ଜଟଣୀରେ ଗଣେଶ ପୂଜା ପ୍ରସ୍ତୁତି ବୈଠକ

ଜଟଣୀ: ସ୍ଥାନୀୟ ପୌରପରିଷଦ କାର୍ଯ୍ୟାଳୟ ସଭାଗୃହରେ ଆଗାମୀ ଗଣେଶ ପୂଜା ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦ୍ବାରା ଆହୂତ ଏହି ବୈଠକରେ ଜଟଣୀ ସହରାଞ୍ଚଳର ବିଭିନ୍ନ ପୂଜା ସମିତି ମାନଙ୍କର କର୍ମକର୍ତ୍ତାମାନେ ଯୋଗଦେଇ ଆଲୋଚନାର ଅଂଶଗ୍ରହଣ କରିଥିଲେ। ତେବେ ନିର୍ଦ୍ଦିଷ୍ଟ ଜଣେ ରାଜନୈତିକ ନେତାଙ୍କ ଉପସ୍ଥିତିକୁ ଏକ ବଜାର କମିଟି ବି‌ରୋଧ କରିବାରୁ ବୈଠକରେ କିଛି ସମୟ ଉତ୍ତେଜନା ଦେଖା ଦେଇତିଲା।

ଗଣେଶ ପୂଜା ମହୋତ୍ସବକୁ ବିଗତ ବର୍ଷମାନଙ୍କ ଠାରୁ ଆହୁରି ସରସ ସୁନ୍ଦର ଓ ଶୃଙ୍ଖଳିତ କରିବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ବିଭିନ୍ନ ପ୍ରସ୍ତାବମାନ ଏହି ବୈଠକରେ ଆଲୋଚିତ ହୋଇଥିଲା। ଅପର ପକ୍ଷରେ ଜଟଣୀରେ ବିଦ୍ୟୁତ୍ ଯୋଗାଣ ଅନିୟମିତତା, ଟ୍ରାଫିକ୍ ସମସ୍ୟା, ରାସ୍ତା ଘାଟ, ଡ୍ରେନ୍ ସମସ୍ୟା ଉତ୍କଟ ହୋଇଥିବା ନେଇ ଆଲୋଚନାରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏହି ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ବିଭିନ୍ନ ବିଭାଗର ଉଚ୍ଚ ପଦାଧିକାରୀମାନେ ଏହି ବୈଠକରେ ଉପସ୍ଥିତ ରହିବା କଥା। ହେଲେ ପୁଲିସ, ଅଗ୍ନିଶମ, ସ୍ବାସ୍ଥ୍ୟ, ବିଦ୍ୟୁତ୍ (ସେସୁ) ବିଭାଗର ତଳସ୍ତରର ଅଧିକାରୀମାନେ ଉପସ୍ଥିତ ଥିଲେ। ଫଳରେ ଏହି ବିଭାଗଗୁଡ଼ିକ ଗଣେଶ ପୂଜା ପାଇଁ ଉଠିଥିବା ପ୍ରସଙ୍ଗର ସମାଧାନ ଦିଗରେ କି ପଦକ୍ଷେପ ନେବେ ସେ ସମ୍ପର୍କରେ ସଠିକ୍ ନିଷ୍ପତି ହୋଇପାରି ନଥିଲା। ଅପରପକ୍ଷେ ପୂର୍ତ୍ତ ବିଭାଗର ଅଧିକାରୀ ଏଥିରେ ଅନୁପସ୍ଥିତ ଥିବା ବେଳେ ଜନସ୍ବାସ୍ଥ୍ୟ ବିଭାଗର ଜଣେ କିରାଣୀ ଯୋଗ ଦେଇଥିବାରୁ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଜଟଣୀ ପୌରପାଳିକାର ପ୍ରଶାସକ ତଥା ଭୁବନେଶ୍ବରର ଉପଜିଲ୍ଲାପାଳ ଯୋଗ ଦେଇନଥିବାରୁ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଥିଲା। ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜଟଣୀ ଅତିରିକ୍ତ ତହସିଲଦାର ଶୁଭେନ୍ଦୁ କୁମାର ସାହୁ, ଜଟଣୀ ଥାନାଧିକାରୀ ବିଶ୍ବରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର