ନିଶାରେ ବୁଡ଼ିଛି ରାଜଧାନୀ, ଗାନ୍ଧୀଜୀଙ୍କ ନିଶା ନିବାରଣ ସ୍ବପ୍ନ ସାକାର ହେବ ତ!

ଭୁବନେଶ୍ବର : ସ୍ବାଧୀନ ଭାରତବର୍ଷରୁ ସମ୍ପୂର୍ଣ୍ଣ ନିଶା ନିବାରଣର ସ୍ବପ୍ନ ଦେଖିଥିଲେ ସ୍ବାଧୀନତା ସଂଗ୍ରାମର ମହାନାୟକ ମହାତ୍ମା ଗାନ୍ଧୀ। ଏଥିପାଇଁ ସେ ତାଙ୍କର ବିବିଧ ରଚନାତ୍ମକ କାର୍ଯ୍ୟକ୍ରମ ମଧ୍ୟରେ ନିଶା ନିବାରଣ ଅଭିଯାନକୁ ସବୁଠୁ ଅଧିକ ପ୍ରାଧାନ୍ୟ ମଧ୍ୟ ଦେଇଥିଲେ। କିନ୍ତୁ ଆଜି ସ୍ବାଧୀନତାର ୭୪ ବର୍ଷ ପରେ ଭାରତବର୍ଷକୁ ଦେଖିଲେ, ସବୁଠି ଜଳଜଳ ଦିଶୁଛି ନିଶା ରାକ୍ଷସର ରାଜତ୍ବ। ଗାଁଠୁ ସହର ଯାଏ ଲମ୍ବିଛି ନିଶା କାରବାରର ଚେର। ମଦ, ଗଞ୍ଜେଇଠୁ ନେଇ ଅଫିମ, ହେରୋଇନ୍, ବ୍ରାଉନସୁଗାର ଯାଏ ମାରାତ୍ମକ ନିଶାର ଜାଲ ବିଛାଇ ଭବିଷ୍ୟତ ପିଢ଼ିଙ୍କ ଚିନ୍ତାଚେତନାକୁ ପଙ୍ଗୁ କରିଦେଲେଣି ନିଶାମାଫିଆ। ରାଜଧାନୀ ଭୁବନେଶ୍ବର ବି ନିଶାର ଏହି ବିଷବଳୟରୁ ବାଦ୍‌ ପଡ଼ିନାହିଁ। ଦିନକ ତଳେ ଖୋର୍ଧା ବସ୍‌ଷ୍ଟାଣ୍ଡ ନିକଟରେ ଚଢ଼ଉ କରି ଏସ୍‌ଟିଏଫ୍‌ ୧ କେଜି ୨୬୫ଗ୍ରାମ୍‌ର ବ୍ରାଉନ୍‌ ସୁଗାର ଜବତ କରିଥିଲା। ଯାହାର ମୂଲ୍ୟ ୧କୋଟି ୩୦ ଲକ୍ଷ ଟଙ୍କା ହେବ। ରାଜଧାନୀର ବିଭିନ୍ନ ବସ୍ତି ଅଞ୍ଚଳରୁ ମଧ୍ୟ କୋଟି କୋଟି ଟଙ୍କାର ବ୍ରାଉନସୁଗାର ବିଭିନ୍ନ ବସ୍ତି ଅଞ୍ଚଳରୁ ଜବତ କରି ଚାଲଛି କମିସନରେଟ୍ ପୁଲିସ। ଗତ ୫ ମାସରେ କେବଳ କଟକ-ଭୁବନେଶ୍ବର ଦ୍ବୈତନଗରୀରେ ୭କୋଟିରୁ ଅଧିକ ଟଙ୍କାର ବ୍ରାଉନ୍‌ସୁଗାର ଜବତ ହେଲାଣି। ସେହିପରି ନୟାପଲ୍ଲୀ ସାଲିଆସାହିରେ ଅବକାରୀ ବିଭାଗ ଚଢ଼ଉ କରି ୬୦୦୦ ଲିଟର ଚାଉଳି ନଷ୍ଟ କରିଥିବା ବେଳେ ୫୦୦ ଲିଟର ଦେଶୀ ମଦ ଜବତ କରାଯାଇଥିଲା। ନିୟମିତ ବ୍ୟବଧାନରେ ସାଲିଆସାହିରୁ ଏହିଭଳି ଦେଶୀ ମଦ ଜବତ ହେବା ନିତିଦିନିଆ ଘଟଣା ପାଲଟିଲାଣି।

ମଦ ବିରୋଧରେ ମହିଳା ଉତ୍ତ୍ୟକ୍ତ ହୋଇ ମଦଭାଟି ଭାଙ୍ଗିବା ଓ ରାଜରାସ୍ତାକୁ ଓହ୍ଲାଇ ଆସିବା ଦୃଶ୍ୟ ବି ଦେଖିବାକୁ ମିଳୁଛି। ଆଉ ଏସବୁ ହିଁ ପ୍ରମାଣିତ କରି ଦେଉଛି, ରାଜଧାନୀ ଭଳି ଶିକ୍ଷିତ ଓ ସଚେତନ ସହରରେ ‘ମହାତ୍ମା ଗାନ୍ଧୀଙ୍କ ନିଶାମୁକ୍ତ ଭାରତର ସ୍ବପ୍ନ’ କେତେ ସାକାର ହୋଇଛି। ନିଶା କାରବାରରେ ସଂପୃକ୍ତ ହୋଇ ହଜାର ହଜାର ଯୁବକ ପ୍ରତିବର୍ଷ ଜେଲ୍‌ ଯାଉଛନ୍ତି। ବସ୍ତି ବସ୍ତିରେ ନିଜ କାୟା ମେଲାଇ ଚାଲିଛି ନିଶା କାରବାର। ଖାଲି ସହରର ବସ୍ତି ଅଞ୍ଚଳ କାହିଁକି ପଲ୍ଲୀଠୁ ଦିଲ୍ଲୀଯାଏ ସବୁଠି ନିଶାର ରାଜୁତି। ଏସବୁ ଦେଖିଲେ ମନେ ହେଉଛି, ସତେଯେମିତି ଗାନ୍ଧୀଜୀଙ୍କ ନିଶା ନିବାରଣର ସ୍ବପ୍ନ ଭାଙ୍ଗି ଚୂରମାର୍‌ ହୋଇଯାଇଛି।

ନିଶା ନିବାରଣ ପାଇଁ ରାଜସ୍ବ ମଡେଲରେ ପରିବର୍ତ୍ତନ ଲୋଡ଼ା
ଗାନ୍ଧୀଜୀଙ୍କ ସ୍ବପ୍ନ ଥିଲା, ଭାରତର ଜଣେ ବି ଲୋକ ଯେମିତି ନିଶାପାନ ନ କରନ୍ତୁ। ଆମର ଆର୍ଟିକିଲ୍‌ ୪୭ରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ରାଜ୍ୟ ସରକାର ରାଜ୍ୟରେ ନିଶାର ଉତ୍ପାଦନ, ବିକ୍ରି ଓ ସେବନ ବନ୍ଦ କରିବା ପାଇଁ ପଦକ୍ଷେପ ନେବେ। ଦେଶର ସବୁ ରାଜ୍ୟ ପାଇଁ ଏହି ଆଇନ ବଳବତ୍ତର ଥିଲା। ଓଡ଼ିଶାରେ ବି ୧୯୫୬ ମସିହାରେ ନିଶା ନିବାରଣ ଆଇନ ବିଧାନସଭାରେ ଗୃହୀତ ହୋଇଥିଲା। ତଥାପି ଏଯାଏ ଆମେ ନିଶା ନିବାରଣ ଦିଗରେ କିଞ୍ଚିତ ମାତ୍ର ବି ସଫଳ ହୋଇନାହେଁ। ନିଶା ନିବାରଣ ପାଇଁ ଆମକୁ ଆମ ରାଜସ୍ବ ମଡେଲରେ ବଡ଼ଧରଣର ପରିବର୍ତ୍ତନ ଆଣିବାକୁ ପଡ଼ିବ। ନିଶା ପାଇଁ ଆମେ ଯେଉଁ ଟିକସ ପାଉଛେ, ହିସାବ କଲେ ଜଣାପଡ଼ିବ ଅବକାରୀ ବିଭାଗ ତଥା ଏହାର କର୍ମଚାରୀ ଦରମା ଓ ଆନୁଷଙ୍ଗିକ ଖର୍ଚ୍ଚକୁ ଆଦିକୁ ମିଶାଇଲେ ସେ ରାଜସ୍ବ ଦିଗରେ ଆମର ବିଶେଷ ଲାଭ ହେଉନାହିଁ। ବିହାର ଓ ଗୁଜୁରାଟ ସରକାରଙ୍କ ନିଶାବନ୍ଦ ଆଇନ ଲାଗୁ କରିଛନ୍ତି, ସେମାନଙ୍କ ଅନୁଭୂତିକୁ ନେଇ ଆମେ ସେ ଦିଗରେ ଅଗ୍ରସର ‌ହେଲେ ଗାନ୍ଧୀଜୀଙ୍କ ନିଶାମୁକ୍ତ ଭାରତ ଦିନେ ସଫଳ ହୋଇପାରିବ।
ଭଗବାନ ପ୍ରକାଶ, ବିଶିଷ୍ଟ ଚିନ୍ତକ ଓ ସ୍ତମ୍ଭକାର

ସରକାର ଚାହିଁଲେ ଦେଶ ତଥା ରାଜ୍ୟରୁ ନିଶା ଦୂର ହୋଇପାରିବ
ବାପୁଜୀ ଚାହୁଁଥିଲେ ଦେଶ ସ୍ବାଧୀନ ହେବାର ୨୪ ଘଣ୍ଟା ଭିତରେ ଦେଶ ନିଶାମୁକ୍ତ ହେଉ। ହେଲେ ସ୍ବାଧୀନତାର ଏହି ୭୫ ବର୍ଷ ଭିତରେ ନିଶା ୭୫ଗୁଣ ଅଧିକ ବଢ଼ିଯାଇଛି। ଅର୍ଥାତ୍‌ ଗାନ୍ଧୀଜୀଙ୍କ ନିଶାମୁକ୍ତର ସ୍ବପ୍ନ ସମ୍ପୂର୍ଣ୍ଣ ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି। ଓଡ଼ିଶାରେ ତ’ ସରକାର ମଦକୁ ଅଧିକରୁ ଅଧିକ ପ୍ରୋତ୍ସାହିତ କରି ଚାଲିଛନ୍ତି। ଏହି ନିଶା ଯୋଗୁଁ ଆମ ସମାଜ ତଳିତଳାନ୍ତ ହେବାରେ ଲାଗିଛି। କେବଳ ସରକାର ଚାହିଁଲେ ଦେଶ ତଥା ରାଜ୍ୟରୁ ନିଶା ଦୂର ହୋଇପାରିବ। ଏଥିସହ ଲୋକଙ୍କ ସହଯୋଗ ଓ ସମାଜରେ ସଚେତନତା ମଧ୍ୟ ଲୋଡ଼ା‌। ଘରଠାରୁ ଆରମ୍ଭ କରି ବିଦ୍ୟାଳୟ, ସାଂସ୍କୃତିକ ଅନୁଷ୍ଠାନ, ଗଣମାଧ୍ୟମ ସବୁଠାରେ ଏକଥା ବାରମ୍ବାର ଆଲୋଚନା ହେବା ଦରକାର। ନିଶାମୁକ୍ତି ଆନ୍ଦୋଳନର କାୟା ବି ବଢ଼ିଛି। ଆ‌‌ନ୍ଦୋଳନ ଯୋଗୁଁ କିଛି ଲୋକ ଆତ୍ମଚିନ୍ତନ ପାଇଁ ବାଧ୍ୟ ବି ହୋଇଛନ୍ତି। ଏହି ଆନ୍ଦୋଳନ ଆହୁରି ଜନାଭିମୁଖୀ ହେବା ଆବଶ୍ୟକ। ଘରେ ଘରେ ଏହି ଆନ୍ଦୋଳନର ଶିଖା ଜଳିବା ଆବଶ୍ୟକ।
ପଦ୍ମଚରଣ ନାୟକ, ବିଶିଷ୍ଟ ସମାଜସେବୀ

ନିଶା ନିବାରଣ ନ ହେଲେ ଦାରିଦ୍ର୍ୟ ନିରାକରଣ ଅସମ୍ଭବ
ନିଶା ନିବାରଣ ବା ନିଶାମୁକ୍ତ ଭାରତ; ସ୍ବାଧୀନତା ଆନ୍ଦୋଳନର ଯେତେସବୁ ଘୋଷିତ ପ୍ରତିଶ୍ରୁତି ଥିଲା ତା’ ଭିତରୁ ଅନ୍ୟତମ। ସ୍ବରାଜ୍ୟ ଆସିଲେ ଦେଶର ସ୍ଥିତି କ’ଣ ହେବ ବୋଲି ଯାହା କୁହାଯାଇଥିଲା, ତାକୁ ଅଧିକ ସ୍ପଷ୍ଟ କରି କୁହାଯାଇଥିଲା ଦେଶ ସ୍ବାଧୀନ ହେଲେ ସରକାର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ନିଶା କାରବାର କରିବେ ନାହିଁ। ଏଥିସହ ସ୍ବାଧୀନ ଭାରତରେ ଏହାକୁ କେନ୍ଦ୍ରୀୟ ତାଲିକାରେ ନ ରଖି ରାଜ୍ୟ ତାଲିକାରେ ରଖାଗଲା। ଓଡ଼ିଶାରେ ସ୍ବାଧୀନତା ପୂର୍ବରୁ ୧୯୩୯ ମସିହାରେ ବିଶ୍ବନାଥ ଦାଶଙ୍କ ସରକାର ସମୟରେ ବି ନିଶା ନିବାରଣ ଆଇନ ଥିଲା। ପରବର୍ତ୍ତୀ ସମୟରେ ୧୯୫୬ ମସିହାରେ ନବକୃଷ୍ଣ ଚୌଧୁରୀଙ୍କ ସମୟରେ ନିଶା ନିବାରଣ ଆଇନ ବିଧାନସଭାରେ ଗୃହୀତ ହେଲା ଓ ରାଜ୍ୟପାଳ ତଥା ରାଷ୍ଟ୍ରପତିଙ୍କ ସ୍ବୀକୃତି ପାଇଲା। ଏତେ ସବୁ ପରେ ଏବେ ନିଶା କମିବା ପରିବର୍ତ୍ତେ, ଏହାର ପ୍ରସାରଣ ଉପରେ ସରକାର ଅଧିକ ଗୁରୁତ୍ବ ଦେଉଛନ୍ତି। ରାଜ୍ୟ ସରକାରଙ୍କ ଯୁବନୀତିରେ ନିଶାମୁକ୍ତ ଗ୍ରାମ ପ୍ରତିଷ୍ଠା ପାଇଁ କୁହାଯାଇଥିବ‌ା ‌ବେଳେ ବର୍ତ୍ତମାନ ନିଶାଯୁକ୍ତ ଯୁବକ, ନିଶାଯୁକ୍ତ ଗ୍ରାମ ପାଇଁ ପ୍ରୋତ୍ସାହନ ଦିଆଯାଉଛି। ଫଳରେ ମହିଳାମାନଙ୍କ ନିରାପତ୍ତା, ଆର୍ଥିକ ବ୍ୟବସ୍ଥା, ପାରିବାରିକ ସ୍ଥିତି ଓ ସାମାଜିକ ସ୍ଥିତିକୁ ଧ୍ବଂସ କରି ଦେଉଛି। ନିଶା ନିବାରଣ ନ ହେଲା ପର୍ଯ୍ୟନ୍ତ ଦାରିଦ୍ର୍ୟ ନିରାକରଣ ପାଇଁ ଯେତେ ଯୋଜନା ସେ ସବୁ ଫଳପ୍ରଦ ହେବା ଅସମ୍ଭବ।
ପ୍ରହଲ୍ଲାଦ ସିଂହ, ଗାନ୍ଧୀବାଦୀ

ଯୁବପିଢ଼ିଙ୍କୁ ଜାଣିଶୁଣି ନିଶା ଆଡ଼କୁ ଠେଲି ଦିଆଯାଉଛି
ରାଜ୍ୟ ତଥା ଦେଶରେ ଏବେ ଜାଣିଶୁଣି ଯୁବପିଢ଼ିଙ୍କୁ ନିଶା ଆଡ଼କୁ ଠେଲି ଦିଆଯାଉଛି। ‌ଯୁବପିଢ଼ିଙ୍କ ଅବସାଦ, ଦୁଃଖ, ବେରୋଜଗାର ତଥା ଅପରିପକ୍ବତାର ଫାଇଦା ଉଠାଇ ନିଶା ବେପାରୀମାନେ ସେମାନଙ୍କୁ ଟାର୍ଗେଟ୍‌ କରିବାରେ ଲାଗିଛନ୍ତି। ସରକାର ନିଜେ ଚାହିଲେ, ଡ୍ରଗ୍ସ, ମଦ ଓ ସମସ୍ତ ନିଶା ଯେ ବନ୍ଦ କରିପାରିବେ ନାହିଁ; ସେକଥା ନୁହେଁ। କିନ୍ତୁ ଏ ନେଇ ସରକାର ବି ସଦିଚ୍ଛା ପ୍ରକାଶ କରୁନାହାନ୍ତି। ସେମିତିରେ ଅନୁମତିପ୍ରାପ୍ତ ନିଶା କାରବାର ଅପେକ୍ଷା ବେଆଇନ ନିଶା କାରବାର ଅଧିକ ଚାଲିଛି। ଆଉ ଏହି ବେଆଇନ ମଦ ବି ନିଶା ବିରୋଧ‌ରେ ମହିଳା ଓ ବିଭିନ୍ନ ସାମାଜିକ ସଂଗଠନ ହିଁ ସ୍ବର ଉଠାଉଛନ୍ତି। ଓଡ଼ିଶା ଏକମାତ୍ର ରାଜ୍ୟ, ଯେଉଁଠାରେ ମଦ ନିଗମ ଗଠିତ ହୋଇଛି। ଅର୍ଥାତ ସରକାର ଏଠାରେ ମଦ ବେପାର କରୁଛନ୍ତି। ଏଥିସହ ଯେଉଁ ମଦ ଦୋକାନୀ ଅଧିକ ଆୟ ଦେବେ, ସରକାର ସେମାନଙ୍କ ପାଇଁ ପୁରସ୍କାର ବି ‌ଘୋଷଣା କରିଛନ୍ତି। ଏପରିସ୍ଥଳେ ବାପୁଜୀଙ୍କ ନିଶାମୁକ୍ତ ଭାରତର ସ୍ବପ୍ନ ସାକାର ହେବ କିପରି?
ତାପସୀ ପ୍ରହରାଜ, ବିଶିଷ୍ଟ ସମାଜସେବୀ

ସମ୍ବନ୍ଧିତ ଖବର