ରାଜଧାନୀ ଗଣେଶ ମାର୍କେଟ୍‌ ବ୍ୟବସାୟୀଙ୍କୁ ସ୍ଥାୟୀ ଦୋକାନ ଘର କାହାକୁ ମିଳିବ, କେବେ ମିଳିବ?

ଭୁବନେଶ୍ୱର: ଝାରପଡ଼ା ଗଣେଶ ମାର୍କେଟ୍‌ରୁ ବିଡିଏ ବଡ଼ି ଭୋର୍‌ରୁ ଶହ ଶହ ଦୋକାନ ଉଚ୍ଛେଦ କରିବା ପରେ ବ୍ୟବସାୟୀମାନେ ହତାଶ ହୋଇଛନ୍ତି। ବିଡିଏ, ବିଏମ୍‌ସି ଅଧିକାରୀଙ୍କ ନାମରେ ଥାନାରେ ଏତଲା ଦିଆଯିବା ସହ ଦୋକାନ ମାନବାଧିକାର ଉଲ୍ଲଂଘନ ଅଭିଯୋଗରେ ରାଜ୍ୟ ମାନବାଧିକାର କମିସନ (ଓଏଚ୍‌ଆରସି)ରେ ମଧ୍ୟ ଅଭିଯୋଗ ହୋଇଛି। ବ୍ୟବସାୟୀମାନେ ବିଡିଏର ବରିଷ୍ଠ ଅଧିକାରୀ ଓ ବିଏମ୍‌ସି ମେୟରଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ବିଜେଡି ସାଙ୍ଗଠନିକ ସମ୍ପାଦକଙ୍କ ପାଖରେ ମଧ୍ୟ ଫେରାଦ ହୋଇଛନ୍ତି। ସବୁଠି ଶହ ଶହ ବ୍ୟବସାୟୀଙ୍କ ସ୍ବାର୍ଥ ରକ୍ଷା ପାଇଁ ପ୍ରାର୍ଥନା ହୋଇଛି ଓ ପ୍ରତିଶ୍ରୁତି ମଧ୍ୟ ମିଳିଛି। କିନ୍ତୁ ଇତିମଧ୍ୟରେ ୧୦ ଦିନ ବିତିଥିଲେ ମଧ୍ୟ ସେମାନଙ୍କୁ କ୍ଷତିପୂରଣ କିମ୍ବା ଅସ୍ଥାୟୀ ଭାବେ ବସି ବ୍ୟବସାୟ କରିବାକୁ ବ୍ୟବସ୍ଥା ହୋଇ ନାହିଁ। ସ୍ଥାୟୀ ବ୍ୟବସ୍ଥା ପାଇଁ ଗତକାଲି ମେୟର ପ୍ରତିଶ୍ରୁତି ଦେଇଛନ୍ତି। ସର୍ଭେ ପରେ ସମସ୍ତ ବ୍ୟବସାୟୀଙ୍କୁ ସ୍ଥାୟୀ ଭାବରେ ବ୍ୟବସାୟ କରିବା ପାଇଁ ବନ୍ଦୋବସ୍ତ କରାଯିବ ବୋଲି କହିଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି କେବେ ମିଳିବ? କାହାକୁ ମିଳିବ?

ସେଠାରେ ୪୨୯ ଜଣ ବସି ବ୍ୟବସାୟୀ ରହିଥିବା ବ୍ୟବସାୟୀ ସଂଘ ଦାବି କରୁଛି। ଏ ସମସ୍ତଙ୍କ ପାଇଁ ସ୍ଥାୟୀ ବ୍ୟବସ୍ଥା କରିବାକୁ ଗତକାଲି ବୈଠକରେ ଦାବି ହୋଇଛି। କିନ୍ତୁ ବିଡିଏ ତଥ୍ୟ ମୁତାବକ, ଝାରପଡ଼ା ମୌଜାର ସରକାରୀ ପ୍ଲଟ ନମ୍ବର ୬୮୩ରେ ଥିବା ୩ ଏକର ୨୦୭ ଡିସିମିଲ ଜାଗାରେ ଏହି ଅସ୍ଥାୟୀ ହାଟ ହୋଇଥିଲା। ଏଥିରୁ ଗତ ୮ ତାରିଖ ଦିନ ୩ଟି ଚାଳ ଘର, ୧୪ଟି ବଡ଼ ଗୋଦାମ, ୯୭ଟି ଟିଣ ଦୋକାନ, ୨୫ଟି ଅସ୍ଥାୟୀ ପରିବା ଦୋକାନ, ୫୨ଟି କ୍ୟାବିନ ଏଭଳି ମୋଟ ୧୯୧ଟି ଦୋକାନ ଭଙ୍ଗା ଯାଇଛି। ଯଦି ୧୯୧ ଦୋକାନ ଭଙ୍ଗା ଯାଇଛି ଏବଂ ସମସ୍ତ ଦୋକାନ ଉଚ୍ଛେଦ କରାଯାଇଛି, ତେବେ ୪୨୯ ଆସିଲେ କେଉଁଠୁ? ଯଦି ୪୨୯ ଥିଲେ ତେବେ ବିଡିଏକୁ ୧୯୧ ଦୋକାନ ଭାଙ୍ଗିବାକୁ ନିର୍ଦ୍ଦେଶ ଗଲା କେମିତି?

ବାକି ୨୩୮ ବ୍ୟବସାୟୀ ଅସ୍ଥାୟୀ ଘର ନ କରି ଯଦି ଖାଲି ଜାଗାରେ ବସି ବ୍ୟବସାୟ କରୁଥିଲେ ତେବେ ତାଙ୍କର ତଥ୍ୟ ବିଏମ୍‌ସି ପାଖରେ ଅଛି ତ? ମେୟରଙ୍କ ପ୍ରତିଶ୍ରୁତି ଧୂଆଁବାଣ ହୋଇଯିବନି ତ? ଏଭଳି ଅନେକ ପ୍ରଶ୍ନ ଏବେ ଉଚ୍ଛେଦ ହୋଇଥିବା ବ୍ୟବସାୟୀଙ୍କ ପାଇଁ ସ୍ଥାୟୀ ବ୍ୟବସ୍ଥା କରିବା ପ୍ରସଙ୍ଗକୁ ବିବାଦୀୟ କରି ପକାଇଛି।

ଏଠାରେ ଉଲ୍ଲେଖ କରାଯାଇପାରେ, ସ୍ମାର୍ଟ ସିଟି ସ୍ମାର୍ଟ ଜନପଥ ତିଆରି କରିବା ବେଳେ ଉଠାଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିଲା। ୨୦୧୫ ମସିହାରେ ଏ ନେଇ ସର୍ବେକ୍ଷଣ କରାଯାଇଥିଲା। ହେଲେ ଦୋକାନ(ସ୍ମାର୍ଟ କିଓସ୍କ) ମିଳିବା ବେଳକୁ ୭ବର୍ଷ ବିତିଗଲା। ୨୦୨୨ ମସିହାରେ ସେମାନଙ୍କୁ ଦୋକାନ ମିଳିଥିଲା। ସେଥିରେ ବି ଶହେ କେଁ ରହିଥିଲା। କିଏ ୪୦୦ ବର୍ଗଫୁଟ୍‌ ଅଞ୍ଚଳରେ ବସି ବ୍ୟବସାୟ କରୁଥିବା ବେଳେ ତାକୁ ଶହେ ବର୍ଗଫୁଟ୍‌ର ଦୋକାନ ମିଳିଥିଲା। କିଏ ରାଜମହଲରେ ବସୁଥିବା ବେଳେ ତାକୁ ଶ୍ରୀୟା ଛକରେ ମିଳିଥିଲା। ୫୦ରୁ ବେଶି ବ୍ୟବସାୟୀ ମଧ୍ୟ ବାଦ୍‌ ପଡ଼ିଥିଲେ। ମାମଲା କୋର୍ଟରେ ପହଞ୍ଚିଥିଲା। ଆଜି ପର୍ଯ୍ୟନ୍ତ ବି ଅଡ଼ୁଆ ତୁଟିନି।

ୟୁନିଟ୍‌-୨ ଅଞ୍ଚଳରେ ଥିବା ଫଳ ବଜାରର ଅବସ୍ଥା ମଧ୍ୟ ତଦ୍ରୂପ। କଳ୍ପନାରୁ ରାଜମହଲ ଦେଇ ଏଜି ଛକ ପର୍ଯ୍ୟନ୍ତ ରାସ୍ତା କଡ଼ରେ ବସୁଥିବା ଫଳ ବ୍ୟବସାୟୀଙ୍କ ପାଇଁ ବିଏମ୍‌ସି ୟୁନିଟ୍‌-୨ ଅଞ୍ଚଳରେ ଫଳ ବଜାର ତିଆରି କରିଥିଲା। ୨୦୧୨ ମସିହାରେ ଜିଏ ବିଭାଗ ବିଏମ୍‌ସିକୁ ଜାଗା ଯୋଗାଇ ଦେଇଥିଲା। ୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ତିନି ମହଲା କୋଠାରେ ପ୍ରାୟ ୭୨ ବ୍ୟବସାୟୀଙ୍କୁ ଦୋକାନ ଘର ମଧ୍ୟ ଆବଣ୍ଟନ ହୋଇଥିଲା। ବିଏମ୍‌ସି ଓ ବ୍ୟବସାୟୀ ଭାବିଥିଲେ, ଏହି ଫଳ ବଜାର ୧୮ବର୍ଷର ବିବାଦକୁ ସମାଧାନ କରିବ। ରାସ୍ତାକଡ଼ରୁ ବ୍ୟବସାୟୀ ଉଠି ସଂଗଠିତ ଭାବରେ ଗୋଟିଏ ଜାଗାରେ ବସିବେ। ରାସ୍ତାକଡ଼ରୁ ଟ୍ରାଫିକ୍‌ ସମସ୍ୟା ମଧ୍ୟ ଦୂର ହେବ। ହେଲେ ମାମଲା କୋର୍ଟରେ ଗଡ଼ିଲା। କେହି ସେଠାକୁ ଗଲେନି। ସବୁ ଏବେ ରାସ୍ତା କଡ଼ରେ ହିଁ ବସୁଛନ୍ତି। ୧୦ବର୍ଷ ଧରି ସ୍ଥିତି ଯଥା ପୂର୍ବଂ ତଥା ପରଂ ରହିଛି।

ଏ ସବୁ ପ୍ରସଙ୍ଗକୁ ବିଚାରକୁ ନେଲେ ଝାରପଡ଼ା ଗଣେଶ ବଜାର ଅବସ୍ଥା ଯେ କ’ଣ ହେବ, ସେନେଇ ସନ୍ଦେହ ପ୍ରକାଶ ପାଇଛି। ତେବେ ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ବିଏମ୍‌ସି ମେୟର ସୁଲୋଚନା ଦାସ ସେମାନଙ୍କ ସ୍ଥାୟୀ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର