ଆସୁଛି ଗ‌ଣେଶ ପୂଜା, ଦଶହରା ଦ୍ବନ୍ଦ୍ବରେ ରାଜଧାନୀର ପୂଜା କମିଟି

ମୂର୍ତ୍ତି କାରିଗରଙ୍କ ତଣ୍ଟିରେ ଠିଆ ହେବ କି କରୋନା

ଭୁବନେଶ୍ବର: ଶ୍ରାବଣ ସରିବ। ଭାଦ୍ରବ ବି ଆସିବ। ହେଲେ ପାର୍ବଣ ପସରା ମେଲିବନି। ଜନ୍ମାଷ୍ଟମୀ ପରେ ବାଜୁଥିବା ପାର୍ବଣର ବିଗୁଲ ଏଥର ନିଶବ୍ଦ ରହିବ। ନିରବି ଯିବ ପୂଜା ମଣ୍ଡପ। ବୈଦିକ ଉଚ୍ଚାରଣ ଓ ଭଜନରେ ପରିବେଶରେ ଆ‌ଧ୍ୟାତ୍ମିକତା ସଞ୍ଚରିବ ନାହିଁ କି ‌ଡିଜେ, ମେଲୋଡି ଓ ମୀନାବଜାର ପସରା ସହରକୁ ଚଳଚଞ୍ଚଳ କରିବନି। କରୋନା ମହାମାରୀ ଯୋଗୁଁ ଜନଜୀବନ ଠପ୍‌ ହୋଇଯାଇଥିବା ବେଳେ ଏଥର ପାର୍ବଣର ଜାକଜକମ ଜମିବନି। ଭିନ୍ନଭିନ୍ନ ପ୍ରକାର ଗଣେଶଙ୍କ ପ୍ରତିମୂର୍ତିରେ ଶିଳ୍ପୀର ସର୍ଜନା ଦେଖି ଆଖି ଲାଖିବନି କି ଦୁର୍ଗାମଣ୍ଡପର ନିଆରା ତୋରଣ ଆକର୍ଷିତ କରିବନି। ମୋଟ୍‌ ଉପରେ କରୋନା ମହାମାରୀର ପ୍ରକୋପରେ ଅଗଷ୍ଟରୁ ନଭେମ୍ବର ଯାଏ ଜମୁଥିବା ପାର୍ବଣ ଋତୁ ସମ୍ପୂର୍ଣ୍ଣ ନିରବ, ନିଶବ୍ଦ ଓ ନିର୍ଜନ ରହିବ। ଫିକା ଫିକାରେ ସରିଯିବ ପାର୍ବଣ ଋତୁ। କରୋନାର ବର୍ତ୍ତମାନ ସ୍ଥିତିରୁ ଏମିତି ଆଶଙ୍କା ପ୍ରକାଶ ପାଇଲାଣି।

ପ୍ରତିବର୍ଷ ଏତେବେଳକୁ ଗଣେଶ ପୂଜାଠାରୁ ଆରମ୍ଭ କରି ଖୁଦୁରୁକୁଣୀ, ବିଶ୍ବକର୍ମା, ଦୁର୍ଗା ପୂଜା ଓ କାଳୀ ପୂଜା ପାଇଁ ଗୋଟିଏ ପରେ ଗୋଟିଏ ପ୍ରସ୍ତୁତି ଆରମ୍ଭ ହୋଇଯାଏ। ବିଶେଷ କରି ରାଜଧାନୀରେ ଗଣେଶ ପୂଜା ଓ ଦୁର୍ଗା ପୂଜା ବେଶ୍‌ ଜାକଜକମରେ ପାଳନ କରାଯାଉଥିବାରୁ ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଏ। କିଏ ଚାଉଳ, ବିରି, ମୁଗ, ଚେରି, କାଇଁଚ, କଉଡ଼ିରେ ଗଣେଶଙ୍କ ପ୍ରତିମୂର୍ତି ତିଆରି କରେ ତ’ ଆଉ କିଏ କିଛି ବାର୍ତ୍ତା ବହନ କରୁଥିବା କିମ୍ବା ନିଆରା ବିଷୟବସ୍ତୁକୁ ନେଇ ଶିଳ୍ପୀ ହାତରେ ଗଣେଶଙ୍କୁ ମାଟି ଓ ନଡ଼ା ଦେହରେ ଉତାରି ଦିଏ। କିନ୍ତୁ ଏଥର ଗଜାନନଙ୍କୁ ଆଉ ସେମିତି ଦେଖିବାକୁ ମିଳିବନି। ସେହିପରି ଦୁର୍ଗା ପୂଜାରେ ମା’ଙ୍କ ବିଧି ମୁତାବକ ପୂଜା ସହ ଭିନ୍ନ ଭିନ୍ନ ବିଷୟବସ୍ତୁକୁ ନେଇ ତୋରଣ କରି ଭକ୍ତଙ୍କୁ ଆକର୍ଷିତ କରୁଥିଲେ। କିନ୍ତୁ କଟକରେ କମିସନରେଟ୍‌ ପୁଲିସ ପକ୍ଷରୁ ଗଣେଶ ପୂଜା ଆୟୋଜନ ଉପରେ କଟକଣା ଲାଗୁ ହେବା ପରେ ଏବେ ଭୁବନେଶ୍ବରରେ ଗଣେଶ ପୂଜା ଓ ଦୁର୍ଗା ପୂଜା କମିଟିଗୁଡ଼ିକ ଦ୍ବନ୍ଦ୍ବରେ ପଡ଼ିଛନ୍ତି।

ମୂର୍ତ୍ତି କାରିଗରଙ୍କ ତଣ୍ଟିରେ ଠିଆ ହେବ କି କରୋନା

ପୁରୁଣା ଭୁବନେଶ୍ୱର: କରୋନା ପାଇଁ ଚଳିତ ବର୍ଷ ପାର୍ବଣ ଋତୁର ଚମକ ରହିବ ନାହିଁ ବୋଲି ଜଳଜଳ ହୋଇ ଦେଖାଗଲାଣି। ମାଡ଼ି ମାଡ଼ି ଚାଲିଥିବା ସଂକ୍ରମଣରେ ରୋକ୍‌ ଲାଗିବା ସମ୍ଭବ ହୋଇନାହିଁ। ବାରମ୍ବାର ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଲାଗୁ କରାଯାଉଥିଲେ ମଧ୍ୟ କରୋନା ସଂକ୍ରମଣରେ ଅଙ୍କୁଶ ଲାଗୁନାହିଁ। ତେଣୁ ଚଳିତ ବର୍ଷ ବିଭିନ୍ନ ପୂଜା ମାନ୍ଦା ପଡ଼ିବା ନିଶ୍ଚିତ ବୋଲି ଜଣାପଡ଼ିଗଲାଣି। ଫଳରେ ପ୍ରମାଦ ଗଣିଲେଣି ମୂର୍ତ୍ତି କାରିଗରମା‌ନେ। ପୂଜା ନ ହେଲେ ସେମାନେ ହାତବାନ୍ଧି ବସିବେ। ରୋଜଗାର ହରାଇବେ। ତେଣୁ କରୋନା ସେମାନଙ୍କ ତଣ୍ଟିରେ ଠିଆ ହେବାକୁ ଯାଉଛି ବୋଲି ସେମାନେ ଆଶଙ୍କା କଲେଣି।

ଅଗଷ୍ଟ ୯ ତାରିଖରୁ ଖଦୁରୁକୁଣୀ ପୂଜା ଆରମ୍ଭ। ସେହି ମାସ ୨୨ ତାରିଖରେ ଗଣେଶ ପୂଜା। ତେଣୁ ମାଟି କାରିଗରମାନେ ଏବେଠାରୁ ଲାଗି ପଡ଼ିଛନ୍ତି ମୂର୍ତ୍ତି ତିଆରିରେ। କିନ୍ତୁ ସେମାନେ ଆଶା ଓ ଆଶଙ୍କାରେ ଥିବା ଜଣାପଡ଼ିଛି। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ଲୋକଙ୍କଠାରୁ ମୂର୍ତ୍ତି ପାଇଁ ବରାଦ ମିଳୁନାହିଁ। କାରଣ ଚଳିତ ବର୍ଷ ବିଭିନ୍ନ ମଣ୍ଡପ ତଥା ଅନୁଷ୍ଠାନମାନଙ୍କରେ ପୂଜା ହେବ କି ନାହିଁ ବୋଲି କର୍ମକର୍ତ୍ତମାନେ ସନ୍ଦେହରେ ରହିଛନ୍ତି। ସେହିଭଳି ଶିକ୍ଷାନୁଷ୍ଠାନ କଥା ମଧ୍ୟ ଅସ୍ପଷ୍ଟ ହୋଇ ରହିଛି। କରୋନା ସଂକ୍ରମଣ ପାଇଁ ଶିକ୍ଷାନୁଷ୍ଠାନମାନେ ଖୋଲିପାରିନାହିଁ। ଯଦି ବି ଖୋଲିବ, ତେବେ ଛାତ୍ର ଉପସ୍ଥାନକୁ ସୀମିତ କରି ଖୋଲାଯିବ ବୋଲି ପ୍ରାକ୍ ସୂଚନା ମିଳୁଛି। ଏଭଳି ସ୍ଥିତିରେ ପୂଜା ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକୁ ଅନୁମତି ମିଳିବ ନାହିଁ ବୋଲି ଆଶଙ୍କା କରାଯାଉଛି। ସେହିପରି ଭୁବନେଶ୍ବରରେ ଯେଉଁ ହାରରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି, ପ୍ରଶାସନ ପୂଜା ପାଇଁ ଅନୁମତି ଦେବ ନାହିଁ ବୋଲି ପୂର୍ବାନୁମାନ କରାଯାଉଛି। ତେଣୁ ଏହି ଆଶଙ୍କା‌ ସତ ହେଲେ, ଚଳିତ ବର୍ଷ କାରିଗରମାନେ ରୋଜଗାର ହରାଇବା ସାର ହେବ ଓ ସେମାନଙ୍କର ବର୍ଷକର ଭାତହାଣ୍ଡି ଭାଙ୍ଗିଯିବ ବୋଲି ସେମାନେ ଆତଙ୍କିତ ହୋଇ ପଡ଼ିଲେଣି।

ଏଭଳି ଆଶଙ୍କା ଭିତରେ ମୂର୍ତ୍ତି ପାଇଁ ମାଟି ମିଳିବା ସମସ୍ୟା ମଧ୍ୟ କାରିଗରମାନଙ୍କୁ ଅସୁବିଧାରେ ପକାଇଛି। ତଥାପି ଏବେ କାରିଗରମାନେ ତଅପୋଇ ଓ ଗଣେଶ ମୂର୍ତ୍ତି ତିଆରିରେ ଲାଗି ପଡ଼ିଲେଣି। ମୂର୍ତ୍ତି ନିର୍ମାଣ ପାଇଁ ପିଷ୍ଟ ତିଆରି ସାରି ନଡ଼ା ବନ୍ଧା ଆରମ୍ଭ ହେଲାଣି। ପୂର୍ବରୁ ରାଜଧାନୀରେ ୫୦ ରୁ ଅଧିକ ସ୍ଥାନରେ ମୂର୍ତ୍ତି ତିଆରି ହେଉଥିବା ବେଳେ ଚଳିତ ବର୍ଷ ମାତ୍ର ୧୦/୧୨ଟି ସ୍ଥାନରେ ମୂର୍ତ୍ତି ତିଆରି ଚାଲିଛି। ଖୁଦୁରୁକୁଣୀ ପୂଜା ଘରେ ଘରେ ହୋଇପାରିବ ବୋଲି ଏବେ କାରିଗରମାନେ ତଅପୋଇ ମୂର୍ତ୍ତି ନିର୍ମାଣରେ ଲାଗିପଡ଼ିଛନ୍ତି। ବରାଦ ଆସିଲେ ଗଣେଶ ମୂର୍ତ୍ତି କରାଯିବ ବୋଲି କାରିଗରମାନେ କହିଛନ୍ତି। କାରିଗରମାନଙ୍କ କହିବା ଅନୁଯାୟୀ ଗତବର୍ଷ ବାତ୍ୟା ପରେ ବାଉଁଶ ଗଛ ନଷ୍ଟ ହୋଇଥିବା ବେଳେ ଚାକୁଣ୍ଡା ଓ ଆକାଶିଆ ଭଳି ଅନ୍ୟ ଗଛ ମଧ୍ୟ କମ୍‌ ପରିମାଣରେ ମିଳୁଛି। ତେଣୁ କାଠ ବା ବାଉଁଶ ଖର୍ଚ୍ଚ ଅଧିକ ପଡ଼ୁଛି। ତେବେ ଅଧିକ ସମସ୍ୟା ହେଉଛି ମାଟି। କଂକ୍ରିଟ୍ ସହର ରାଜଧାନୀ ଭୁବନେଶ୍ୱରରେ ମୂର୍ତ୍ତି ପାଇଁ ମାଟିର ଘୋର ଅଭାବ ରହିଛି। ପୂର୍ବରୁ ଗୋଟିଏ ଟ୍ରାକ୍ଟର ମାଟିର ଦାମ୍ ୧୨ଶହ ଟଙ୍କା ଥିଲା। କିନ୍ତୁ ଚଳିତ ବର୍ଷ ଡିଜେଲ୍‌ ଦର ବୃଦ୍ଧି ପାଇଁ ଗାଡ଼ି ଭଡ଼ା ବଢ଼ିଛି ଓ କରୋନା ସମୟରେ ଶ୍ରମିକ ମଜୁରୀ ମଧ୍ୟ ବଢ଼ିଛି। ତେଣୁ ଗୋଟିଏ ଟ୍ରାକ୍ଟର ମାଟି ପାଇଁ ଏବେ ପାଖାପାଖି ୪ ହଜାର ଟଙ୍କା ଖର୍ଚ୍ଚ ହେଉଛି। ମାଟିକୁ ବାଦ୍‌ ଦେଲେ ମୂର୍ତ୍ତି ତିଆରି ପାଇଁ ଆବଶ୍ୟକ ଅନ୍ୟାନ୍ୟ ଉପକରଣର ଅଭାବ ଓ ଦର ବୃଦ୍ଧି ମଧ୍ୟ ଦେଖାଦେଉଛି। ତେଣୁ ବଡ଼ ମୂର୍ତ୍ତି ଦାମ୍ ବେଶ୍ ଅଧିକ ହେବ ବୋଲି ପ୍ରସିଦ୍ଧ ମୂର୍ତ୍ତି କାରିଗର ଟିକମ ମହାପାତ୍ର କହିଛନ୍ତି। ଏହାଦ୍ବାରା ବଡ଼ ମୂର୍ତ୍ତି ପାଇଁ ଆଗ୍ରହ କମିବ ଓ କାରିଗରମାନଙ୍କ ଆୟ ପ୍ରଭାବିତ ହେବ ବୋଲି ସେ କହିଛନ୍ତି।

ପୂଜା ହେବ, କିନ୍ତୁ ତୋରଣ ହେବନି
ନିକଟ ଭବିଷ୍ୟତରେ ସୁଧୁରିବା ଭଳି ମନେ ହେଉନାହିଁ। ତେଣୁ ସରକାରଙ୍କ ନିୟମାବଳି ଅନୁସରଣ କରି ଆମେ କେବଳ ବିଧି ମୁତାବକ ପୂଜା କରିବୁ। ବିଶ୍ବଶାନ୍ତି ଓ ମଙ୍ଗଳ ପାଇଁ ପ୍ରତିବର୍ଷ କରାଯାଉଥିବା ଏହି ପୂଜାରେ ଏଥର ବି କରୋନା ମହାମାରୀରୁ ବିଶ୍ବକୁ ଉଦ୍ଧାର ପାଇଁ ପ୍ରାର୍ଥନା କରାଯିବ। ପ୍ରତିବର୍ଷ ଏତେବେଳକୁ ଦୁର୍ଗା ପୂଜା ପ୍ରସ୍ତୁତି ବୈଠକ ସରି ତୋରଣ, ମୂର୍ତି ତଥା ବିଭିନ୍ନ ସାଂସ୍କୃତିକ, ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପାଇଁ ଅଗ୍ରିମ ଦିଆସରିଥାଏ। କିନ୍ତୁ ପରିସ୍ଥିତିକୁ ଦେଖିଲେ ଲାଗୁନି ଏଥର ରାଜଧାନୀରେ ଦୁର୍ଗାପୂଜା ମଣ୍ଡପ ସଜେଇ ହେବ କି ଦୁର୍ଗା ମେଢ଼ ଦର୍ଶନ ହେବ।

-ନବକିଶୋର ବେହେରା, ଉପଦେଷ୍ଟା,
ନୂଆପଲ୍ଲୀ ଦୁର୍ଗା ପୂଜା ସମିତି

ନିର୍ଦ୍ଦେଶନାମା ‌ଅନୁସରଣ କରି ପୂଜା କରିବୁ
ପୂଜା କେମିତି କରାଯିବ, କ’ଣ ନିୟମାବଳି ରହିବ, ସେ ନେଇ ଏକ ନିର୍ଦ୍ଦେଶନାମା ଜାରି କରିବାକୁ ଆମେ ସମସ୍ତ ପୂଜା କମିଟି ପକ୍ଷରୁ ଏକ ଚିଠି କମିସନରେଟ୍‌ ପୁଲିସକୁ ଲେଖିଛୁ। ନିର୍ଦ୍ଦେଶନାମା ‌ଯାହା ବି ହେଉ, ତାହାକୁ ଅନୁସରଣ କରାଯିବ। ଏଥିସହ ଆମେ ସମସ୍ତ ପୂଜା କମିଟିକୁ ଏକ ଚିଠି ଲେଖି କମିସନରେଟ୍‌ ପୁଲିସର ନିୟମାବଳି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଅନୁରୋଧ କରିଛୁ।

-ନାରାୟଣ ମହାପାତ୍ର, ସମ୍ପାଦକ,
ସହିଦ ନଗର ଦୁର୍ଗା ପୂଜା ସମିତି

ସମ୍ବନ୍ଧିତ ଖବର