ଭୁବନେଶ୍ବର: ବିନା କାରିଗରି ଜ୍ଞାନକୌଶଳରେ ଗାନ୍ଧୀଜୀ ସେତେବେଳେ ପୂରା ଭାରତକୁ ଏକତାର ସୂତ୍ରରେ ଯୋଡ଼ି ପାରିଥିଲେ। ମଣିଷ ସହ ମଣିଷକୁ ଯୋଡ଼ିବାରେ ତାଙ୍କର ଅପାର କ୍ଷମତା ଥିଲା। ତେଣୁ ଦେଶ ହେଉ କି ବିଦେଶ, ଗାନ୍ଧୀଜୀଙ୍କ ସର୍ବାଧିକ ପ୍ରତିମୂର୍ତ୍ତି ଦେଖିବାକୁ ମିଳିଥାଏ। ବର୍ତ୍ତମାନର ଅବକ୍ଷୟମୁଖୀ ସମାଜ ପାଇଁ ଗାନ୍ଧୀନୀତି ଓ ଆଦର୍ଶର ଆବଶ୍ୟକତା ରହିଛି। ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଓ ବଡ଼ଗଡ଼ ହାଇସ୍କୁଲ ପୁରାତନ ଛାତ୍ର ସଂସଦର ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ‘ଷ୍ଟୁଡେଣ୍ଟସ୍ ରିମେମ୍ବର୍ ମହାତ୍ମା ଗାନ୍ଧୀ’ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି।
ଗାନ୍ଧୀନୀତି ସମାଜରେ କୁସଂସ୍କାର, ଦୁର୍ନୀତି ଓ ଚରିତ୍ର ସ୍ଖଳନକୁ ରୋକିପାରିବ: ପଦ୍ମଚରଣ
ଗାନ୍ଧୀଜୀଙ୍କ ସହ ଜଡ଼ିତ ଏକ ଘଟଣାବଳୀର ଉଦାହରଣ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଗାନ୍ଧୀଜୀଙ୍କ ଉଚ୍ଚାରଣ ଓ ଆଚରଣରେ ସମତା ଥିଲା। ସେ ଲୋକମାନଙ୍କୁ ଯେଉଁ ଉପଦେଶ ଦେଉଥିଲେ, ତାହାକୁ ପ୍ରଥମେ ନିଜ ବ୍ୟକ୍ତିଗତ ଜୀବନରେ ଅନୁପାଳନ କରୁଥିଲେ। ତେଣୁ ସମସ୍ତେ ଗାନ୍ଧୀଙ୍କ ମାର୍ଗ ଅନୁସରଣ କରିବା ଉଚିତ ବୋଲି ସେ କହିଥିଲେ। ଏହାବ୍ୟତୀତ ୪ଟି ‘ମ’ (ମାଆ, ମାଟି, ମାତୃଭାଷା ଓ ମୋବାଇଲ୍) ଉପରେ ଗୁରୁତ୍ବ ଦେବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ।
ଏହି ଅବସରରେ ବିଶିଷ୍ଟ ଗାନ୍ଧୀବାଦୀ, ସମାଜସେବୀ ପଦ୍ମଚରଣ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀ ନାୟକ କହିଥିଲେ ଯେ ବର୍ତ୍ତମାନର ଯୁବ ଓ ଛାତ୍ରସମାଜ ନିଶା କବଳିତ। ପୂର୍ବ ଅପେକ୍ଷା ଏବେ ହଜାରେ ଗୁଣରେ ନିଶା କାରବାର ବୃଦ୍ଧି ପାଇଛି। ଏଥିଯୋଗୁଁ ସମାଜରେ କୁସଂସ୍କାର, ଦୁର୍ନୀତି, ଚରିତ୍ର ସ୍ଖଳନ ବୃଦ୍ଧି ପାଉଛି। ତେବେ ଗାନ୍ଧୀନୀତି ହିଁ ଏହାକୁ ଦୂର କରି ସମାଜରେ ଶ୍ରଦ୍ଧା, ସହାନୁଭୂତି ପ୍ରତିଷ୍ଠା କରିପାରିବ। ଏହି ଅବସରରେ ସେ ଛାତ୍ର ଓ ଯୁବକମାନଙ୍କୁ ନିଶାଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। ପରେ ସେ ବିଦ୍ୟାଳୟ ପରିସରରେ ମହାତ୍ମାଙ୍କ ଏକ ପ୍ରତିମୂର୍ତ୍ତିକୁ ଅନାବରଣ କରିଥିଲେ।
ସମ୍ମାନିତ ଅତିଥି ୟୁନିୟନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଆଞ୍ଚଳିକ ପରିଚାଳନା ନିର୍ଦ୍ଦେଶକ ରମାକାନ୍ତ ପ୍ରଧାନ ଗାନ୍ଧୀଙ୍କ ଚିନ୍ତା ଓ ଚେତନାରେ ଛାତ୍ରସମାଜ ଅଭିଭୂତ ହେବାକୁ ପ୍ରେରଣା ଦେଇଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରଘୁନାଥ ମିଶ୍ର ଗାନ୍ଧୀ ଚିନ୍ତନ, ଗାନ୍ଧୀଙ୍କ ପ୍ରତିଟି ଉକ୍ତିକୁ ପିଲମାନେ ଜୀବନରେ ଅନୁସରଣ କରିବାର ଆବଶ୍ୟକତା ଅଛି ବୋଲି କହିଥିଲେ। ଉତ୍ସବର ପୁରୋଧା ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଡେପୁଟି ଗଭର୍ଣ୍ଣର ହାରୁନ ରସିଦ ଖାନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ଏହି କାର୍ଯ୍ୟକ୍ରମ ଯୁବ ସମାଜକୁ ପରିବର୍ତ୍ତନର ବାର୍ତ୍ତା ଦେବ ବୋଲି ସେ କହିଥିଲେ। ବିଦ୍ୟାଳୟର ପରିଚାଳକ ତଥା ବଡ଼ଗଡ଼ ପୁରାତନ ଛାତ୍ର ସଂସଦର ପରାମର୍ଶଦାତା ପ୍ରତାପ ଜେନା ଗାନ୍ଧୀବାଣୀ ଅନୁସରଣ କଲେ, ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି କହିଥିଲେ। ପୁରାତନ ଛାତ୍ର ସଂସଦ, ବଡ଼ଗଡ଼ ହାଇସ୍କୁଲର ସଭାପତି ମାନସ ମହାପାତ୍ର, ଶିକ୍ଷା ସହ ଆନୁଷଙ୍ଗିକ ଗୁଣର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ସ୍କୁଲ ପକ୍ଷରୁ ପୂର୍ବ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।
ଦିବସବ୍ୟାପୀ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରାତଃ ତଥା ପ୍ରଥମ ଅଧିବେଶନରେ ସ୍କୁଲ ପକ୍ଷରୁ ସର୍ବଧର୍ମ ପ୍ରାର୍ଥନା ସଭା ଓ ଶାନ୍ତି ପଦଯାତ୍ରା କରାଯାଇଥିଲା। ଏଥିରେ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ସହ ଗାନ୍ଧୀଙ୍କ ସମ୍ପର୍କ ଓ ଗାନ୍ଧୀ ଦର୍ଶନ, ଚିନ୍ତନ ଉପରେ ବକ୍ତବ୍ୟ ରଖିଥିଲେ।
ପ୍ରଥମ ଅଧିବେଶନରେ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମନୋଜା ମଞ୍ଜରୀ ସାହୁ ଏବଂ ଦ୍ୱିତୀୟ ଅଧିବେଶନରେ ବିଜେଇଏମ୍ ସ୍କୁଲର ଅଧ୍ୟକ୍ଷା ସନ୍ଧ୍ୟା ଜେନା ସ୍ୱାଗତ ଭାଷଣ ଦେଇଥିଲେ। ଉପାଧ୍ୟକ୍ଷା ପଲ୍ଲବୀ ମହାପାତ୍ର ଧନ୍ୟବାଦ ଦେଇଥିଲେ।
କାର୍ଯ୍ୟକ୍ରମରେ ବିଦ୍ୟାଳୟର ଉପପରିଚାଳକ ସଂଗ୍ରାମ କେଶରୀ ନାୟକ, ବିଦ୍ୟାଳୟ ପରିଚାଳନା କମିଟିର ବରିଷ୍ଠ ସଦସ୍ୟ କୃଷ୍ଣଚନ୍ଦ୍ର ପାତ୍ର, ୟୁନିୟନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଡେପୁଟି ମ୍ୟାନେଜର ଶୋଭନ ସେନ୍ଗୁପ୍ତା, ୟୁନିୟନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ମ୍ୟାନେଜର ମନୋଜ କୁମାର ପାତ୍ର, ବିଦ୍ୟାଳୟର ପର୍ଯ୍ୟବେକ୍ଷକ ଶିବାନୀ ପଟ୍ଟନାୟକ, ବରଦା ପ୍ରସାଦ ପାଇକରାୟ, ସ୍ମିତା ମହାନ୍ତି, ସୁଚରିତା ଦାସଙ୍କ ସମେତ ଉଭୟ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।