ପୁରୁଣା ଭୁବନେଶ୍ୱର: ଏକାମ୍ର କ୍ଷେତ୍ରରେ ବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଇଁ ପ୍ରସ୍ତୁତି ଜୋର୍‌ ଧରିଛି। ମୂର୍ତ୍ତି ତିଆରି ଜାରି ରହିଥିବା ବେଳେ ଏବେ ବଡ଼ ଗଣେଶ ମୂର୍ତ୍ତି ପାଇଁ ଚାଲିଛି ପ୍ରତିଯୋଗିତା। ବଡ଼ଗଡ଼ ଗ୍ରାମରେ ୬୧ ଫୁଟ ମୂର୍ତ୍ତି ହେବାକୁ ଥିବା ବେଳେ ପୁରୁଣା ଭୁବନେଶ୍ବର ତିନିମୁଣ୍ଡିଆ ଛକରେ ୫୦ ଫୁଟ ଉଚ୍ଚର ମୂର୍ତ୍ତି ତିଆରି ଆରମ୍ଭ ହୋଇଛି। ଚଳିତ ବର୍ଷ ଏକାମ୍ରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ବ୍ୟତୀତ ପ୍ରାୟ ୧୦୦ରୁ ଅଧିକ ସ୍ଥାନରେ ଗଣେଶ ପୂଜା ଅନୁଷ୍ଠିତ ହେବ। ପୁରୁଣା ଗଣେଶ ପୂଜା ଭାବେ ଜମେଶ୍ୱରପାଟଣା ଗଣେଶ ପୂଜା କମିଟି ପକ୍ଷରୁ ‘ବୁଢ଼ା ଗଣେଶ’ ୧୫ ଫୁଟ୍‍ ଉଚ୍ଚତାରେ ତିଆରି ଚାଲିଛି। ତିନିମୁଣ୍ଡିଆ ଛକଠାରେ ତରଙ୍ଗ କ୍ଲବ୍ ପକ୍ଷରୁ ଚଳିତ ବର୍ଷ ‘ସ୍ୱର୍ଣ୍ଣାଦ୍ରି ଗଣେଶ’ ୫୦ ଫୁଟ୍‌ର ମୂର୍ତ୍ତି ତିଆରି ଆରମ୍ଭ ହୋଇଛି। ସେହିପରି ହାଟସାହି, ବଣିଆସାହି, କୁଞ୍ଜପାଟଣାସାହି, ବାରିକ ସାହି, ରାମେଶ୍ବରପାଟଣା, ଦର୍ଜିସାହି, ପୂଜାପଣ୍ଡା ସାହି, କୈବର୍ତ୍ତ ସାହି, ଖରାଖିଆ ବୈଦନାଥ ସାହି, ଜାଗେଶ୍ବରୀ କ୍ଲବ୍‌, ପୂର୍ଣ୍ଣମାଗେଟ୍‌ ଛକ, କଞ୍ଚସାହି ଓ ତଳବଜାର ବ୍ୟବସାୟୀ ସଂଘ ପକ୍ଷରୁ ଗଣେଶ ପୂଜା କରାଯାଇଛି। ବିଭିନ୍ନ ପୂଜାମଣ୍ଡପ ନିକଟରେ କଳାକାରମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ପାଇଁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଉଛି। ତେବେ ପ୍ରାୟ ସବୁ ପୂଜା କମିଟି ପକ୍ଷରୁ ଆର୍ଥିକ ସହଯୋଗ ପାଇଁ ବଡ଼ ବଡ଼ ଦାତାଙ୍କୁ ଖୋଜା ପଡ଼ିଛି। 

Advertisment

ବଡ଼ଗଡ଼ରେ ଆକର୍ଷଣ ୬୧ ଫୁଟ ମୂର୍ତ୍ତି
ନୂଆଗାଁରେ ‘ଗ୍ରାମୀଣ ରାଜା ଗଣେଶ’
ଜମେଶ୍ବରପାଟଣାରେ ‘ବୁଢ଼ା ଗଣେଶ’

ବଡ଼ଗଡ଼ ବ୍ରାଇଟ୍ ଷ୍ଟାର୍‌ ୟୁଥ୍ ଆସୋସିଏସନ୍‌ ଓ ବଡ଼ଗଡ଼ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ହେବାକୁ ଥିବା ପୂଜାରେ ଆକର୍ଷଣ ସାଜିବ ୬୧ଫୁଟ ଉଚ୍ଚର ଗଣେଶ ମୂର୍ତ୍ତି। ମହାରାଷ୍ଟ୍ର ଲାଲବାଗ୍‌ ଆକୃତିର ଗଜାନନଙ୍କ ହାତରେ ୬୧କେଜି ଓଜନର ଲଡୁ ରହିବ। ପୂଜା ଦେଖିବାକୁ ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ହୁଇଲ୍‌ ଚେୟାର୍‌ ବ୍ୟବସ୍ଥା ରହିବା ସହ  ୧୦୦ ସ୍ବେଚ୍ଛାସେବୀ ରହିବେ ବୋଲି ଆସୋସିଏସନ୍‌ର ସମ୍ପାଦକ ସଂଗ୍ରାମ ମାର୍ଥା ସୂଚନା ଦେଇଛନ୍ତି। ସେହିପରି ନୂଆଗାଁରେ ରଜ ପଡ଼ିଆ ନିକଟରେ ମାରୂତି ନଗର ଡେଭଲପ୍‌ମେଣ୍ଟ କମିଟି ପକ୍ଷରୁ ଚଳିତ ଥର ‘ଗ୍ରାମୀଣ ରାଜା ଗଣେଶ’ ପୂଜା ଅନୁଷ୍ଠିତ ହେବ। ପରିବେଶକୁ ସୁସ୍ଥ ରଖିବା ପାଇଁ ଗଛ ଲଗାଇବାକୁ ଏହି ଅବସରରେ ଆହ୍ବାନ ଦିଆଯିବ ବୋଲି କମିଟି ପକ୍ଷରୁ ଉଦ୍ୟୋକ୍ତା ଚିନ୍ମୟ ବଡ଼ଜେନା କହିଛନ୍ତି।