ଗଣେଶ ମଣ୍ଡପ ହାଟ ଉଚ୍ଛେଦ ପ୍ରସଙ୍ଗ: ପେଟ ଚିନ୍ତାରେ ବ୍ୟବସାୟୀ

ଭୁବନେଶ୍ବର: ୨୪ ଦିନ ବିତିଲା। ବେପାର ବନ୍ଦ। ପରିବାର ଚଳିବାକୁ ପାଖରେ ପାହୁଲାଟିଏ ନାହିଁ। ସେଥିରେ ପୁଣି ପ୍ରତିଦିନ ମୁଣ୍ଡ ଖାଉଛି ମହାଜନ। କରଜ ଟଙ୍କା ଆଦାୟ କରିବାକୁ ଧମକ ମିଳୁଛି। ମେୟରଙ୍କ ପ୍ରତିଶ୍ରୁତି ପାଣିର ଗାର ପାଲଟିଗଲା। କ୍ଷତିପୂରଣ ବାବଦରେ ପଇସାଟିଏ ମିଳିଲା ନାହିଁ କି ଅସ୍ଥାୟୀ ଭାବେ ବେପାର କରିବାକୁ ଉପଯୁକ୍ତ ସ୍ଥାନ ମିଳିଲା ନାହିଁ। ତେଣୁ ମହାଜନ ପଇସା ସୁଝିବେ ନା ପେଟ ଚିନ୍ତା କରିବେ, କିଛି ବୁଝିପାରୁନାହାନ୍ତି ସେମାନେ। ଏହା ହେଉଛି ବିଏମ୍‌ସି ୩୩ ନମ୍ବର ୱାର୍ଡ ଅନ୍ତର୍ଗତ ଝାରପଡ଼ା ଗଣେଶ ମଣ୍ଡପ ହାଟରୁ ଉଚ୍ଛେଦ ହୋଇଥିବା ୪୨୯ ବ୍ୟବସାୟୀଙ୍କ ଦୁଃଖ। ତେଣୁ ସର୍ବହରା ହୋଇଯାଇଥିବା ବ୍ୟବସାୟୀମାନ‌େ ବାଧ୍ୟ ହୋଇ ସେମାନେ ପୁଣି ବିଏମ୍‌ସି କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।

ବ୍ୟବସାୟୀମାନଙ୍କ ଅଭିଯୋଗ ଅନୁସାରେ ବିନା ନୋଟିସ୍‌ରେ ଗତ ଏପ୍ରିଲ୍‌ ୮ ତାରିଖ ଭୋର୍‌ ୪ଟାରୁ ବିଏମ୍‌ସି ଓ ବିଡିଏ ଜୋର୍‌ ଜବରଦସ୍ତ ଏହି ହାଟକୁ ଉଚ୍ଛେଦ କଲେ। ନିୟମାନୁସାରେ ଥଇଥାନ ବ୍ୟବସ୍ଥା କରି ଉଚ୍ଛେଦ କରିବା କଥା। ମାତ୍ର ବେଆଇନ ହାଟ ଦର୍ଶାଇ ବିଡିଏ ମଧ୍ୟ ବେଆଇନ ଭାବେ ରାତିଅଧିଆ ଉଚ୍ଛେଦ କଲା। ଫଳରେ ବ୍ୟବସାୟୀମାନେ ଉଚ୍ଛେଦ ବିଷୟରେ ଖବର ନପାଇବାରୁ ଦୋକାନରୁ କିଛି ଜିନିଷ ଖାଲି କରିପାରିନଥିଲେ। ଫଳରେ ଲକ୍ଷ ଲକ୍ଷ ଟଙ୍କାର ଜିନିଷ ନଷ୍ଟ ହୋଇଗଲା। ଦୋକାନର ଜିନିଷ ସହ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଉପକରଣ ନଷ୍ଟ ହେଲା। ପୂର୍ବରୁ ରାଜଧାନୀରେ କେବେ ଏଭଳି ଉଚ୍ଛେଦ ହୋଇନଥିଲା। ବିଏମ୍‌ସିର ଏଭଳି ଅଚାନକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ବ୍ୟବସାୟ ବନ୍ଦ ହୋଇଗଲା।

ରୋଜଗାର ତ ଗଲା, ଶେଷକୁ ମହାଜନ ପଇସା ବି ବୁଡ଼ିଗଲା। ହୋଲ୍‌ସେଲର୍‌ଠାରୁ ବାକିରେ ଆଣିଥିବା ଜିନିଷର ମୂଲ୍ୟ ପରିଶୋଧ କରିବାକୁ ସେମାନଙ୍କ ପାଖରେ ପଇସା ନାହିଁ। ମହାଜନଠାରୁ କରଜ ଆଣି ଦୋକାନରେ ବିନିଯୋଗ ହୋଇଥିବା ପୁଞ୍ଜି ବି ବୁଡ଼ିଗଲା। ମହାଜନ ଟଙ୍କା ମାଗିଲାଣି। ତେଣୁ ସବୁ ଦିଗରୁ ହତାଶ ହୋଇ ଏବେ ବ୍ୟବସାୟୀମାନେ ଚିନ୍ତାରେ ଅଛନ୍ତି। ଅନ୍ୟପଟେ ଉଚ୍ଛେଦ ହୋଇଥିବା ୪୨୯ଜଣ ବ୍ୟବସାୟୀଙ୍କ ପରିବାର ପ୍ରତିପୋଷଣ କରିବା ନେଇ ସେମାନେ ନାନା ଦହଗଞ୍ଜ ହେଉଛନ୍ତି।

ସ୍ଥାନୀୟ ନେତୃବୃନ୍ଦ ଏବଂ ବ୍ୟବସାୟୀମାନେ ଗତ ୧୬ ତାରିଖରେ ମେୟର ସୁଲୋଚନା ଦାସଙ୍କୁ ଭେଟି ଥଇଥାନ ଓ କ୍ଷତିପୂରଣ ବାବଦରେ ଦାବି ରଖିଥିଲେ। ଗୋଟିଏ ସପ୍ତାହ ଭିତରେ ଉପଯୁକ୍ତ ସ୍ଥାନ ଚିହ୍ନଟ ଏବଂ ସର୍ଭେ କରି ସେମାନଙ୍କୁ ଥାଇଥାନ କରିବା ପାଇଁ ମେୟର ଶ୍ରୀମତୀ ଦାସ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ହେଲେ ତାଙ୍କ ପ୍ରତିଶ୍ରୁତି ‌‌କେବଳ କଥାରେ ଅଟକି ଯାଇଛି ବୋଲି ବ୍ୟବସାୟୀମାନେ ଅତ୍ୟନ୍ତ କ୍ଷୋଭର ସହ କହିଛନ୍ତି। ଏନେଇ ତୁରନ୍ତ ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ମେୟରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ରାସ୍ତାରେ ଖୋଲିଲେ ପସରା
ମେୟରଙ୍କ ପ୍ରତିଶ୍ରୁତି ପାଣିର ଗାର
ପୁଣି ଘେରିବେ ବିଏମ୍‌ସି କାର୍ଯ୍ୟାଳୟ

ଏଣେ ପେଟପାଟଣା ପାଇଁ କିଛି ଖୁଚୁରା ବ୍ୟବସାୟୀ ହାଟ ସମ୍ମୁଖ ରାସ୍ତା କଡ଼ରେ ପସରା ମେଲାଇଛନ୍ତି। କେତେ ଦିନ ଆଉ ଘରେ ହାତବାନ୍ଧି ବସିବେ ବୋଲି ସେମାନେ ବଡ଼ ବିକଳ ହୋଇ କହିଛନ୍ତି। କିନ୍ତୁ ସେମାନେ ରାସ୍ତା କଡ଼ରେ ବସିବା ଦ୍ବାରା ରାସ୍ତା ସଂକୀର୍ଣ୍ଣ ହୋଇଯାଉଛି ଓ ଟ୍ରାଫିକ୍‌ ଜାମ୍‌ ବଡ଼ ବିଷମ ପରିସ୍ଥିତି ସୃଷ୍ଟି କରୁଛି। ଗ୍ରାହକମାନେ ବି ରାସ୍ତା କଡ଼ରେ ଗାଡ଼ି ରଖି ଜିନିଷ କିଣୁଥିବା ଯୋଗୁଁ ରାସ୍ତା ପୂରା ବନ୍ଦ ହୋଇଯାଉଛି। ଫଳରେ ସେହି ରାସ୍ତା ଉପରେ ନିର୍ଭର କରୁଥିବା ଲୋକମାନେ ମଧ୍ୟ ହଇରାଣ ହେଉଛନ୍ତି। ଏନେଇ ଅଞ୍ଚଳବାସୀ ବିଏମ୍‌ସିକୁ ଦାୟୀ କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ବହୁ ସରକାରୀ ଜମି ଥିଲେ ମଧ୍ୟ ବିଏମ୍‌ସି ବ୍ୟବସାୟୀମାନଙ୍କୁ ଥଇଥାନ କରିବାରେ ଜାଣିଶୁଣି ବିଳମ୍ବ କରୁଛି ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ କହିଛନ୍ତି। ବ୍ୟବସାୟୀମାନଙ୍କୁ ତୁରନ୍ତ ଥଇଥାନ କରାଯାଉ ବୋଲି ସେମାନେ ମଧ୍ୟ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର