ଖଣ୍ଡଗିରି: ଗାନ୍ଧୀଜୀଙ୍କ ନୀତି ଓ ଆଦର୍ଶକୁ ଜନାଦୃତ କରିବା ଉଦ୍ଦେଶ୍ୟରେ, ଛାତ୍ରଛାତ୍ରୀଙ୍କ ପାଖରେ ଗାନ୍ଧୀଙ୍କ ଭାବମୂର୍ତ୍ତିର ଅଧିକ ପ୍ରଚାରପ୍ରସାର କରିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ୨୦୨୦ ଫେବ୍ରୁଆରି ୨୨ ତାରିଖ‌ରେ ଖଣ୍ଡଗିରି ବାରିରେ ‘ଗାନ୍ଧୀ ଶାନ୍ତି କେନ୍ଦ୍ର’ ଉଦ୍‌ଘାଟନ କରିଥିଲେ। ପର୍ଯ୍ୟଟନ କ୍ଷେତ୍ରରେ ଖଣ୍ଡଗିରିକୁ ଅଧିକ ସମୃଦ୍ଧ କରିବା ଉଦ୍ଦେଶ୍ୟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି କେନ୍ଦ୍ର ନିର୍ମିତ ହୋଇଥିଲା। ଖଣ୍ଡଗିରି ଅଞ୍ଚଳ କେବଳ ଖଣ଼୍ଡଗିରି ଓ ଉଦୟଗିରିର ପାହାଡ଼, ଗୁମ୍ଫା, ପ୍ରାଚୀନ କୀର୍ତ୍ତିରାଜିରେ ସୀମିତ ନ ହୋଇ ଗାନ୍ଧୀଙ୍କ ଗୁଣ ଗାନ କରୁବୋଲି ଲକ୍ଷ୍ୟ ଥିଲା। ବିଶ୍ବରେ ଏହା ‘ଚତୁର୍ଥ ଗାନ୍ଧୀ ଶାନ୍ତିକେନ୍ଦ୍ର’ ହୋଇଥିବାରୁ ସମସ୍ତେ ଭାବିଥିଲେ ‌ପର୍ଯ୍ୟଟକଙ୍କ ଗହଳି ଲାଗି ରହିବ। ଦୀର୍ଘ ୪ ବର୍ଷ ପରେ ଏବେ ସେହି ଉଦ୍ଦେଶ୍ୟ ପୂରଣ ହେବାଭଳି ଦୃଶ୍ୟମାନ ହେଉଛି। ୩ ବର୍ଷ ହେଲା ଧିମେଇ ପଡ଼ିଥିବା‌ ଶାନ୍ତିକେନ୍ଦ୍ର ଏବେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ସଫଳ ହେଉଛି।

Advertisment

ଉଦ୍‌ଘା‌ଟନ ପରେ ପର୍ଯ୍ୟଟନ ବିଭାଗର ଅବହେଳା ଯୋଗୁ ଏଠାକୁ ପର୍ଯ୍ୟଟକଙ୍କ ବିଶେଷ ଆଗମନ ହେଉ ନଥିଲା। ୨୦୨୦ ଫେବ୍ରୁଆରି ୨୨ ତାରିଖ‌ରେ ଖୋଲିଥିବା କେନ୍ଦ୍ର ମାସକ ପରେ କରୋନା ଲକ୍‌ଡାଉନ୍‌ ଯୋଗୁଁ ବନ୍ଦ ରହିଲା। ୧୦ ମାସ ବନ୍ଦ ରହିବା ପରେ ୨୦୨୧ ଫେବ୍ରୁଆରିରେ ଏହା ପୁଣି ଖୋଲିଲା। ପୁଣି ୩ ମାସ ପରେ ଦ୍ବିତୀୟ ଲହର ଯୋଗୁଁ ବନ୍ଦ ରହିଲା। ଏହାପରେ କେନ୍ଦ୍ର ପୁଣି ଖୋଲିଲା ଅବଶ୍ୟ କିନ୍ତୁ ପ୍ରଚାରପ୍ରସାର ଅଭାବରୁ ପର୍ଯ୍ୟଟକ ଖଣ୍ଡଗିରି ଉଦୟଗିରି ବୁଲୁଥିଲେ ହେଁ ଶାନ୍ତିକେନ୍ଦ୍ରକୁ ଯାଉ ନଥିଲେ।

ହେଲେ ଗତ ୬ ମାସ ହେବ ଅନୁଷ୍ଠାନର ପ୍ରୟାସରୁ ପର୍ଯ୍ୟଟକଙ୍କ ସଂଖ୍ୟା‌ରେ ପ୍ରବଳ ପରିବର୍ତ୍ତନ ଆସିଛି। ପୂର୍ବେ ସେଠାକୁ ଦିନକରେ ୧୦ଜଣ ଆସୁ ନଥିଲେ, କିନ୍ତୁ ଏବେ ୧୦୦-୨୦୦ ସାଧାରଣ କଥା ହୋଇଗଲାଣି। କେବେକେବେ ତ ୫୦୦ ଟପି ଯାଉଛି। ଅତ୍ୟାଧୁନିକ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଆଧାରରେ ନିର୍ମିତ ଏହି ଗାନ୍ଧୀ ସଂଗ୍ରହାଳୟ ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କଲାଭଳି ହୋଇଛି। ଏଠାରେ ଗାନ୍ଧୀଙ୍କୁ ଅଧିକ ଜାଣିବାର ସୁଯୋଗ ଅଛି। ଏହି ଶାନ୍ତିକେନ୍ଦ୍ର ମଧ୍ୟରେ ଗାନ୍ଧୀଜୀଙ୍କ ସମ୍ପର୍କରେ ୬ଟି ପ୍ରଦର୍ଶନୀକକ୍ଷ ଅଛି। ପ୍ରତ୍ୟେକ କକ୍ଷରେ ଡିଜିଟାଲ ପରଦା ଜରିଆରେ ଗାନ୍ଧୀଜୀଙ୍କ କଥା ଓଡ଼ିଆ, ହିନ୍ଦୀ ଓ ଇଂରାଜୀରେ ଜାଣିବାର ସୁଯୋଗ ମିଳୁଛି। ପରିସରରେ ଅହିଂସା ଗ୍ୟାଲେରି, ଏକବିଂଶ ଶତାବ୍ଦୀରେ ମହାତ୍ମା, ମୋହନଦାସରୁ ମହାତ୍ମା, ମହାତ୍ମାରୁ ବାପୁ, ଗାନ୍ଧୀଙ୍କ ମାର୍ଗ ଓ ଶାଶ୍ବତ ଗାନ୍ଧୀ ଭଳି ବିଭିନ୍ନ ଗ୍ୟାଲେରି ରହିଛି। ସେଠାରେ ଗାନ୍ଧୀଜୀ ସ୍କୁଲ୍‌ ଜୀବନ ଆରମ୍ଭ କରିଥିବା କାଠିଆୱାଡ଼ା ହାଇସ୍କୁଲର ସ୍ମୃତି, ଗାନ୍ଧୀଜୀଙ୍କ ଛାତ୍ର ଜୀବନର ମାର୍କସିଟ୍‌, ରାଜା ହରିଶ୍ଚନ୍ଦ୍ର ଓ ଶ୍ରବଣ କୁମାରଙ୍କ କଥା ପଢ଼ି ଅନୁପ୍ରାଣିତ ହୋଇଥିବା ଗାନ୍ଧୀ, ଲବଣ ସତ୍ୟାଗ୍ରହ ପାଇଁ ସେ ପାଇଥିବା ଲାଇସେନ୍‌ସ ପତ୍ର, ହରିଜନ ପତ୍ରିକା ଛପା ଯାଉଥିବା ପ୍ରିଣ୍ଟିଂ ମେସିନ୍‌ର ପ୍ରତିକୃତି, ହରିଜନ ପତ୍ରିକାର ଶେଷ ପ୍ରକାଶିତ ସଂସ୍କରଣ, ଗାନ୍ଧୀଜୀଙ୍କ ସମ୍ପର୍କରେ ବିଶ୍ବର ଶ୍ରେଷ୍ଠବ୍ୟକ୍ତିମାନେ ଦେଇଥିବା ମନ୍ତବ୍ୟସବୁ ଏଠାରେ ସ୍ଥାନ ପାଇଛି। ଏଠାରେ ଦୁଇଟି ଡିଜିଟାଲ୍‌ ସ୍କ୍ରିନ ମଧ୍ୟ ଅଛି। ଏଥିରେ ଗାନ୍ଧୀଜୀଙ୍କ ସମ୍ପର୍କରେ ଜାଣିହେବ। ‌ଏକ ଟେଲିଫୋନ୍‌ ରଖାଯାଇଛି, ଯାହା ଉଠାଇ ଆପଣ କାନରେ ଦେବାକ୍ଷଣି ଗାନ୍ଧୀଙ୍କ ଭାଷଣ ଶୁଣିବାକୁ ପାଇବେ। ଏପରି କିଛି ଫଟୋ ଅଛି, ଯାହା ସମ୍ପର୍କରେ ବାରକୋଡ୍‌ ସ୍କାନ କରି ଅନେକ କଥା ଜାଣିହେବ। ମହାତ୍ମା ଗାନ୍ଧୀଙ୍କ ୪ ପୁତ୍ରଙ୍କ କଥାହେଉ, ଅବା ଗାନ୍ଧୀଜୀଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିବିଶେଷଙ୍କ କଥା, ସବୁକିଛି ବାରକୋଡ୍‌ ସ୍କାନରର ସହାୟତାରେ ଜାଣିହେବ। ପ୍ରତି କୋଠରିରେ ଜଣେ ଲେଖାଏଁ ଗାଇଡ୍‌ ମଧ୍ୟ ଅଛନ୍ତି। ଦେୟମୁକ୍ତ ଥିବା ଏହି କେନ୍ଦ୍ରର ପ୍ରୟାସ‌ରେ ଏବେ ସ୍ବତନ୍ତ୍ର ବସ୍‌ କରି ଛ‌ାତ୍ରଛାତ୍ରୀଙ୍କୁ ବୁଲାଇବାକୁ ଅଣା ଯାଉଛି। ଗତ ଅକ୍ଟୋବର ମାସରୁ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଆରମ୍ଭ ହୋଇଛି। ପୂର୍ବରୁ ସପ୍ତାହରେ ୧୦୦ ଜଣ ଆସିବା ଆଶା କରା ଯାଉନଥିଲା, କିନ୍ତୁ ବର୍ଷାସତ୍ବେ ଗତ ୭ ଦିନରେ ଏଠାକୁ ୧,୬୨୪ ଜଣ ପର୍ଯ୍ୟଟକ ଆସିଛନ୍ତି।