ଭୂଗୋଳ ହେଲା ଇତିହାସ: ମାଟିରେ ମିଶିଲା ଗଣେଶ ମଣ୍ଡପ ହାଟ

ଉଚ୍ଛେଦ ହେଲା ୧୯୧ ଦୋକାନ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଭୁବନେଶ୍ୱର: ବ୍ୟବସାୟୀ ଓ ଭୁବନେଶ୍ବର ବିଜେପି ପକ୍ଷରୁ ଜୋର୍‌ଦାର୍‌ ବିରୋଧ ସତ୍ତ୍ବେ ଝାରପଡ଼ା ଗଣେଶ ମଣ୍ଡପ ହାଟ ଆଜି ମା‌ଟିରେ ମିଶିଛି। ହାଟର ସମସ୍ତ ୧୯୧ ଦୋକାନକୁ ଭାଙ୍ଗି ଦିଆଯାଇଛି। ପୁଲିସ ସହ ବିକ୍ଷୋଭକାରୀମାନଙ୍କ ଧସ୍ତାଧସ୍ତି ହୋଇଥିଲେ ବି ଉଚ୍ଛେଦ ସ୍କ୍ବାଡ୍‌ ହାଟ ହଟାଇବାରେ ସକ୍ଷମ ହୋଇଛି। ହାଟ ଉଚ୍ଛେଦ ପୂର୍ବରୁ ସେଠାରେ ୧୪୪ ଧାରା ଜାରି ହୋଇଥିବା ବେଳେ ଦୁଇଜଣ ଉଚ୍ଛେଦ ସ୍କ୍ବାଡ୍‌ ସହ ଝଗଡ଼ା କରିବାରୁ ପୁଲିସ ସେମାନଙ୍କୁ ଉଠାଇ ନେଇଥିଲା। ପରେ ଏହାକୁ ନେଇ ବିଜେପି ପକ୍ଷରୁ ଝାରପଡ଼ା ଛକରେ ରାସ୍ତାରୋକ୍ କରାଯାଇଥିଲା।

ପୁଲିସ-ବିକ୍ଷୋଭକାରୀ ମୁହାଁମୁହିଁ
ଅକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ଅଭିଯୋଗ ଆଣିଲା ବିଜେପି
ଘଣ୍ଟାଏ କାଳ ଟ୍ରାଫିକ୍‌ ଜାମ୍‌
ଆତ୍ମହୁତି ଉଦ୍ୟମ କଲେ ମହିଳା

ପରେ ପରେ ବିକ୍ଷୋଭକାରୀମାନେ ମାନବାଧିକାର କମିସନଙ୍କୁ ଆବେଦନ କରିବା ସହ ଭୁବନେଶ୍ବର ଡିସିପିଙ୍କୁ ଭେଟି କ୍ଷତିଗ୍ରସ୍ତ ବ୍ୟବସାୟୀମାନଙ୍କ ଥଇଥାନ ଦାବି କରିଥିଲେ। ଏନେଇ ବିଡିଏ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଥିଲା ଓ ବିଏମ୍‌ସି କମିସନର୍‌ଙ୍କ ସହ ଆଲୋଚନା କରି ଉଚ୍ଛେଦ ହୋଇଥିବା ବ୍ୟବସାୟୀଙ୍କ ଥଇଥାନ କଥା ବିଚାର କରାଯିବ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଛି।

ପୂର୍ବରୁ ଏହି ହାଟ ଉଚ୍ଛେଦ କରିବାକୁ ତିନି ତିନି ଥର ଉଦ୍ୟମ ହୋଇଥିଲେ ହେଁ ବିଡିଏ ସଫଳ ହୋଇନଥିଲା। ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ବେଳେ ପୁଣି ବିଡିଏ ପକ୍ଷରୁ ହାଟ ଉଚ୍ଛେଦ କରାଯିବ ବୋଲି ମାଇକ୍‌ ଯୋଗେ ପ୍ରଚାର କରାଯାଇଥିଲା। ଆଜି ଭୋର୍‌ ପ୍ରାୟ ୪ଟାରୁ ଆରମ୍ଭ ହୋଇଥିଲା ଅପରେସନ୍‌। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କମିସନରେଟ୍ ପୁଲିସ ପକ୍ଷରୁ ୧୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ଓ ୧୦ ସେକ୍ସନ୍‌ ମହିଳା ପୁଲିସ ବଳ ମୁତୟନ କରାଯାଇଥିଲା। ସକାଳ ହେଲା ବେଳକୁ ହାଟର ଅଧାଅଧି ଭଙ୍ଗା ହୋଇ ସାରିଥିଲା।

ଖବର ପ୍ରଚାରିତ ହେବା ମାତ୍ରେ ବ୍ୟବସାୟୀମାନେ ଓ ସ୍ଥାନୀୟ କର୍ପୋରେଟର ଧରିତ୍ରୀ ଜେନା ସେଠାରେ ପହଞ୍ଚି ପ୍ରତିବାଦ ଆରମ୍ଭ କରିଥିଲେ। ପରେ ପରେ ବିଜେପି ନେତା ବାବୁ ସିଂହ, ଜଗନ୍ନାଥ ପ୍ରଧାନ, ଦିଲ୍ଲୀପ ମହାନ୍ତି ଓ ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ୍‌ ପ୍ରମୁଖ ସେଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିନା ନୋଟିସ୍‌ରେ ତରବରିଆ ଭାବେ ହାଟ ଉଚ୍ଛେଦ କରାଯାଉଛି ବୋଲି ସେମାନେ ଅଭିଯୋଗ କରିଥିଲେ। ପୌର ନିର୍ବାଚନରେ ଏହି ୱାର୍ଡରୁ ବିଜେଡି ହାରି ଯାଇଥିବାରୁ ପ୍ରତିଶୋଧପରାୟଣ ହୋଇ ଏଭଳି କରାଯାଉଛି ବୋଲି ସୁନୀତି ଅଭିଯୋଗ କରିଥିଲେ।

ସମାନ ଅଭିଯୋଗ ଆଣିଥିଲେ କ‌ର୍ପୋରେଟର୍‌ ଧରିତ୍ରୀ ଜେନା ଓ ଜଗନ୍ନାଥ ପ୍ରଧାନ। ବ୍ୟବସାୟୀମାନଙ୍କୁ ଥଇଥାନ ନ କରି ସେମାନଙ୍କ ପେଟପାଟଣା କଥା ବିଚାର ନକରି ଉଚ୍ଛେଦ କରାଯାଉଛି ବୋଲି ବାବୁ ସିଂ ଓ ଦିଲ୍ଲୀପ ମହାନ୍ତି ଅଭିଯୋଗ କରିଥିଲେ। କିନ୍ତୁ ପ୍ରତିବାଦ ସତ୍ତ୍ବେ ହାଟ ଉଚ୍ଛେଦ ଜାରି ରହିଥିଲା ଓ ୧୦ଟା ସୁଦ୍ଧା ହାଟ ମାଟିରେ ମିଶି ଯାଇଥିଲା। ୧୪୪ ଧାରା ଜାରି ହୋଇଥିବାରୁ ବିକ୍ଷୋଭକାରୀମାନେ ସେଠାରୁ ଯାଇ ପେଟ୍ରୋଲ ପମ୍ପ ଛକରେ ଟାୟାର୍‌ ଜାଳି ରାସ୍ତାରୋକ୍ କରିଥିଲେ। ଫଳରେ ପ୍ରାୟ ଦେଢ଼ ଘଣ୍ଟା କାଳ କଟକ ରୋଡ୍‌ ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଥିଲା। ଏହି ସମୟରେ ଜଣେ ଯୁବତୀ ସେଠାରେ ଦେହରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। କିନ୍ତୁ ପୁଲିସ ତାଙ୍କୁ ଉଠାଇ ନେଇଥିଲା। ପରେ ପୁଲିସ ବୁଝାସୁଝା କରି ସେମାନଙ୍କୁ ସେଠାରୁ ହଟାଇଥିଲା।

ସୂଚନାଯୋଗ୍ୟ, ୩ ଏକର ୨୦୭ ଡିସିମିଲି ବିଶିଷ୍ଟ ଏହି ସରକାରୀ ଜମିରେ ୩ଟି ସ୍ଥାୟୀ ଦୋକାନ ଘର, ୧୪ଟି ବଡ଼ ଗୋଦାମ, ୯୭ଟି ଆଜ୍‌ବେଷ୍ଟସ ଛପର ଦୋକାନ, ୨୫ଟି ଅସ୍ଥାୟୀ ପରିବା ଦୋକାନ, ୫୨ଟି କ୍ୟାବିନ୍‌ ଭଙ୍ଗାଯାଇଛି। ମୋଟ ୧୯୧ଟି ଦୋକାନ ଭାଙ୍ଗି ଦିଆଯାଇଛି। ଏହି ଜମିରେ ବିଡିଏ ପକ୍ଷରୁ ଏକ ମାର୍କେଟ୍‌ କମ୍ପ୍ଲେକ୍ସ ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି। ଉଚ୍ଛେଦକାରୀ ସ୍କ୍ୱାଡ୍‌ରେ ଭୁବନେଶ୍ବର ଅତିରିକ୍ତ ଡିସିପି, ୪ ଜଣ ଏସିପି, ଜଣେ ଟ୍ରାଫିକ୍‌ ଏସିପି, ୬ଜଣ ଆଇଆଇସି, ବିଡିଏ ଅତିରିକ୍ତ କମିସନର ହରୀଶ ନାୟକ, ଜିଏ ଏବଂ ଏନ୍‌ଫୋର୍ସମେଣ୍ଟ ସହକାରୀ ନିର୍ଦେଶକ ଅମୀୟ କୁମାର ଦାସ, ବିଡିଏ ଏନ୍‌ଫୋର୍ସମେଣ୍ଟ ଅଧିକାରୀ ପ୍ରମୋଦ ପାତ୍ର ଏବଂ ଲିଆସନିଂ ଅଧିକାରୀ ଶୁଭ୍ରାଂଶୁ ଶେଖର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଓଏଚ୍‌ଆର୍‌ସିରେ ବିଜେପିର ଫେରାଦ

ଗଣେଶ ମଣ୍ଡପ ବଜାର ଉଚ୍ଛେଦ ନେଇ ବିଜେପି ତୀବ୍ର ଅସନ୍ତୋଷ ପ୍ରକାଶ କରିଛି। ଏହି ଘଟଣାରେ ରାଜ୍ୟ ମାନବାଧିକାର କମିସନ୍‌ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ବିଜେପି ଦାବି କରିଛି। ଆଜି ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳଙ୍କ ନେତୃତ୍ବରେ ଏକ ଟିମ୍‌ କମିସନଙ୍କୁ ଭେଟି ଦାବି ଜଣାଇଛି। ବିଜେପି ପକ୍ଷରୁ କୁହାଯାଇଛି ଯେ କୌଣସି ସୂଚନା ନଦେଇ ବିଏମ୍‌ସି, ବିଡିଏ ଏବଂ ସାଧାରଣ ପ୍ରଶାସନ ବିଭାଗ ପୁଲିସ ଉପସ୍ଥିତିରେ ଶହଶହ ଦୋକାନ ଭାଙ୍ଗି ମାଟିରେ ମିଶାଇ ଦେଇଛି। ଏହା ଦ୍ବାରା ଗରିବ ଦୋକାନୀଙ୍କ ପେଟରେ ଲାତ ମରାଯାଇଛି। ସେମାନଙ୍କ ଗୁଜୁରାଣ ମେଣ୍ଟାଇବା କାଠିକର ପାଠ ହୋଇପଡ଼ିଛି। ରାଜଧାନୀର ଛାତି ଉପରେ ପୁଲିସ ଓ ପ୍ରଶାସନର ଏଭଳି ପଦକ୍ଷେପ ସଂପୂର୍ଣ୍ଣ ଭାବେ ଅଗାଣତାନ୍ତ୍ରିକ, ଅନୈତିକ ଏବଂ ଅମାନବୀୟ। ମହାନଗର ନିଗମ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ବିଜୟ ହୋଇଥିବାରୁ ପ୍ରତିଶୋଧ ପରାୟଣ ଶାସକ ଦଳ ଏଭଳି ପଦକ୍ଷେପ ନେଇଛି। ଏହି ପ୍ରତିନିଧି ଦଳରେ ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଜୟନ୍ତ ଜେନା, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ, ମେୟର ପ୍ରାର୍ଥିନୀ ସୁନୀତି ମୁଣ୍ଡ, କର୍ପୋରେଟର୍‌ ଧରିତ୍ରୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସୋମବାର ଆଲୋଚନା

ଡିସିପି ଉମାଶଙ୍କର ଦାଶ ବିକ୍ଷୋଭକାରୀମାନଙ୍କୁ ବିଏମ୍‌ସି ଓ ବିଡିଏ ଅଧିକାରୀଙ୍କ ସହ ଯୋଗାଯୋଗ କରାଇଥିଲେ। ବିଏମ୍‌ସି କମିସନର୍‌ ଛୁଟିରେ ଥିବାରୁ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲା। ବିଏମ୍‌ସି ପକ୍ଷରୁ କୁହାଯାଇଛି, ଗଠନ ହୋଇଥିବା ଏକ ୬ ଜଣିଆ କମିଟି ଏପ୍ରିଲ୍‌ ୨୦୨୧ରେ ଏକ ସର୍ଭେ କରିଥିଲା। ୩ ଶହ ବ୍ୟବସାୟୀଙ୍କୁ ଭେଣ୍ଡର କାର୍ଡ ପ୍ରଦାନ କରାଯାଇଛି। ତେଣୁ ଏଠାରେ ମାର୍କେଟ୍‌ କମ୍ପେକ୍ସ ନିର୍ମାଣ କରାଯିବ ଓ ବିଏମ୍‌ସିକୁ ହସ୍ତାନ୍ତର କଲା ପରେ ବ୍ୟବସାୟୀଙ୍କ ଦାବି ଉପରେ ନିଷ୍ପତ୍ତି ନିଆଯିବ। ଏହି କଥାରେ ବିଜେପି ପ୍ରତିନିଧି ମଣ୍ଡଳୀ ରାଜି ନ ହେବାରୁ ଆସନ୍ତା ସୋମବାର ପୁଣିଥରେ ବିଡିଏ ଓ ବିଏମ୍‌ସି ଅଧିକାରୀଙ୍କ ଉପସ୍ଥିତିରେ ଆଲୋଚନା କରାଯିବ ବୋଲି ସ୍ଥିର ହୋଇଛି। ଉକ୍ତ ଆଲୋଚନାରେ ସେମାନଙ୍କ ଦାବି ପୂରଣ ନହେଲେ ପୁଣି ଥରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଜଗନ୍ନାଥ ପ୍ରଧାନ କହିଛନ୍ତି।

ରାଜନୈତିକ ଆକ୍ରୋଶରୁ ବଳି ପଡ଼ିଲେ ୩ ଶହ ବ୍ୟବସାୟୀ!

ରାଜନୈତିକ ଅକ୍ରୋଶରୁ ଏହି ହାଟର ୩ ଶହ ବ୍ୟବସାୟୀ ବଳି ପଡ଼ିଗ‌ଲେ ବୋଲି ଅଭିଯୋଗ ହୋଇଛି। ଦୀର୍ଘ ୩୦ ବର୍ଷ ଧରି ଝାରପଡ଼ା ଜେଲ୍‌ ସମ୍ମୁଖରେ ଏହି ହାଟ କରି ବ୍ୟବସାୟୀମାନେ ଚଳୁଥିଲେ। ପୂର୍ବରୁ ଏଠାରେ ୩୦ ଫୁଟ୍ ଗଭୀରର ଏକ ଗାଡ଼ିଆ ଥିଲା। ପଚାସଢ଼ା ପାଣି ଜମି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଥିଲା। ବେପାରୀମାନେ ଏହାକୁ ପୋତି ହାଟ ପ୍ରତିଷ୍ଠା କରିବା ପରେ ସ୍ଥାନୀୟ ଲୋକେ ଉପକୃତ ହୋଇ ଆସୁଥିଲେ। ଏହି ହାଟ ଉପରେ ପ୍ରାୟ ୪ରୁ ୫ଟି ୱାର୍ଡର ଲୋକେ ନିର୍ଭର କରୁଥିବା ବେଳେ ଗରିବ ବ୍ୟବସାୟୀମାନେ ବି ପରିବାର ଭରଣପୋଷଣ କରୁଥିଲେ। ମାତ୍ର ସେମାନଙ୍କୁ ଥଇଥାନ ନକରି ଓ କ୍ଷତିପୂରଣ ନଦେଇ ଉଚ୍ଛେଦ କରି ଦିଆଗଲା। ଫଳରେ ସେମାନେ ଏବେ କେମିତି ପରିବାର ପ୍ରତିପୋଷଣ କରିବେ ବୋଲି ପ୍ରଶ୍ନ କରିଛନ୍ତି। କିନ୍ତୁ ଏହି ହାଟ ଉଚ୍ଛେଦ ଯୋଜନା ବହୁ ପୂର୍ବର ବୋଲି ବିଡିଏ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର