ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ପରେଡ୍ ଲାଗି କମିସନରେଟ୍ ପୁଲିସ ତାର ପ୍ରସ୍ତୁତି ଶେଷ କରିଛି। ଆଜି ସଂଧ୍ୟାରୁ ମହାତ୍ମା ଗାନ୍ଧୀମାର୍ଗ ପୁଲିସ କବ୍ଜାକୁ ଚାଲି ଯାଇଛି। ପ୍ରଥମଥର ଲାଗି ପରେଡ୍ବେଳେ ଗାନ୍ଧୀମାର୍ଗରେ ଏନ୍ଏସ୍ଜି କମାଣ୍ଡୋ ମୁତୟନ ହେବେ। ୧୨ ଜଣିଆ କମାଣ୍ଡୋ ଟିମ୍ ଗତ ଦୁଇ ଦିନ ହେବ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି। ସେମାନଙ୍କୁ ଗାନ୍ଧୀମାର୍ଗର ରୁଟମ୍ୟାପ, ନିକଟରେ ଥିବା ସୁଉଚ୍ଚ ଅଟ୍ଟାଳିକା, ସଚିବାଳୟ ଓ ବିଧାନସଭା ଆଦି ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇଛି। ଆଜି ମଧ୍ୟ ଏନ୍ଏସ୍ଜି କମାଣ୍ଡୋମାନେ ଗାନ୍ଧୀମାର୍ଗକୁ ଆସି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ସେହିପରି ଅପରାହ୍ଣରେ ସନ୍ଧାନୀ କୁକୁର ଏବଂ ବୋମା ନିଷ୍କ୍ରିୟକାରୀଙ୍କ ସହଯୋଗରେ ପରେଡ୍ ସ୍ଥଳକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଇଥିଲା। ଗାନ୍ଧୀମାର୍ଗର ଉଭୟ ପାର୍ଶ୍ୱରେ ଥିବା ଡ୍ରେନ୍ର ଭିତର ଅଂଶକୁ ମଧ୍ୟ ପରଖିଥିଲେ ବୋମା ନିଷ୍କ୍ରୟକାରୀ ଦଳ। ଯେହେତୁ ରାଜ୍ୟପାଳ ପରେଡ୍ ଅଭିବାଦନ ଗ୍ରହଣ କରିବେ। ସେଥିପାଇଁ ଆଜି ଦୁଇଦୁଇ ଥର ରାଜ୍ୟପାଳଙ୍କ କାରକେଡ୍ର ରିହରସାଲ୍ କରାଯାଇଥିଲା। କିଭଳି ଭାବେ ରାଜ୍ୟପାଳଙ୍କ କାରକେଡ୍ ରାଜଭବନରୁ ବାହାରି ପରେଡ ସ୍ଥଳରେ ପହଞ୍ଚିବ, ସେହିଭଳି ଅବିକଳ ଡେମୋ କରାଯାଇଥିଲା। କାରକେଡ୍ ଇନ-ଚାର୍ଜ ଏହି ଡେମୋର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ନେଇଥିଲେ।
ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆଙ୍କଠାରୁ ମିଳିଥିବା ସୂଚନା ମୁତାବକ, ସାଧାରଣତନ୍ତ୍ର ଦିବସ ଲାଗି ପାକିସ୍ତାନ ସମର୍ଥିତ କେତେକ ଆତଙ୍କବାଦୀ ସଂଗଠନ ପକ୍ଷରୁ ଦେଶର କେତେକ ପ୍ରମୁଖ ସହରରେ ସମ୍ଭାବ୍ୟ ଆକ୍ରମଣ ହେବାର ଗୁଇନ୍ଦା ସୂଚନା ମିଳିଥିଲା। ଏହି ସୂଚନାକୁ ଆଧାର କରି ୧୨ ଜଣ ଏନ୍ଏସ୍ଜି କମାଣ୍ଡୋ ଭୁବନେଶ୍ୱର ଆସିଛନ୍ତି। ସେମାନେ କେବଳ ସୁରକ୍ଷା ବ୍ୟବସ୍ଥା ଉପରେ ଅନୁଧ୍ୟାନ କରିବେ। ଏହା ଛଡ଼ା ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ୩୧ ପ୍ଲାଟୁନ୍ ପୁଲିସ ଫୋର୍ସ ନିୟୋଜିତ ହେବେ।
ଆଜି ସକାଳ ଠିକ ସାଢ଼େ ୮ଟାବେଳେ ରାଜ୍ୟପାଳଙ୍କ କାରକେଡ ରାଜଭବନରୁ ବାହାରି ପରେଡ୍ ସ୍ଥଳରେ ପହଞ୍ଚି ଥିଲା। କାରକେଡ୍ର ସବା ଆଗରେ ଆଡଭାନ୍ସ ପାଇଲଟ, ତା’ ପଛକୁ ରହିବ କାରକେଡ ଇନଚାର୍ଜଙ୍କ ଗାଡି, ତା ପଛକୁ ରାଜ୍ୟପାଳଙ୍କ ଗାଡିି, ସିଭିଲ ପ୍ରୋଟେକସନ୍, ୟୁନିଫର୍ମ ପ୍ରୋଟେକସନ୍, ବୁଲେଟ ପ୍ରୁଫ୍ କାର, ଜାମ୍ମର, ଆମ୍ବୁଲାନ୍ସ, ଅଗ୍ନିଶମ ଓ ଶେଷରେ ଦୁଇ ସେକ୍ସନ୍ ପୁଲିସ ଫୋର୍ସ ( ଷ୍ଟ୍ରାଇକିଂ)। ଏହି ଫୋର୍ସ ନିକଟରେ ଲାଠି ସହିତ ଅସ୍ତ୍ର ରହିବ। କାରକେଡ୍ ଇନଚାର୍ଜ ଗାଡିରେ ଅତ୍ୟାଧୁନିକ ଅସ୍ତ୍ର, ବୁଲେଟ ପ୍ରୁଫ୍ ଜ୍ୟାକେଟ୍, ହେଲମେଟ୍ ରହିବ। କହିବାକୁ ଗଲେ ରାଜ୍ୟପାଳ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପରେଡ୍ ସ୍ଥଳକୁ ଯିବେ।
ଚଳିତ ବର୍ଷ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ଼ର ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବାରିକେଡ଼ର ସବୁଜ ରଙ୍ଗର ତାର ଜାଲି ବ୍ୟବସ୍ଥା କରାଯାଇଛି। କୌଣସି ପ୍ରକାର ଅପ୍ରିତୀକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପରେଡ଼ ସ୍ଥଳରେ ୩୧ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛନ୍ତି।। ସେହିପରି ଦୁଇ ୟୁନିଟ୍ ଏସ୍ଓଜି, କ୍ୟୁଆର୍ଟି , ଓସାଫ, ରାପିଡ୍ ଆକ୍ସନ ଫୋର୍ସ, ସନ୍ଧାନୀ କୁକୁର ଓ ସାଦା ପୋଷାକଧାରୀ ପୁଲିସ ନିୟୋଜିତ ହେବେ ବୋଲି ସୂଚନା ମିଳିଛି। ପରେଡ଼ ସ୍ଥଳରେ ସିସି ଟିଭି କ୍ୟାମେରା ସହ ୧୦୦ରୁ ଅଧିକ ଏସ୍ଆଇ, ଏଏସ୍ଆଇ ଏବଂ ଇନ୍ସପେକ୍ଟରଙ୍କ ସହ ୧୯ ଜଣ ଡିଏସ୍ପି , ୯ ଅତିରିକ୍ତ ଡିସିପି ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ରହିବେ। ମାଷ୍ଟରକ୍ୟାଣ୍ଟିନ୍, ବାଣୀବିହାର, ଖଣ୍ଡଗିରି, ଲକ୍ଷ୍ମୀସାଗର, ପଳାଶୁଣୀ, ରବି ଟକିଜ, ଚନ୍ଦ୍ରଶେଖରପୁର ଅଞ୍ଚଳରେ ମଧ୍ୟ ସ୍ୱତନ୍ତ୍ର ଚେକ୍ ପୋଷ୍ଟ ମାଧ୍ୟମରେ ବ୍ଲକିଂ କରାଯାଇ ଚେକିଂ ଆରମ୍ଭ ହୋଇଛି। ଏହା ଛଡ଼ା ସହର ଭିତରେ ଥିବା ହୋଟେଲ ଓ ଲଜିଂରେ ମଧ୍ୟ ଯାଞ୍ଚ ଆରମ୍ଭ ହୋଇ ଯାଇଛି। ପରେଡ୍ରେ ୭୫ଟି ପାଖାପାଖି ଦଳ ଅଂଶ ଗ୍ରହଣ କରିବେ। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଡେୟାର ଡେଭିଲ୍ସ ପରେଡ୍ରେ ଚିତ୍ତାକର୍ଷକ ସାଜିବ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରସିଦ୍ଧି ଲାଭ କରିଥିବା ନୃତ୍ୟ ଯଥା ବଲାଙ୍ଗୀର ଦୁଲକି ନାଚ ଓ ମୟୁରଭଞ୍ଜର ଘୁମୁରା ନାଚରେ କମ୍ପିବ ଗାନ୍ଧୀମାର୍ଗ।
ପରେଡ୍ ଲାଗି ଟ୍ରାଫିକ୍ କଟକଣା
ଗାନ୍ଧୀମାର୍ଗରେ ପରେଡ୍ ଚାଲୁଥିବାବେଳେ ଟ୍ରାଫିକ ପୁଲିସ ପକ୍ଷରୁ କେତେକ କଟକଣା ଜାରି କରାଯାଇଛି। ସକାଳ ସାଢ଼େ ୬ଟାରୁ ପରେଡ ଶେଷ ନ ହେବା ପର୍ଯ୍ୟନ୍ତ କୋଣସି ଭାରିଗାଡି ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ କିମ୍ବା ରାମମନ୍ଦିର ପଟୁ ମାଷ୍ଟରକ୍ୟାଣ୍ଟିନ୍ ଆସି ପାରିବ ନାହିଁ। ପରେଡ୍କୁ ସ୍ଥଳକୁ ସଂଲଗ୍ନ କରୁଥିବା ୟୁନିଟ-୨ ଏବଂ ୟୁନିଟ-୩ ଅଞ୍ଚଳର ସମସ୍ତ ରାସ୍ତା ସିଲ୍ ରହିବ। ସେହିପରି ଏଜି ଛକରୁ ପିଏମ୍ଜି, ଏବଂ ହାଉସିଂବୋର୍ଡ ଛକରୁ ପିଏମଜି ଛକକୁ କୌଣସି ଗାଡି ଆସି ପାରିବ ନାହିଁ। ପରେଡ ଦେଖିବାକୁ ଆସୁଥିବା ବ୍ୟକ୍ତିବିଶେଷମାନେ ସେମାନଙ୍କ ବାଇକ୍ ଓ ସାଇକେଲ୍ ମାଷ୍ଟରକ୍ୟାଣ୍ଟିନ କଂଗ୍ରେସ ଭବନ ନିକଟ, ବସଷ୍ଟାଣ୍ଡ୍, ହୋଟେଲ ଜଯାତି ନିକଟ, ଜୟଦେବ ଭବନ, ଇଡକଲ ଅଡିଟୋରିୟମ ନିକଟ, ୟୁନିଟ-୨ ଏବଂ ୟୁନିଟ-୩ରେ ଥିବା ହାଇସ୍କୁଲ ପଡିଆରେ ପାର୍କିଂ କରିବେ। ପରେଡ୍ ପାଇଁ ୨ଶହ ଟ୍ରାଫିକ୍ କର୍ମଚାରୀ ଓ ୧୫ ଜଣ ପୁଲିସ ଅଧିକ ନିଯୁକ୍ତ ହେବେ। ଡିସିପି ଟ୍ରାଫିକ୍ ଓ ଏସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଟ୍ରାଫିକ ପରିଚାଳିତ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/m40.jpg)