ଦ୍ଦେଶକ ରଂଜନ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ବକ୍ତା ଭାବେ ବିଶିଷ୍ଟ ଗାନ୍ଧୀବାଦୀ ଦାଶ ବେନହୁର, ପ୍ରହ୍ଲାଦ ସିହ୍ନା, ପ୍ରୀତୀଶ ଆଚାର୍ଯ୍ୟ ଓ ନିହାର ରଂଜନ ପଟ୍ଟନାୟକ ଯୋଗଦେଇ ସହିଦ ଦିବସର ତାତ୍ପର୍ଯ୍ୟ ଓ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନ ସଂପର୍କିତ ତଥ୍ୟ ଓ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଏହି ଅବସରରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟଠାରେ ଗାନ୍ଧୀ ଗ୍ୟାଲେରିର ଉଦ୍ଘାଟନ ସହ ଓଡ଼ିଶା ଲଳିତ କଳା ଏକାଡେମି ଦ୍ୱାରା ଗାନ୍ଧୀଜୀଙ୍କ ସଂପର୍କିତ ଚିତ୍ରକଳା ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଏଥିସହ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀଙ୍କ ଦ୍ୱାରା ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଦ୍ୱାରା ପ୍ରସ୍ତୁତ ଗାନ୍ଧୀଭିତ୍ତିକ କଫି ଟେବୁଲ ପୁସ୍ତକ ‘ଓଡ଼ିଶାରେ ଗାନ୍ଧୀଜୀ’ ଓ ଓଡ଼ିଶା ସାହିତ୍ୟ ଏକାଡେମି ଦ୍ୱାରା ସ୍ୱତନ୍ତ୍ର ଗାନ୍ଧୀ ବିଶେଷାଙ୍କ ‘କୋଣାର୍କ’ ପତ୍ରିକା ମଧ୍ୟ ଉନ୍ମୋଚିତ ହୋଇଥିଲା। ଓଡ଼ିଶା ସାହିତ୍ୟ ଏକାଡେମିର ସଚିବ ପ୍ରବୋଧ କୁମାର ରାଉତ କୋଣାର୍କ ପତ୍ରିକା ସଂପର୍କିତ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ। ଓଡ଼ିଶା ଲଳିତ କଳା ଏକାଡେମିର ସଚିବ ପଞ୍ଚାନନ ସାମଲ ଗାନ୍ଧୀ ଚିତ୍ରକଳା ପ୍ରଦର୍ଶନୀ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ଏଥିସହ ଗାନ୍ଧୀଜୀଙ୍କ ଜୀବନୀ ଆଧାରିତ ଗପକୁହା ସିଡିର ଉନ୍ମୋଚନ କରାଯାଇଥିଲା।
ପ୍ରାରମ୍ଭରେ ସଂଗ୍ରହାଳୟର ଉଦ୍ୟାନ ପରିସରରେ ନିରବ ପ୍ରାର୍ଥନା କରାଯିବା ସହ ସଂଗୀତ ଶିଳ୍ପୀ ଅନିନ୍ଦିତା ଦାସଙ୍କ ନିର୍ଦ୍ଦେଶନାରେ ସଦ୍ଭାବନା ପ୍ରାର୍ଥନା ସଭା ଆୟୋଜିତ ହୋଇଥିଲା। ସଂଗ୍ରହାଳୟର ଅଧୀକ୍ଷକ ଭାଗ୍ୟଲିପି ମଲ୍ଲଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମଧୁମିତା ମହାନ୍ତି ସଂଯୋଜନା କରିଥିଲେ। ପୂରା କାର୍ଯ୍ୟକ୍ରମ ଫେସ୍ବୁକ୍ ଓ ୟୁଟ୍ୟୁବ୍ରେ ସିଧା ପ୍ରସାରଣ କରାଯାଇଥିଲା।