ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି: କୀର୍ତ୍ତିବାନ ପୁରୁଷ ଥିଲେ ଗାନ୍ଧୀ ମଣିଷ ଦୋଳ ଗୋବିନ୍ଦ

ଶିକ୍ଷାବିତ୍ ନନ୍ଦକୁମାର ମହାପାତ୍ରଙ୍କୁ ଦ୍ବିତୀୟ ଗାନ୍ଧୀ ଗୌରବ ସମ୍ମାନ

ଭୁବନେଶ୍ୱର: ମହାତ୍ମା ଗାନ୍ଧୀ ଅହିଂସା ଐତିହ୍ୟ ଟ୍ରଷ୍ଟ ପକ୍ଷରୁ ଆଜି ସନ୍ଧ୍ୟାରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଗାନ୍ଧୀ ମଣିଷ ଦୋଳ ଗୋବିନ୍ଦ ପ୍ରଧାନଙ୍କ ୯୭ ତମ ଜୟନ୍ତୀ ବୁଦ୍ଧମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟର ସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସଂସ୍କୃତ ବିଦ୍ୱାନ୍ ହରେକୃଷ୍ଣ ଶତପଥୀ, ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ଯୋଗଗୁରୁ ସୁଧାଂଶୁ ଅଧିକାରୀ, ଶିକ୍ଷାବିତ୍ ବଦ୍ରିନାଥ ପଟ୍ଟନାୟକ, ପୃଥ୍ବୀବଲ୍ଲଭ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଦୋଳ ଗୋବିନ୍ଦଙ୍କ ବ୍ୟକ୍ତିତ୍ବ ଓ କୃତିତ୍ବ ଉପରେ ଆଲୋକପାତ କରିଥିଲେ।

ସେ ଜଣେ କୀର୍ତ୍ତିବାନ ପୁରୁଷ ଥିଲେ ବୋଲି ଅତିଥିମାନେ କହିଥିଲେ। ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ୍ ନନ୍ଦକୁମାର ମହାପାତ୍ରଙ୍କୁ ‘ଦ୍ବିତୀୟ ଗାନ୍ଧୀ ଗୌରବ ସମ୍ମାନ-୨୦୨୨’ରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ମ୍ୟାନେଜିଙ୍ଗ୍‌ ଟ୍ରଷ୍ଟି ବୁଦ୍ଧଦେବ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଟ୍ରଷ୍ଟି ଦେବରାଜ ପ୍ରଧାନ ଧନ୍ୟବାଦ ଦେଇଥିଲେ। ଏହି ଉପଲକ୍ଷେ କୋଳଥିଆ ସ୍ମୃତିଭବନଠାରେ ପୁଷ୍ପରାଜ ପ୍ରଧାନଙ୍କ ସଂଯୋଜନାରେ ବୃକ୍ଷପୂଜା କରାଯାଇଥିଲା। ଏଥିରେ ରଶ୍ମିରାଣୀ ପରିଡ଼ା ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର