ଭୁବନେଶ୍ୱର: ପାର୍ବଣର ବିଗୁଲ ବାଜି ସାରିିଛି। ଉତ୍ସବର ଆସର ଜମି ଆସୁଛି। ଦିନ କେଇଟା ପରେ ଗଣେଶ ପୂଜା। ଏ ନେଇ ଏବେଠୁ ସମସ୍ତଙ୍କ ମନରେ ଉତ୍ସାହ। କ୍ଲବ୍ଠୁ ଶିକ୍ଷାନୁଷ୍ଠାନ ପର୍ଯ୍ୟନ୍ତ ସବୁଠି କିଛି ନିଆରା କରି ଦେଖାଇବାରେ ଯୁବବର୍ଗ ମସ୍ଗୁଲ। ଗଣେଶଙ୍କ ମୂର୍ତିକୁ ଟିକେ ଭିନ୍ନ ରକମର ଉପସ୍ଥାପନ କରିବା ପାଇଁ ଏଥର ବି ଅଣ୍ଟା ଭିଡ଼ିଛନ୍ତି ଯୁବପିଢ଼ି। ସେହିପରି ମଣ୍ଡପକୁ ଆକର୍ଷଣୀୟ କରିବା ପାଇଁ ମଧ୍ୟ ଏକପ୍ରକାର ଅଘୋଷିତ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ତେବେ ଏଥର ଆଗରେ ରହିଛି ଭିନ୍ନ ଭିନ୍ନ ପଶୁଙ୍କ ଗହଣରେ ଥିବା ପାର୍ବତୀନନ୍ଦନଙ୍କ ପ୍ରତିମୂର୍ତି। ନିଜ ନିଜ ପୂଜା ମଣ୍ଡପକୁ ଭିନ୍ନ ଓ ସୁନ୍ଦର କରିବାକୁ ଏବେ ଚାଲିଛି ଜୋର୍ଦାର୍ ପ୍ରତିଯୋଗିିତା। ରାଜଧାନୀର ଗଳିକନ୍ଦିରେ ଖୋଲିଛିି ମୂର୍ତି ବିକ୍ରୟ କେନ୍ଦ୍ର। ମନ ପସନ୍ଦର ମୂର୍ତି ପାଇଁ ବରାଦ ଦେଲେଣି ଗ୍ରାହକ। ଆଉ ସେମାନଙ୍କ ଚାହିଦାକୁ ପୂରଣ କରିବାକୁ କାରିଗରମାନେ ଦିନରାତି ଏକ କରି ଦେଇଛନ୍ତି। କିଏ ଚାହୁଁଛି ପାରମ୍ପରିକ ମୂର୍ତି ତ ପୁଣି କିଏ ମୂର୍ତିରେ ଆଧୁନିକତାର ଛାପ। ଶଙ୍ଖ, ଶାମୁକା, କଉଡ଼ି, ପଦ୍ମ, ଡମ୍ବରୁ, ମାଦଳ ବାଜା ଆଦିରେ ବସିଥିବା ଗଣେଶଙ୍କଠାରୁ କିଛି ଅଲଗା ୧୬ଟି ସାପ ଉପରେ ବସିଥିବା ଗଣେଶ, ୭ଟି ହାତୀ ଉପରେ ବସିଥିବା ଗଜାନନ, ୪ଟି ବାଘ ଉପରେ ବସିଥିବା ଗଣେଶ, ଶାଗୁଣା, ସିଂହ, ଶଣ୍ଢ, ହରିଣ ଆଦିଙ୍କ ଉପରେ ବସିଥିବା ଗଣେଶଙ୍କ ମୂର୍ତିର ଚାହିଦା ରହିଛି। ପୁଣି ଶିବଙ୍କ ବେଶର ଗଣେଶ, ନଟରାଜ ଗଣେଶ, ବାହୁବଳୀ ଗଣେଶ, ଉଗ୍ର ରୂପରେ ଗଣେଶ ମୂର୍ତି ଯୁବପିଢ଼ିଙ୍କ ଦୃଷ୍ଟି ଆକର୍ଷଣ କରୁଛି ବୋଲି ପୁରୁଣା ଭୁବନେଶ୍ୱର ଚେମେଡ଼ି ସାହିର କାରିଗର ପ୍ରକାଶ କୁମାର ଭୋଇ କହିଛନ୍ତି। ପ୍ରାୟ ୨ ଫୁଟରୁ ୧୫ ଫୁଟର ମୂର୍ତି ସେ ନିର୍ମାଣ କରୁଥିବା ବେଳେ ଏହାର ଦର ରହିଛି ୧୦୦୦ରୁ ୩୦ ହଜାର ଟଙ୍କା। ଭୁବନେଶ୍ୱର ଛଡ଼ା ପୁରୀ, ପିପିଲି ଓ ଜଗତସିଂହପୁର ଆଦିରୁ ମଧ୍ୟ ତାଙ୍କ ପାଖକୁ ମୂର୍ତି ବରାଦ ଆସେ ବୋଲି ସେ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବଢ଼ୁଛି ମୃତ୍ତିକା ଦାମ୍
ଏବେ ମୂର୍ତି ନିର୍ମାଣ କରିବା କାରିଗରଙ୍କ ଚିନ୍ତାର କାରଣ ସାଜିଛି। ଭୁବନେଶ୍ୱରର ଅଧିକାଂଶ କାରିଗର ଧଉଳିରୁ ମାଟି ଆଣନ୍ତି। ତେବେ ଚଳିତ ବର୍ଷ ବର୍ଷା ଯୋଗୁ ମାଟି ସଂଗ୍ରହ କଷ୍ଟକର ହେଉଛି ବୋଲି କିଛି କାରିଗର କହିଛନ୍ତି। ଗତ ୪ ବର୍ଷ ତଳେ ଯେଉଁ ମାଟି ଟ୍ରକ୍ ୫୦୦ ଟଙ୍କା ଥିଲା, ୨ ବର୍ଷ ହେଲା ତାହା ୧୨୦୦ ଟଙ୍କାକୁ ବଢ଼ି ବର୍ତ୍ତମାନ ମାଟି ଟ୍ରକ୍କୁ ୨୫ ଶହରୁ ୩ ହଜାର ହେଲାଣି। ତେଣୁ କାରିଗରମାନେ ବାଧ୍ୟ ହୋଇ ପିପିଲି, ଟାଙ୍ଗୀ ଜରିପଡ଼ା ଆଦିରୁ ମାଟି ସଂଗ୍ରହ କରୁଛନ୍ତି। ଏମିତି ହେଲେ ଆଗକୁ ସାଂଘାତିକ ସ୍ଥିତି ସୃଷ୍ଟି ହେବ ବୋଲି କହିଛନ୍ତି ପୁରୁଣା ଭୁବନେଶ୍ୱରର କାରିଗର ମିଥୁନ ସାହୁ।
ମହାରାଷ୍ଟ୍ର ନାସିକ ଷ୍ଟାଇଲ୍ ଗଣେଶ
ଓଡ଼ିଶା ନୁହେଁ ମହାରାଷ୍ଟ୍ରର ନାସିକ ଗଣେଶ ପୂଜା ଢଙ୍ଗରେ ପ୍ରସ୍ତୁତ ହେବ ପୂଜା ମଣ୍ଡପ। ୪୦ ଫୁଟ ଉଚ୍ଚତା ବିଶିଷ୍ଟ ଗଜାନନଙ୍କ ପ୍ରତିମୂର୍ତି ମଣ୍ଡପରେ ବିରାଜମାନ କରିବେ। ପୁଣି ଖାଲି ପରମ୍ପରା ରକ୍ଷା ନୁହେଁ ସଚେତନତା ବାର୍ତ୍ତା ମଧ୍ୟ ଏହି ଅବସରରେ ବଣ୍ଟାଯିିବ। ରକ୍ତଦାନ ଶିବିର ସହ ପ୍ଲାଷ୍ଟିକମୁକ୍ତ ଓଡ଼ିଶା ପାଇଁ ଆଗନ୍ତୁକଙ୍କୁ ଅବଗତ କରାଯିବ। ବଡ଼ଗଡ଼ ଗାଁ ‘ବ୍ରାଇଟ୍ ଷ୍ଟାର୍ ୟୁଥ୍ ଆସୋସିଏସନ୍’ ପକ୍ଷରୁ କିଛି ଯୁବକଯୁବତୀ ଆଗେଇ ଆସି ଏଭଳି ପୂଜାର ଆୟୋଜନ କରିବେ। ତିନି ଦିନ ଧରି ଚାଲିବାକୁ ଥିବା ଏହି ପୂଜାରେ ଓଲିଉଡ୍ ଓ ବଲିଉଡ୍ ଜଗତର ବହୁ ତାରକା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଆସୋସିଏସନ୍ର ସଭାପତି ଅବନୀକାନ୍ତ ପାଟସାହାଣୀ କ୍ଲବ୍ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ ଆସୋସିଏସନ୍ର ସଂଗ୍ରାମ ମାର୍ଥା ଓ ପୁପୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।