ମୁଣ୍ଡରେ ହାତ ଦେଲେ ମୂର୍ତିକାର

ଭୁବନେଶ୍ବର: ପାର୍ବଣ ଆସିଲେ ସେମାନଙ୍କ ହାତ କଥା କୁହେ। ମାଟିରେ ରୂପ ଦେଇ ସେମା‌ନେ ନିଜ ପେଟ ପାଇଁ ବର୍ଷକର ଦାନା ଯୋଗାଡ଼ନ୍ତି। ମୃଣ୍ମୟ ମୂର୍ତି ପୂଜନର ପରମ୍ପରା କେବଳ ପର୍ବ ଓ ଆଧ୍ୟାତ୍ମିକ ଚେତନାକୁ ବଜାୟ ରଖେନାହିଁ ବରଂ ଏଥିପାଇଁ ଅନେକ କଳାକାରଙ୍କର ଚୁଲି ଜଳେ। ତେବେ ଏଥର ରାଜଧାନୀର ପୂଜା ମଣ୍ଡପରେ ଗଣେଶ ପୂଜା ପାଇଁ ଅନୁମତି ଦେବାକୁ ପୁଲିସ୍‌ ପ୍ରଶାସନ ମନା କରିଦେବା ପରେ ମୂର୍ତିକାରଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଗଣେଶ ପୂଜା ସିନା ବନ୍ଦ ହୋଇଗଲା, କାଳେ ଏହି ପାର୍ବଣରେ ଲାଗି ଲାଗି ରହିଥିବା ଅନ୍ୟ ମୂର୍ତି ପୂଜନକୁ ଅନୁମତି ନମିଳିବ ସେନେଇ ମୂର୍ତିକାରଙ୍କ ଚିନ୍ତା ବଢ଼ି ଯାଇଛି।

ଆସନ୍ତା ୨୨ ତାରିଖରେ ଗଣେଶ ପୂଜା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ୮ ଦିନ ପୂର୍ବରୁ ପୁଲିସ୍‌ ପ୍ରଶାସନର ଏପରି ନିଷ୍ପତ୍ତି ଅନେକଙ୍କ ଯୋଜନାକୁ ପାଣି ଫୋଟକା ଭଳି ଉଭେଇ ଦେଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ରାଜଧାନୀରେ ସବୁ ଗଳି କନ୍ଦିରେ ପୂଜା ପେଣ୍ଡାଲ୍‌ରେ ପୂଜା ଅନୁଷ୍ଠିତ ହେଉଥିଲା। ଯଦିଓ ଏହାର ନିର୍ଦିଷ୍ଟ ପରିସଂଖ୍ୟାନ ନାହିଁ, ତେବେ ଏହା ୧ହଜାରରୁ କମ୍‌ ହେବ ନାହିଁ। ଏସବୁ ପୂଜା ମଣ୍ଡପମାନଙ୍କରେ ବଡ଼ ମୂର୍ତି ତିଆରି କରିବାର ଭାର ନେଇଥିଲେ ଓଡ଼ିଆଙ୍କ ସମେତ ପଶ୍ଚିମବଙ୍ଗ ମୂର୍ତି କାରିଗର। ଏହା ବ୍ୟତୀତ ଶିକ୍ଷାନୁଷ୍ଠାନ, କୋଚିଂ, କାର୍ଯ୍ୟାଳୟଠୁ ନେଇ ଅନେକଙ୍କ ଘରେ ମଧ୍ୟ ଏହି ପୂଜା ସମବେତ ଭାବେ ପାଳନ କରାଯାଏ। ତେବେ ଏଥର ସରକାରଙ୍କ କଟକଣା ପରେ ବଡ଼ ମୂର୍ତି ପାଇଁ ଆଉ କେହି ମନ ବଳାଇ ନାହାନ୍ତି। ଏହା ଦ୍ବାରା ଜନସାଧାରଣଙ୍କର କ୍ଷତି ହେବା ଅପେକ୍ଷା ପରିବେଶ ଉପରେ କୁପ୍ରଭାବର ମାତ୍ରା କମ୍‌ ପଡ଼ିବ। ମାତ୍ର ଏହା ଦ୍ବାରା ସବୁଠୁ ବଡ଼ ଧକ୍କା ଖାଇଛନ୍ତି ମୂର୍ତିକାର।

ମୂର୍ତିକାର ଲକ୍ଷ୍ମୀଧର ରଣା କହିଛନ୍ତି, ଭାଦ୍ରବରେ ଖୁଦୁରୁକୁଣୀ ପୂଜାରୁ ଆମର ମୂର୍ତି ନିର୍ମାଣ କାମ ଆରମ୍ଭ ହୋଇଯାଏ। ଏହାପରେ ଗଣେଶ, ବିଶ୍ବକର୍ମା, ଦୁର୍ଗା, କାଳୀ, ଗଜଲକ୍ଷ୍ମୀ, କାର୍ତିକ ଓ ସରସ୍ବତୀଙ୍କ ପୂଜା ଅନୁଷ୍ଠିତ ହେଉଥିବାରୁ ଏହି ୬ ମାସ କାମ କରି ଆମେ ବର୍ଷକର ଗୁଜରାଣ ମେଣ୍ଟାଉ। ୧ଲକ୍ଷ ଟଙ୍କା ପାଖାପାଖି ଆୟ ହୁଏ। ତେବେ ଖୁଦୁରୁକୁଣୀ, ‌ଗଣେଶ, ବିଶ୍ବକର୍ମା ପୂଜାରେ ଅଧିକ ମୂର୍ତି ତିଆରି ଓ ବିକ୍ରି ହୁଏ। ରଜ ବେଳେ ଆମକୁ ବିଭିନ୍ନ ପୂଜା ପେଣ୍ଡାଲ୍‌ରୁ ବଇନା ଆସେ। ଏଥର କିନ୍ତୁ କେହି ବଇନା ଦେବା ତ ଦୂରର କଥା ଫୋନ୍‌ କଲେ ଉଠାଉ ନାହାନ୍ତି। ଏ ଅବେଳାରେ କେହି ବି ଆମ ପାଇଁ ଆହା ପଦେ କହିବାକୁ ନାହାନ୍ତି। ପୂଜା ମଣ୍ଡପରେ ପୂଜାନୁଷ୍ଠାନ ପାଇଁ ଅନୁମତି ନମିଳିବା କଥା ଶୁଣିବା ପରେ ଭାରି କଷ୍ଟ ହୋଇଛି। ଚିନ୍ତା ବଢ଼ି ଯାଇଛି। ‌ପ୍ରଶାସନ ପକ୍ଷରୁ ଏଭଳି କୌଣସି ନିଷ୍ପତ୍ତି ନିଆଯାଇନଥିବାରୁ ଆମେ ଆମ ୱାର୍କସପ୍‌ରେ କିଛି ମୂର୍ତି ତିଆରି କରିଦେଇଥିଲୁ। ମାତ୍ର ସେସବୁ ଏଥର ବିକ୍ରି ହୋଇପାରିବ ନାହିଁ। ପ୍ରତିବର୍ଷ ମୁଁ ବ୍ୟକ୍ତିଗତ ଭାବେ ପରିବାରର ସହଯୋଗରେ ୫ଶହ ମୂର୍ତି ତିଆରି କରି କଟକ, ଭୁବନେଶ୍ବର ଓ ବ୍ରହ୍ମପୁର ଛତ୍ରପୁରକୁ ପଠାଉ। ଏଥର କିନ୍ତୁ ୫୦ଟି ମୂର୍ତି ତିଆରି କରିଛୁ। ଏହା ବି ବିକ୍ରି ହେବ କି ନାହିଁ ତାହା କହି ହେବ ନାହିଁ। ଭଗବାନଙ୍କୁ ଡାକୁଛି ଶୀଘ୍ର କରୋନାକୁ ମାରିବାକୁ ଟିକା ବାହାରିଯାଉ। ନଚେତ ଆମ ବର୍ଷକର ଦାନାପାଣିକୁ ଏ କରୋନା ବୁଡ଼ାଇ ଦେବ। ଆଗକୁ ଯଦି ଅନ୍ୟ ପୂଜା ବନ୍ଦ ହୋଇଯାଏ ତେବେ ଆମ ଭଳି ମୂର୍ତିକାର ଦୟନୀୟ ସ୍ଥିତିକୁ ଚାଲିଆସିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର