ଗିରିଜାନନ୍ଦନଙ୍କ ପୂଜା ଆଜି: ସର୍ବତ୍ର ଗୁଞ୍ଜରିତ ହେବ ‘ମମ ବିଘ୍ନ ବିନାଶାୟ’

ଖଣ୍ଡଗିରି : ଧରାପୃଷ୍ଠରେ ଅବତରଣ କରିଛି ପାର୍ବଣ ଋତୁ। ଅଗ୍ରପୂଜ୍ୟ ଗଣେଶଙ୍କ ପୂଜାରୁ ଆରମ୍ଭ ହେବାକୁ ଯାଉଛି ପାର୍ବଣ ଋତୁ। ଆସନ୍ତାକାଲି ଗରିଜାନନ୍ଦନ ଗଣେଶଙ୍କ ପୂଜା। ରାତି ପାହିଲେ ସର୍ବତ୍ର ଶୁଭିବ ‘ଓମ୍‌ ନମଃ ଗଣେଶ ବିଘ୍ନ‌େଶ, ଗରିଜାନନ୍ଦନ ପ୍ରଭୁ, ମମ ବିଘ୍ନ ବିନାଶାୟ…’ ମନ୍ତ୍ର ଧ୍ବନି। ଘରୁ ଆରମ୍ଭ କରି କ୍ଲବ୍, ବ୍ୟବସାୟିକ ପ୍ରତିଷ୍ଠାନରେ ଗୁଞ୍ଜରିତ ହେବ ଗଣେଶଙ୍କ ଆବାହନୀ ମନ୍ତ୍ର। ଗତବର୍ଷ ଭଳି ଚଳିତ ବର୍ଷ ମହାମାରୀ କରୋନା ପାଇଁ ଏହି ପୂଜା ପାଳନର ସମାରୋହ ଉପରେ କିଛିଟା କଟକଣା ଲଗାଇଛି। ଚାକଚକ୍ୟ ଓ ମହାଆଡ଼ମ୍ବରରେ ପାଳନ ହେବ ନାହିଁ ଏହି ପୂଜା। ପୂଜା ମଣ୍ଡପରେ ଆଖି ଝଲସି ଉଠିବା ଭଳି ରଙ୍ଗିନ୍‌ ଆଲୋକମାଳା ନାହିଁ କି ମନଲୋଭା ସୁଦୃଶ୍ୟ ତୋରଣ ନାହିଁ। ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ କଡ଼ା କଟକଣା। ସେହିଭଳି ଭସାଣ ପର୍ବ ବି ହେବ ନିରାଡ଼ମ୍ବରରେ। ବିନା ବାଜା, ବାଣ ଓ ରୋଷଣୀରେ ଗଜାନନଙ୍କୁ ମେଲାଣି ଦିଆଯିବ। ତଥାପି ଉତ୍ସାହରେ ପଡ଼ିନି ଭଟ୍ଟା। ବିଧିରେ ସବୁଆଡ଼େ ପାଳିତ ହେବାକୁ ଯାଉଛି ବିଘ୍ନରାଜଙ୍କ ପୂଜା। ତେଣୁ ଏବେଠାରୁ ସାରା ସହର ଉତ୍ସବ ମୁଖର ହୋଇପଡ଼ିଥିବା ‌ଦେଖିବାକୁ ମିଳିଛି। ବଜାର ହାଟରେ ଗଣେଶ ପୂଜା ସମ୍ପର୍କିତ କିଣାବିକାକୁ ନେଇ ପ୍ରବଳ ଭିଡ଼। ଛୋଟ ଛୋଟ ମଣ୍ଡପରେ କୁନି କୁନି ଗଣେଶ ମୂର୍ତ୍ତି ସଜେଇ ହୋଇ ରହିଛନ୍ତି। ରାଜଧାନୀର ପ୍ରମୁଖ ବଡ଼ ପୂଜା ମଣ୍ଡପଗୁଡ଼ିକରେ ବି ଏଥର ୪ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଗଣେଶ ମୂର୍ତ୍ତି ସ୍ଥାପନ ହୋଇଛନ୍ତି।

ଅଳିଆ ନ ପକାଇବା ପାଇଁ ବସିଛି ଗଣେଶ ମୂର୍ତ୍ତି
ପୁରୁଣା ଭୁବନେଶ୍ବର ପରକରଣ ସାହି ଛକଠାରେ ପ୍ରତିଦିନ ଅଳିଆ ଅବର୍ଜନା ପଡ଼ି ରୁହେ। ଫଳରେ ଡ୍ରେନ୍‌ ଜାମ୍‌ ହେବା ସହ ଯିବା ଆସିବାରେ ସମସ୍ୟା ହୁଏ। ସେଠାରେ ଅଳିଆ ଆବର୍ଜନା ନପକାଇବାକୁ ବହୁବାର କହିବା ପରେ ମଧ୍ୟ କିଛି ଲୋକ ମାନୁନଥିଲେ। ତେଣୁ କିଛି ସ୍ଥାନୀୟ ଲୋକ ନୂଆ ଯୋଜନା କରିଛନ୍ତି। ସେଠାରେ ଏକ ମଣ୍ଡପ ତିଆରି କରିଛନ୍ତି। ଗଣେଶ ପୂଜା ଦିନ ସେଠାରେ ଏକ ଗଣେଶ ମୂର୍ତ୍ତି ପ୍ରତିଷ୍ଠା କରିବା ପାଇଁ ବ୍ୟବସ୍ଥା ହୋଇଛି। ବଡ଼ କଥା ହେଉଛି ମଣ୍ଡପ ତିଆରି ପରଠାରୁ ଆଉ ସେଠାରେ ଅଳିଆ ପଡ଼ୁନାହିଁ।

ଛୋଟ ମୂର୍ତ୍ତିର ଚାହିଦା ବେଶି
କରୋନା କଟକଣା କୋହଳ ହେବା ପରେ ଆଶା କରାଯାଉଥିଲା ଗଣେଶ ପୂଜା ଉପରୁ ବି କଟକଣା ହଟିବ। ମାତ୍ର କରୋନାର ତୃତୀୟ ଲହର ଦାଉ ସାଧିଛି। ତେଣୁ ଏହି ପୂଜାରେ ଭିଡ଼ ହ୍ରାସ କରିବା ପାଇଁ ବଡ଼ ଗଣେଶ ମୂର୍ତ୍ତି ଉପରେ କଟକଣା ଲାଗୁ କରାଯାଇଛି। ୪ ଫୁଟ୍‌ରୁ ଅଧିକ ଉଚ୍ଚର ମୂର୍ତ୍ତି ପୂଜା ପାଇପାରିବେ ନାହିଁ। ତେଣୁ ବଜାରରେ ବଡ଼ ଗଣେଶ ମୂର୍ତ୍ତି ଦେଖିବାକୁ ମିଳିନାହିଁ। ସମସ୍ତେ ୪ ଫୁଟ୍‌ ବା ତା’ଠାରୁ କମ୍‌ ଉଚ୍ଚର ମୂର୍ତ୍ତି କିଣିଛନ୍ତି। ବଜାରରୁ ମିଳିଥିବା ଚିତ୍ର ଅନୁସାରେ ବହୁ ଲୋକେ ସାଢ଼େ ୨ ଫୁଟ୍‌ ବିଶିଷ୍ଟ ବା ୩ ଫୁଟିଆ ଗଣେଶ ମୂର୍ତ୍ତି କିଣିଛନ୍ତି। କିଛି ପୂଜା କମିଟି ଆଗରୁ ବଡ଼ ମୂର୍ତ୍ତି ବରାଦ ଦେଇଥିଲେ ହେଁ ଏବେ ଛୋଟ ମୂର୍ତି କିଣିଛନ୍ତି। ମୂର୍ତ୍ତି କାରିଗର ବିଜୟ କୁମାର ପଣ୍ଡାଙ୍କ କହିବା କଥା ପ୍ରତିବର୍ଷ ସେ ୩୦୦ ରୁ ଅଧିକ ବଡ଼ ମୂର୍ତ୍ତି ତିଆରି କରୁଥିଲେ। କିନ୍ତୁ ଏଥର ଆଉ ତାହା ହୋଇପାରିଲା ନାହିଁ। ଅଧିକ ସଂଖ୍ୟାରେ ଛୋଟ ମୂର୍ତ୍ତି ବିକ୍ରି ହେଲା। ୩ ଫୁଟିଆ ମୂର୍ତ୍ତିକୁ ୨ ହଜାର ଓ ସାଢ଼େ ଦୁଇ ଫୁଟିଆ ମୂର୍ତ୍ତିକୁ ଦେଢ଼ ହଜାର ଟଙ୍କାରେ ବିକ୍ରି ହୋଇଛି। ଗତବର୍ଷ ଭଳି ହାତବାନ୍ଧି ହୋଇନଥିବାରୁ କିଛି ରୋଜଗାର ହୋଇଥିବାରୁ ଖୁସି ବୋଲି ସେ କହିଛନ୍ତି।

କୃଷ୍ଣଚୂଡ଼ା ପତ୍ରରେ ଗଣେଶ ମୂର୍ତ୍ତି
ପ୍ରତିଟି ପୂଜା ପାର୍ବଣରେ କିଛି ନା କିଛି ପରିବେଶ ସୁରକ୍ଷାର ବାର୍ତ୍ତା ଦିଅନ୍ତି ସାମାଜିକ କର୍ମୀ ତଥା ପରିବେଶବିତ୍‌ ସୁଶାନ୍ତ ସାହୁ। ପୋଖରୀପୁଟ ଅଞ୍ଚଳରେ ରହୁଥିବା ସୁଶାନ୍ତ ଚଳିତବର୍ଷ ଏକ ନିଆରା ଶୈଳୀରେ ଗଣେଶ ମୂର୍ତ୍ତି ତିଆରି କରିଛନ୍ତି। କୃଷ୍ଣଚୂଡ଼ା ପତ୍ରରେ ବିଘ୍ନ ବିନାଶକଙ୍କ ମୂର୍ତ୍ତି ଗଢ଼ିଛନ୍ତି। ଏଥିରେ କୌଣସି ପ୍ରକାର ପ୍ଲାଷ୍ଟିକ, ପଲିଥନ୍ ବା ରାସାୟନିକ ରଙ୍ଗ ବ୍ୟବହାର କରାଯାଇନାହିଁ। ବେଶ୍ ସୁନ୍ଦର ହୋଇଛି ଏହି ମୂର୍ତ୍ତି। ପୂଜା ପରେ ଏହି ମୂର୍ତ୍ତିରେ ଲାଗିଥିବା ପତ୍ର ଜୈବିକ ସାରରେ ରୂପାନ୍ତରିତ ହୋଇପାରିବ। ତେଣୁ ପରିବେଶ ଉପରେ ଏହି ମୂର୍ତ୍ତି ବିସର୍ଜନ ସମୟରେ କୁପ୍ରଭାବ ପଡ଼ିବ ନାହିଁ। ବିସର୍ଜନ ପରେ ନଦୀ, ନାଳ ଓ ଜଳାଶୟ ପ୍ରଦୂଷିତ ହେବ ନାହିଁ ବୋଲି ସୁଶାନ୍ତ କହିଛନ୍ତି। ଆଗାମୀ ଦିନରେ କୌଣସି ଅନୁଷ୍ଠାନ ଇଛା କଲେ, ସେ ସେମାନଙ୍କ ପାଇଁ ଏଭଳି ମୂର୍ତ୍ତି ଗଢ଼ିବ‌େ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର