ନିରାଡ଼ମ୍ବରରେ ସରିଲା ଗଣେଶ ପୂଜା

ଭୁବନେଶ୍ବର : ମଣ୍ଡପରେ ବିଶେଷ ଜାକଜମକ ନଥିଲା। ରଙ୍ଗିନ ତୋରଣରେ ବି ସହର ସଜେଇ ହୋଇନଥିଲା। ତଥାପି ସକାଳୁ ସକାଳୁ ସହର ହୋଇ ଉଠିଥିଲା ଉତ୍ସବ ମୁଖର। ଶିକ୍ଷାନୁଷ୍ଠାନଠାରୁ ମଣ୍ଡପ ଯାଏ, ଘରଠାରୁ ଆବାସିକ କଲୋନି ଯାଏ ସବୁଠି ବିରାଜିଥିଲେ ସିଦ୍ଧି ବିନାୟକ। କିଛି କିଛି ସ୍ଥାନରେ ନିରାଡ଼ମ୍ବର ହେଲେ ମଧ୍ୟ ନିଆରା ଗଣେଶଙ୍କୁ ଦେଖିବାକୁ ମିଳିଥିଲା। କିଛି କିଛି ପୂଜା ମଣ୍ଡପରେ ରାଜ୍ୟ ସରକାରଙ୍କ ଗାଇଡ଼୍‌ଲାଇନ୍ ଅନୁସାରେ ତିନି ପାର୍ଶ୍ବ ବନ୍ଦ କରାଯାଇ ପୂଜା କରାଯାଇଥିଲା। ଆଉ କିଛି ସ୍ଥାନରେ ବାରଣ ସତ୍ତ୍ୱେ ବି ଶ୍ରଦ୍ଧାଳୁମାନେ ମଣ୍ଡପ ବୁଲି ଦର୍ଶନ କରିଥିଲେ।

ଅନ୍ୟପଟେ ଶିକ୍ଷାନୁଷ୍ଠାନଗୁଡ଼ିକର ଗଣେଶ ପୂଜା ସମ୍ପୂର୍ଣ୍ଣ ଖାଁ ଖାଁ ଥିଲା। କଟକଣା ଯୋଗୁଁ ଛାତ୍ରଛାତ୍ରୀମାନେ ସ୍କୁଲ, କଲେଜ ଯାଇ ନଥିଲେ। କେବଳ ବିଧି ରକ୍ଷା ପାଇଁ ଶିକ୍ଷକମାନେ ଗଣେଶ ପୂଜା ସମ୍ପାଦିତ କରିଥିଲେ। ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ବିନାୟକଙ୍କୁ ପୂଜା ହୋଇଥିଲେ ବି ତାହା ନିରାଡ଼ମ୍ବର ଥିଲା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସର୍ବସାଧାରଣ ସ୍ଥାନରେ ଗଣେଶ ପୂଜାକୁ ବାରଣ କରାଯାଇଛି। ବିଭିନ୍ନ ପୂଜା ମଣ୍ଡପ ଓ କ୍ଲବ୍‌ରେ ସୀମିତ କର୍ମକର୍ତ୍ତାରେ ପୂଜାର୍ଚ୍ଚନା କରାଯାଇଥିଲା। ‌ଭଜନ, କୀର୍ତନ, ମେଲୋଡି ଓ ପ୍ରସାଦ ସେବନର ଅବକାଶ ନଥିଲା। ମୂର୍ତି ଓ ତୋରଣକୁ ନେଇ କୌଣସି ପ୍ରତିଯୋଗିତା ବି ହୋଇନଥିଲା। କିନ୍ତୁ ବହୁ ଦିନ ପରେ ପୂଜା ଅବସର ଥିବାରୁ ପୂଜକମାନେ କିଛି ରୋଜଗାର କରିବାର ସୁଯୋଗ ପାଇଥିଲେ।

 

ଚାରୁକଳା କଲେଜର ନିଆରା ପ୍ରୟାସ: ମୁଗ ବିହନରେ ଗଣେଶ ମୂର୍ତ୍ତି
ଧଉଳି : ପ୍ରତିବର୍ଷ ଏଥର ମଧ୍ୟ ଧଉଳି ଶାନ୍ତିସ୍ତୂପ ପରିସରରେ ଥିବା ଚାରୁକଳା ମହାବିଦ୍ୟାଳୟର ଗଣେଶ ପୂଜା ନିଆରା ଢ଼ଙ୍ଗରେ ପାଳିତ ହୋଇଯାଇଛି। ମୁଗ ବିହନରେ ଗଣେଶ ମୂର୍ତ୍ତି ତିଆରି କରାଯାଇ ପୂଜା କରାଯାଇଛି। ପରିବେଶକୁ ପରିମଳ ଓ ସୁସ୍ଥ ରଖିବା ପାଇଁ ଏଭଳି ପ୍ରୟାସ କରାଯାଇଛି। ଅନୁଷ୍ଠାନର ଶିଳ୍ପୀ ଛାତ୍ରଛାତ୍ରୀମାନେ କୌଣସି ପ୍ରକାର ରାସାୟନିକ ଦ୍ରବ୍ୟ, ରଙ୍ଗ କିମ୍ବା ଜରି ବ୍ୟବହାର ନ କରି କେବଳ ମୁଗ ବିହନରେ ୪ ଫୁଟ୍‌ ଉଚ୍ଚତାର ଗଣେଶ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ଛାତ୍ର ବିଶ୍ବଦୀପ ବିଶ୍ବାଳ ଓ ତାଙ୍କ ବନ୍ଧୁମା‌ନେ ଏହି ମୂର୍ତ୍ତି ଗଢ଼ିଛନ୍ତି। ଛାତ୍ରଛାତ୍ରୀମାନଙ୍କ ଗହଣରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଚନ୍ଦନ କୁମାର ସାମଲ, ଅଧ୍ୟାପିକା ସସ୍ମିତା କାମିଳା, ଲକ୍ଷ୍ମୀଧର ସ୍ବାଇଁ, ବସନ୍ତ ପ୍ରଧାନ ଓ ବିଚିତ୍ର କାଣ୍ଡି ପ୍ରମୁଖ ଉପସ୍ଥିତ ରହି ପୂଜାର୍ଚ୍ଚନା କରିବା ସହ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ।

ମୁଗ ଡାଲିରେ ଗଜାନନ
ବାଲିପାଟଣା : ଗଣେଶ ପୂଜା ଅବସରରେ ବାଲିପାଟଣା ଥାନାସାହିର ମୁଗ ଡାଲିରେ ନିର୍ମିତ ଗଜାନନଙ୍କ ମୂର୍ତ୍ତି ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ସ୍ଥାନୀୟ ମହାଲକ୍ଷ୍ମୀ କ୍ଳବ ଆନୁକୂଲ୍ୟରେ ଅନୁଷ୍ଠିତ ପୂଜାରେ ଏଭଳି ନିଆରା ମୂର୍ତ୍ତି ଦେଖିବାକୁ ଲୋକଙ୍କ ଭିତରେ ଆଗ୍ରହ ଦେଖାଯାଇଥିଲା। ପ୍ରାୟ ଅଢେଇ କିଲୋ ମୁଗ ଡାଲିରେ ନିର୍ମିତ ଏହି ମୂର୍ତ୍ତିକୁ ସୋଲ, ଚୁମ୍‌କି, ଅଳଙ୍କାର ଓ ବସ୍ତ୍ରରେ ସଜାଇ ଦିଆଯାଇଥିବାରୁ ବେଶ୍ ମନଲୋଭା ହୋଇପାରିଛି। ସ୍ଥାନୀୟ ଅଞ୍ଚଳର ଜଣାଶୁଣା କାରିଗର ଲୋକନାଥ ମହାରଣା ଏହି ମୂର୍ତ୍ତି ତିଆରି କରିଛନ୍ତି। ସୂଚନାଯୋଗ୍ୟ, ସ୍ଥାନୀୟ ଶିକ୍ଷାନୁଷ୍ଠାନ, କ୍ଳବ, ବ୍ୟବସାୟିକ ପ୍ରତିଷ୍ଠାନ ଆଦି‌ରେ କୋଭିଡ୍‌ କଟକଣା ଅନୁସାରେ ଗଣେଶ ପୂଜା ଅନୁଷ୍ଠିତ ହୋଇଛି।

ସମ୍ବନ୍ଧିତ ଖବର