ଶେ‌ଷ ପର୍ଯ୍ୟାୟରେ ଗଣେଶ ପୂଜା ପ୍ରସ୍ତୁତି, ବୁଢ଼ା ଗଣେଶଙ୍କ ପାଖରେ ପଲିଥିନ ବାରଣ

ପୁରୁଣା ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର ପ୍ରାୟ ୩୦ଟି ସ୍ଥାନରେ ଗଣେଶ ପୂଜା ଅନୁଷ୍ଠିତ ହେବ। ବିଭିନ୍ନ ଶିକ୍ଷାନୁଷ୍ଠାନ, କ୍ଲବ ଓ ପୂଜା କମିଟି ପକ୍ଷରୁ ଗଣପତିଙ୍କ ପୂଜା ପାଇଁ ପ୍ରସ୍ତୁତି ଶେ‌ଷ ପର୍ଯ୍ୟାୟରେ ପହଞ୍ଚିଲାଣି। ତେବେ ପୁରୁଣା ଭୁବନେଶ୍ୱର ଦୁଇ ପୂଜା କମିଟି ପକ୍ଷରୁ ଗଣେଶ ମୂର୍ତ୍ତି ତିଆରି ନେଇ ଏକରକମ ପ୍ରତିଯୋଗିତା ଚାଲିଛି। ପ୍ରତିବର୍ଷ ପରି ଯମେଶ୍ବର ପାଟଣା ସାହିରେ ବୁଢ଼ା ଗଣେଶ ପୂଜା ପାଇବେ। ଚଳିତ ବର୍ଷ ପୂଜା ମଣ୍ଡପ ନିକଟରେ ପଲିଥିନ୍‌ ବ୍ୟବହାର ବାରଣ କରାଯାଇଛି। ପ୍ରତି ବର୍ଷ ଏଠାରେ ୧୪ଫୁଟ୍‌ର ମୂର୍ତି ତିଆରି ହେଉଥିବା ବେଳେ ଚଳିତ ବର୍ଷ ମୂର୍ତିକୁ ୧୮ ଫୁଟ୍‌ ଉଚ୍ଚା କରାଯାଇଛି। ବଢ଼େଇବାଙ୍କ ଛକ ନିକଟ ବଡ଼ୁ ସାହି ଗଣେଶ ପୂଜା କମିଟି ପକ୍ଷରୁ ୧୭ଫୁଟ୍‍ର ମୂର୍ତି କରାଯାଇଛି। ତିନିମୁଣ୍ଡିଆ ଛକଠାରେ ବଡ଼ ମୂର୍ତି କରାଯିବା ସହ ରଙ୍ଗିନ ଆଲୋକମାଳାରେ ସାଜସଜ୍ଜା କରାଯିବ। ଚଳିତ ବର୍ଷ ମଣ୍ଡପକୁ ଅଧିକ ଉଚ୍ଚ କରାଯିବ ବୋଲି ଆୟୋଜକ କହିଛନ୍ତି। ସେହିପରି ହାଟ ସାହି, ବଣିଆ ସାହି, କୁଞ୍ଜ ପାଟଣା ସାହି, ବାରିକ ସାହି, ରାମେଶ୍ବର ପାଟଣା, ଦର୍ଜି ସାହି, ପୂଜାପଣ୍ଡା ସାହି, କୈବର୍ତ ସାହି, ଜାଗେଶ୍ବରୀ କ୍ଲବ, ପୁନାମାଗେଟ୍‌ ଛକ, କଞ୍ଚ ସାହି, ତଳ ବଜାର ବ୍ୟବସାୟୀ ସଂଘ ପକ୍ଷରୁ ଗଣେଶ ପୂଜା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି।

ସମ୍ବନ୍ଧିତ ଖବର