ଭୁବନେଶ୍ବର : ବିଏମ୍ସି ନିୟମ କରିଛି ଯେ କଟକ, ଯାଜପୁର, ଗଞ୍ଜାମ, ଗଜପତି, ବାଲେଶ୍ବରରୁ ଯିଏ ରାଜଧାନୀର ବସ୍ତି ଅଞ୍ଚଳକୁ ଆସିବେ ସେମାନେ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ୧୪ଦିନ ରହିବେ। କୌଣସି ପରିସ୍ଥିତିରେ ବି ସେମାନେ ବସ୍ତି ଭିତରେ ରହିପାରିବେନି କି ସର୍ବସାଧାରଣରେ ବୁଲାବୁଲି କରିପାରିବେନି। ଆଜି ବିଏମ୍ସି କମିସନର ଏହି ନିୟମ ଦୋହରାଇଛନ୍ତି। କିନ୍ତୁ ରାଜଧାନୀର ବିଭିନ୍ନ ବସ୍ତିର ଚିତ୍ର ଅଲଗା। ସାଲିଆ ସାହି ନିକଟସ୍ଥ ଗାନ୍ଧୀ ମାର୍କେଟ୍ ବସ୍ତିରେ ୧୯ଜଣ ଯାଜପୁର ଜିଲ୍ଲାରୁ ଆସି ରହିଛନ୍ତି। ବସ୍ତି କମିଟି ଏନେଇ ବିଏମ୍ସିକୁ ସୂଚନା ଦେବା ପରେ ବି ବିଏମ୍ସି କର୍ତ୍ତୃପକ୍ଷ କହୁଛନ୍ତି ଯେ, ସେମାନେ ଘରେ ସଙ୍ଗରୋଧ ରୁହନ୍ତୁ। ସେମାନେ ଯେମିତି ଘରୁ ନବାହାରିବେ ଜଗ। ବିଏମ୍ସି କର୍ତ୍ତୃପକ୍ଷ ଏହି ୬ ପରିବାରର ୧୯ଜଣଙ୍କୁ କାହିଁକି ସଙ୍ଗରୋଧ କେନ୍ଦ୍ରକୁ ନେଉନାହାନ୍ତି ସେନେଇ ପ୍ରଶ୍ନ ଉଠିଲାଣି।
ବିଏମ୍ସି କର୍ତ୍ତୃପକ୍ଷ ଏହି ଲୋକଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ନେଇନଥିବାରୁ ସେମାନେ ବସ୍ତିରେ ରହୁଛନ୍ତି। ତାଙ୍କ ଘର ଆଗରେ ସଙ୍ଗରୋଧ ଷ୍ଟିକର ଲାଗିଛି। ହେଲେ ଘରେ ରହିଲେ ଖାଇବେ କେମିତି, ଚଳିବେ କେମିତି ସେ ଚିନ୍ତା ଘାରୁଥିବାରୁ ସେମାନେ ସାରା ରାଜଧାନୀ ବୁଲୁଛନ୍ତି। ବିଭିନ୍ନ ଜାଗାରେ ମୂଲ ଲାଗି କାମ କରୁଛନ୍ତି। ସେମାନଙ୍କର କରୋନା ପିଜିଟିଭ୍ କି ନେଗେଟିଭ୍ କେହି ଜାଣିନାହାନ୍ତି। କିନ୍ତୁ ଶହଶହ ଲୋକ ଅଜାଣତରେ ଏମାନଙ୍କ ସଂସ୍ପର୍ଶରେ ଆସୁଛନ୍ତି। ଏହି ୬ ପରିବାର ଯେପରି ଘରୁ ନବାହାରିବେ ସେଥିପାଇଁ ବସ୍ତି ବାସିନ୍ଦା ସେମାନଙ୍କ ଘର ଆଗରେ ବାଉଁଶ ବାଡ଼ ଦେଇଛନ୍ତି। କିନ୍ତୁ ସେମାନେ ବାଉଁଶ ଡେଇଁ ବଜାରରେ ବୁଲୁଛନ୍ତି। କାହିଁକି ବାହାରେ ବୁଲୁଛନ୍ତି ବୋଲି ପଚାରିବାରୁ କହୁଛନ୍ତି ଯେ, ଆମେ ମୂଲ ନଲାଗିଲେ ଚଳିବୁ କେମିତି। ପରିବା, ସଉଦା ନଆଣିଲେ ଖାଇବୁ କ’ଣ? ବିଏମ୍ସି କର୍ତ୍ତୃପକ୍ଷ ଆମକୁ ନେଇ ଯଦି ସଙ୍ଗରୋଧ କେନ୍ଦ୍ରରେ ରଖିଥାନ୍ତେ ଆମେ ରହିଥାନ୍ତୁ। ଆମକୁ ତ ଘରେ ରହିବାକୁ କହିଲେ ରହିଲୁ। ଆମର ଯାହା ଆବଶ୍ୟକ ତାହା ଆଣିବୁ ନା ନାହିଁ। ଅପରପକ୍ଷେ ୫ଜଣଙ୍କର କରୋନା ଲକ୍ଷଣ ଦେଖାଦେବାରୁ ଆଜି ବିଏମ୍ସି ପକ୍ଷରୁ ସେମାନଙ୍କର ସ୍ବାବ୍ ସଂଗ୍ରହ ହୋଇଛି। କିନ୍ତୁ ଗାନ୍ଧୀମାର୍କେଟ୍ ବସ୍ତିରେ ଲୋକମାନେ ପୂରା ଭୟଭୀତ ହୋଇଯାଇଛନ୍ତି।