ଭୁବନେଶ୍ବର: ଆଜି ରାଜଧାନୀ ଓ ତା’ର ଉପକଣ୍ଠରେ ପବିତ୍ର ଗଣେଶ ଚତୁର୍ଥୀ ମହା ଜାକଜମକରେ ପାଳିତ ହୋଇଯାଇଛି। ବାରଙ୍ଗରୁ ପଟିଆ ଦେଇ ଚନ୍ଦ୍ରଶେଖରପୁର, ବାଲିପାଟଣାରୁ ବାଲିଅନ୍ତା, ବାଳକାଟି ଦେଇ ଧଉଳି, ପାହାଳରୁ ହଂସପାଳ ଦେଇ ପଳାସୁଣୀ ଓ ଚନ୍ଦକାରୁ ଭରତପୁର, ତମାଣ୍ଡୋରୁ ପାତ୍ରପଡ଼ା, ଡୁମୁଡୁମା ଦେଇ ଖଣ୍ଡଗିରି ପର୍ଯ୍ୟନ୍ତ ସବୁଠୁ ଆଜି ଶୁଭିଛି ଅଗ୍ରପୂଜ୍ୟ ଗଜାନନଙ୍କ ଆବାହନୀ ମନ୍ତ୍ର। ସେହିଭଳି ପୁରୁଣା ଭୁବନେଶ୍ବର ତଥା ଏକାମ୍ର କ୍ଷେତ୍ରରୁ କ୍ୟାପିଟାଲ ସିଟି ପର୍ଯ୍ୟନ୍ତ ସବୁଠି ସହରର ସବୁ ବଡ଼ବଡ଼ ପୂଜା ମଣ୍ଡପ ଓ ଗଳିକନ୍ଦିରେ ସୁଦୃଶ ମଣ୍ଡପରେ ବିରାଜମାନ କରିଛନ୍ତି ବିଘ୍ନରାଜ। ପ୍ରାୟ ୩ ଶହରୁ ଅଧିକ ମଣ୍ଡପରେ ପାର୍ବତୀ ନନ୍ଦନ ଗଣେଶଙ୍କ ପୂଜା ସମାହିତ ହୋଇଛି। ଏକଦା ଅର୍ଥାତ୍ ପ୍ରାୟ ଦୁଇ ଦଶନ୍ଧି ତଳେ ରାଜଧାନୀର କିଛି ହାତଗଣତି ବ୍ୟବସାୟିକ କେନ୍ଦ୍ରରେ ଏହି ପୂଜା ହେଉଥିଲା। କିନ୍ତୁ ଆଜି ପୂରା ଚିତ୍ର ବଦଳିଯାଇଛି।

Advertisment

ଦଶହରା ଦେବୀ ପୂଜା ଭଳି ମହା ସମାରୋହରେ ରାଜଧାନୀର ଗଣେଶ ପୂଜା ଅନୁଷ୍ଠିତ ହେଉଛି। ବିଶାଳ ତୋରଣ ସହ ଆଖି ଝଲସା ରଙ୍ଗିନ୍‌ ଲାଇଟ୍‌ର ସମାହାର, ଆକର୍ଷଣୀୟ ମେଢ଼, ବିଶାଳ ମୂର୍ତ୍ତି ଓ ଦାମୀ ସାଂସ୍କୃତିକ କାର୍ଯ୍ୟକ୍ରମ ଆଜି ରାଜଧାନୀ ଗଣେଶ ପୂଜାକୁ ଅଧିକ ଚମତ୍କାର କରି ଗଢ଼ିଛି। ସହିଦ୍‌ କ୍ଲବ୍‌, ଟଙ୍କପାଣି ‌ରୋଡ୍‌, ବାପୁଜୀନଗର, ବଡ଼ଗଡ଼, ପୁରୁଣା ଭୁବନେଶ୍ବର ପରକରଣ ସାହି (ଚାନ୍ଦି ମେଢ଼), ୟୁନିଟ୍‌-୧, ୟୁନିଟ୍‌-୪, ଅଶୋକନଗର ଆଦି ସ୍ଥାନରେ ଗଣେଶ ପୂଜା ମାହୋଲ୍ ଦଶହରା ପରିବେଶଠାରୁ କମ ହୋଇନାହିଁ। ଦିନେ କେବଳ ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଥିବା ବେଳେ ଏବେ ଗହମ, କୋଳଥ, ଧନିଆ ଭଳି ଶସ୍ୟଦାନାରେ ମୂର୍ତ୍ତି ନିର୍ମାଣ କରାଯାଉଛି। ସେହିଭଳି ପଣ୍ଡାକୁଦିଆ ଜଗନ୍ନାଥସାହି ବସ୍ତିରେ ହୋଇଥିବା ଗଣେଶ ପୂଜା ଏକ ନିଆରା ବାର୍ତ୍ତା ଦେଇଛି। ଏଠାରେ ହିନ୍ଦୁ, ମୁସଲିମ୍‌ ଓ ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟର ‌ଲୋକେ ମିଳିତଭାବେ ଏହି ପୂଜା କରିଛନ୍ତି।

ଗଣେଶ ପୂଜାରେ ଜନ୍ମଦିନ ପାଳିଲେ ରାଜ୍ୟପାଳ

publive-image

ଭୁବନେଶ୍ବର: ‘ବ୍ରାଇଟ୍‌ ଷ୍ଟାର୍‌ ୟୁଥ୍‌ ଆସୋସିଏସନ୍‌’ ଓ ‘ବଡ଼ଗଡ଼ ଗଣେଶ ପୂଜା କମିଟି’ ଅନୁଷ୍ଠିତ ହୋଇଥିବା ଗଣେଶ ପୂଜାରେ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ସାମିଲ୍‌ ହୋଇ ନିଜର ୮୨ ତମ ଜନ୍ମଦିନ ପାଳିଥିଲେ। ଆଜି ସନ୍ଧ୍ୟାରେ ରାଜ୍ୟପାଳ ପ୍ରଫେସର୍‌ ଲାଲ୍‌ ବଡ଼ଗଡ଼ ଗାଁରେ ପହଞ୍ଚି ପ୍ରଥମେ ସହିଦ ପଦ୍ମନାଭ ଛୋଟରାୟଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ନୀଳକଣ୍ଠେଶ୍ୱର ମନ୍ଦିରରେ ୮୨ଟି ଦୀପ ପ୍ରଜ୍ବଳନ କରାଯାଇଥିଲା। ପରେପରେ ସେ ଗଣେଶ ପୂଜା ମଣ୍ଡପକୁ ଯାଇ ବିଶାଳ ମୂର୍ତ୍ତି ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ସେହିଭଳି ପୁରୁଣା ଭୁବନେଶ୍ବର ବଢ଼େଇବାଙ୍କ ଛକରେ ଅନୁଷ୍ଠିତ ଗଣେଶ ପୂଜାକୁ ରାଜ୍ୟପାଳ ପ୍ରଫେସର୍‌ ଲାଲ୍‌ ଯାଇଥିଲେ। ସେଠାରେ କୁନି ସେବାୟତମାନେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। କୁନି ସେବାୟତ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ଗହଣରେ ସେ ତାଙ୍କ ଜନ୍ମଦିନ ଉତ୍ସବ ପାଳନ କରିଥିଲେ।