ଭୁବନେଶ୍ବର: ଗତ ୨୮ ତାରିଖ ରାତିରେ ଶିଶୁପାଳଗଡ଼ରେ ଅସାମାଜିକ ଯୁବକମାନଙ୍କର ଏକ ଗ୍ୟାଙ୍ଗ ଅଧଘଣ୍ଟାରୁ ଅଧିକ ସମୟ ଧରି ଆତଙ୍କ ଖେଳାଇଲେ। ଖଣ୍ଡା, ଭୁଜାଲି ଧରି ଗୋଟିଏ ବିସ୍ତୃତ ଅଞ୍ଚଳରେ ବୁଲି ବୁଲି ଯାହାକୁ ପାଇଲେ, ହାଣିଲେ। ଏ ଗୁଣ୍ଡାରାଜ ଚାଲିଥିବାବେଳେ ପୁଲିସ ପହଞ୍ଚି ନଥିଲା। ସେ ଘଟଣା ଦେଖିଥିବା ଲୋକ କିଛି ସମୟ ପାଇଁ ଭୁଲିଗଲେ ଯେ ସେମାନେ ରାଜଧାନୀରେ ଅଛନ୍ତି ଓ ଏଠାରେ ଆଇନଶୃଙ୍ଖଳା ବୋଲି କିଛି ଅଛି! ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନ କରିଥିଲେ। ଏହି ଘଟଣାର ଦୁଇ ଦିନ ପୂର୍ବରୁ ମଞ୍ଚେଶ୍ବର ଥାନା ଠାରୁ ଅଳ୍ପ ଦୂରରେ କିଛି ଅସାମାଜିକ ଗଣ୍ଡଗୋଳ କଲେ। ଥାନାରେ ଅଭିଯୋଗ ପରେ ଯେତେବେଳେ ପୁଲିସ ଚଢ଼ଉ ପାଇଁ ଗଲା, ସେତେବେଳେ ଅପରାଧୀମାନେ ପନିକି ଧରି ଗୋଡ଼ାଇଲେ। ଭୁବନେଶ୍ବରରେ ଏପରି ଘଟଣା ବଢ଼ି ଚାଲିଛି।
ଏସବୁର ଗୋଟିଏ ଉଲ୍ଲେଖନୀୟ କଥା ହେଉଛି, ଏଥିରେ ସଂପୃକ୍ତ ଯୁବକମାନେ ପ୍ରାୟତଃ ବହୁତ ଲମ୍ବା ଅପରାଧ ଇତିହାସ ଥିବା ପେସାଦାର ଅପରାଧୀ ନୁହନ୍ତି। ବିଭିନ୍ନ ଆକର୍ଷଣ ଓ କାରଣରୁ ଅପରାଧ ଦୁନିଆକୁ ସେମାନେ ପ୍ରବେଶ କରୁଛନ୍ତି। ନିକଟରେ ନାବାଳକରୁ ସାବାଳକ ହୋଇଥିବା ୪-୫ ବା ତା’ଠାରୁ ଅଧିକ ଯୁବକ ଏକାଠି ହୋଇ ଗଣ୍ଡଗୋଳ ଓ ଦାଦାଗିରି କରି ଏକ ‘ଗ୍ୟାଙ୍ଗ୍’ ଗଠନ କରିବା ଏବେ ଫେସନ୍ ହୋଇ ଗଲାଣି। ବିଶେଷକରି ବସ୍ତି ଇଲାକାରେ ଏହା ଦେଖିବାକୁ ମିଳୁଛି। ଏ ଅପସଂସ୍କୃତିକୁ ଏକାଧିକ ସ୍ତରରେ ନିୟନ୍ତ୍ରଣ ନକରାଗଲେ, ଭବିଷ୍ୟତରେ ସ୍ଥିତି ଅଣାୟତ୍ତ ହୋଇଯିବାର ସବୁ ଆଶଙ୍କା ଅଛି ବୋଲି ମତ ପ୍ରକାଶ ପାଉଛି। ପୂର୍ବରୁ କେବିଏନ୍ ଗ୍ୟାଙ୍ଗ ରାଜରାସ୍ତାରେ ଖଣ୍ଡା, ବନ୍ଧୁକ ଧରି ବୁଲିବା ଭିଡିଓ ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଆଉ ଏବେ ହାପି ଗ୍ୟାଙ୍ଗ ଶିଶୁପାଳଗଡ଼ରେ ଗୋଡ଼ାଇ ଗୋଡ଼ାଇ ହାଣିବା ଭିଡିଓ ସାଧାରଣରେ ଭୟର ବାତାବରଣ ସୃଷ୍ଟି କରିଛି। ଏସବୁ ଘଟଣାକୁ ସାଧାରଣରେ ଅପରାଧ ବା ଅସାମାଜିକ କାର୍ଯ୍ୟକଳାପ ବୋଲି କହା ଯାଉଥିଲେ ହେଁ ଗୋଟିଏ ସ୍ତରରେ ଅର୍ଦ୍ଧଶିକ୍ଷିତ ଓ ଅଳ୍ପବୟସର ଯୁବକମାନଙ୍କୁ ତାହା ଆକର୍ଷଣୀୟ ମନେ ହେଉଛି। ଏସବୁକୁ ସେମାନେ ଏକପ୍ରକାର ‘ହିରୋଗିରି’ ବୋଲି ଭାବୁଛନ୍ତି। ତେଣୁ ଏମିତି ଆହୁରି ଗ୍ୟାଙ୍ଗ ମଧ୍ୟ ବିଭିନ୍ନ ଅଞ୍ଚଳରେ ଥିବା ତଥା ଆହୁରି ଅନେକ ଜନ୍ମ ନେଉଥିବା କୁହାଯାଉଛି।
ଏହି ତଥାକଥିତ ‘ଗ୍ୟାଙ୍ଗ’ଗୁଡ଼ିକୁ ଦେଖିଲେ, ତାଙ୍କ ପଛରେ ମୋଟାମୋଟି ଗୋଟିଏ ସମାନ ଇତିହାସ ଦେଖିବାକୁ ମିଳୁଛି। ରାଜଧାନୀର ବିଭିନ୍ନ ଛକ, ଗଳିକନ୍ଦିରେ ଥିବା ଖାଲି ପଡ଼ିଆ ଆଦିରେ ଅଳ୍ପ ବୟସର ଯୁବକଙ୍କର ଆଡ଼ା ଜମୁଛି। ସେମାନଙ୍କ ଭିତରେ ଅଛନ୍ତି ବିଶେଷ କରି ଅଧାରୁ ପାଠ ଛାଡ଼ିଥିବା ଯୁବକ। ସେମାନେ ଖଟି କରିବା ସହିତ ବିଭିନ୍ନ ସୂତ୍ରରୁ ଟଙ୍କା ଆଣି ବ୍ରାଉନସୁଗାର ଓ ମଦ ସେବନ କରୁଛନ୍ତି। ଗଞ୍ଜେଇ ଟାଣୁଛନ୍ତି। ନିଶାରେ ଛୋଟ ଛୋଟ ଘଟଣା, ଏପରିକି ବିନା କାରଣରେ ଲୋକଙ୍କ ସହ ପାଟିତୁଣ୍ଡ କରୁଛନ୍ତି। ଏପରିକି ମାଡ଼ ମାରିବାକୁ ପଛାଉ ନ ଥିବା ଦେଖିବାକୁ ମିଳୁଛି। ରାତିରେ ସେ ‘ଗ୍ୟାଙ୍ଗ’ ସଦସ୍ୟ ବାଇକ୍ ଧରି ବୁଲୁଛନ୍ତି, ରିଲ୍ସ ତିଆରି କରୁଛନ୍ତି। ସେ ରିଲ୍ସ ସୋସିଆଲ ମିଡିଆରେ ସେୟାର କରା ଯାଉଛି। ସେ ଭିତରେ ଅନେକ ପାଟିତୁଣ୍ଡ ଓ ଗଣ୍ଡଗୋଳ ହେଉଛି, ଯାହାର ରିପୋର୍ଟ ହେଉନାହିଁ। କେବେ କେବେ ଗ୍ୟାଙ୍ଗ ସଦସ୍ୟ ନିଜ ନିଜ ଭିତରେ ମରାମରି ହେଉଛନ୍ତି। ଆଗକୁ ଏମାନେ ରାଜରାସ୍ତାରେ ଆତଙ୍କ ଖେଳାଇବା ଘଟଣା ଖୁବ୍ ବଢ଼ିବ ବୋଲି ଆଶଙ୍କା କରାଯାଉଛି। ଘରୁ ପଇସା ଆଣି ନିଶା ଆରମ୍ଭ କରୁ କରୁ ସେମାନେ ଡ଼ରାଇ ଧମକାଇ ଅର୍ଥ ଆଦାୟ କରିବା ଆରମ୍ଭ କରୁଛନ୍ତି, ତା’ପରେ ବଟି ଆଦାୟ କରୁଛନ୍ତି। ଏସବୁ କିଛି କାଳ ଚାଲିବା ପରେ ଦୁଃସାହସ ବଢ଼ି ଯାଉଛି ଓ ଶେଷରେ ସେମାନେ ବିଧିବଦ୍ଧ ପେସାଦାର ଅପରାଧୀ ପାଲଟି ଯାଉଛନ୍ତି। ରାଜଧାନୀରେ ଆଇନଶୃଙ୍ଖଳାର ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହାକୁ ନିୟନ୍ତ୍ରଣ କରିବା ଅତି ଆବଶ୍ୟକ ହୋଇ ପଡ଼ିଛି। ଅତିକମ୍ରେ ରାଜରାସ୍ତାରେ ଅପରାଧୀଙ୍କ ଆତଙ୍କରାଜକୁ ରୋକିବାରେ ପୁଲିସ ସକ୍ଷମ ହେବା ସହିତ ଅପରାଧୀମାନେ ପୁଲିସକୁ ଭୟ କରିବାଭଳି ପାଟ୍ରୋଲିଂ ଓ କାର୍ଯ୍ୟାନୁଷ୍ଠାନ ଦରକାର। ନିଶା ଚାଲିଥିବା ଖଟି ଓ ଆଡ଼ାଗୁଡ଼ିକ ଉପରେ ନିୟମିତ ଚଢ଼ଉ କଲେ ଏହି ପ୍ରକ୍ରିୟାର ଆରମ୍ଭକୁ ଅନେକ ପରିମାଣରେ ବନ୍ଦ କରିହେବ ବୋଲି ମତ ପ୍ରକାଶ ପାଉଛି।