ଭୁବନେଶ୍ବର : ନୂଆପଲ୍ଲୀରେ ଜମି ଦଖଲ କରିବାକୁ ସୁପାରି ନେଇ ରାତାରାତି ଦୁଇଟି ଦୋକାନକୁ ମାଟିରେ ମିଶାଇ ଦେଇଥିବା ଏକ ବାଉନ୍ସର ଗ୍ୟାଙ୍ଗ୍କୁ ଗିରଫ କରିଛି ନୂଆପଲ୍ଲୀ ଥାନା ପୁଲିସ। ସ୍ପେସାଲ୍ ସ୍କ୍ବାଡ୍ ସହଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଚନ୍ଦକା ଥାନା ମଳିପଡ଼ା ଅଞ୍ଚଳର ଗ୍ୟାଙ୍ଗ୍ ମୁଖିଆ ନକୁଳ ମହାକୁଡ଼, ନିଳାଦ୍ରୀବିହାର ଅଞ୍ଚଳର ଆଶିଷ ଜେନା, ବରମୁଣ୍ଡା ଅଞ୍ଚଳର ଦୀପକ କୁମାର ଦାସ, ସାଇନ୍ସପାର୍କ ବସ୍ତିର ଲକ୍ଷ୍ମୀକାନ୍ତ ଦାସ, ପିପିଲିର ରାଜେଶ କୁମାର ପାତ୍ର, ଡେଲାଙ୍ଗ ଅଞ୍ଚଳର ପ୍ରଦୀପ କୁମାର ବଳିଆରସିଂହ ଏବଂ ଚନ୍ଦକା ଅନ୍ଧାରୁଆ ଅଞ୍ଚଳର ଆଶିଷ କୁମାର ରାୟ। ଏହି ଗ୍ୟାଙ୍ଗ୍ର ଆଉ କିଛି ସଦସ୍ୟ ଏବଂ ଏମାନଙ୍କୁ ସୁପାରି ଦେଇଥିବା ବ୍ୟକ୍ତି ଫେରାର୍ ରହିଛି।
ମାମଲାରୁ ମିଳିଥିବା ସୂଚନା ମୁତାବକ ପାଖାପାଖି ୩ବର୍ଷ ତଳେ ରଂଜିତ୍ ଦାସପୁରିଆ ନାମକ ଜଣେ ବ୍ୟକ୍ତି ହୋଟେଲ୍ ପ୍ରେସିଡେନ୍ସି ନିକଟରେ ଥିବା ପ୍ରଦୀପ କୁମାର ରାଉତରାୟଙ୍କ ପରିବାରଠାରୁ ଜମି କିଣିଥିଲେ। କିନ୍ତୁ ଜମି ଦଖଲ ପାଇଁ ଆସିବା ବେଳେ ପ୍ରଦୀପ ତାଙ୍କୁ ବାରଣ କରିଥିଲେ। ଜମିରେ ତାଙ୍କ ଭାଗ ଥିବା ଦର୍ଶାଇ ଦଖଲ ଦେଇନଥିଲେ। ଏହାକୁ ନେଇ ବିବାଦ ଦେଖାଦେଇଥିଲା ଏବଂ ମାମଲା କୋର୍ଟ ପର୍ଯ୍ୟନ୍ତ ଯାଇଥିଲା। ଦୀର୍ଘ ଦିନ ଅପେକ୍ଷା କରିବା ପରେ ରଂଜିତ ଉକ୍ତ ଜମିକୁ ହାତେଇବା ପାଇଁ ଏକ ନକୁଳ ମହାକୁଡ଼ର ବାଉନ୍ସର ଗ୍ୟାଙ୍ଗକୁ ହାତ କରିଥିଲେ। ଗତ ଶୁକ୍ରବାର ରାତିରେ ଦୁଇଟି ବସ୍ରେ ନକୁଳ ଗ୍ୟାଙ୍ଗ୍ ପ୍ରାୟ ଶହେରୁ ଊର୍ଧ୍ବ ବାଉନ୍ସରଙ୍କୁ ଧରି ସେଠାରେ ପହଞ୍ଚିଥିଲା। ସେମାନେ ସାଙ୍ଗରେ ଏକ ବୁଲ୍ଡୋଜର ମଧ୍ୟ ଆଣିଥିଲେ। ଉକ୍ତ ପ୍ଲଟ୍ରେ ଗୋଟିଏ ହାର୍ଡ ୱେୟର ଓ ଗୋଟିଏ ପ୍ଲାଏ ଉଡ୍ ଏମିତି ଦୁଇଟି ୨୦ ବର୍ଷର ଦୋକାନ ଥିଲା। ସେତେବେଳେ ଦୋକାନ ଭିତରେ ୫ଜଣ କର୍ମଚାରୀ ଶୋଇଥିଲେ। ବାଉନ୍ସର ଗ୍ୟାଙ୍ଗ୍ ଦୋକାନ ଭାଙ୍ଗି ଭିତରେ ପଶିବା ସହ ଉକ୍ତ କର୍ମଚାରୀମାନଙ୍କୁ ନିସ୍ତୁକ ପିଟିଥିଲେ ଏବଂ ସେମାନଙ୍କ ହାତଗୋଡ଼ ବାନ୍ଧି ପକାଇ ବସାଇଦେଇଥିଲେ। ଏହାପରେ ସେମାନେ ଦୁଇ ଦୋକାନ ଭିତରୁ ବହୁ ଜିନିଷ ବୋହି ବସ୍ରେ ଲଦିବା ପରେ ବୁଲ୍ଡୋଜର୍ ଚଢ଼ାଇ ଦେଇଥିଲେ। ଦୋକାନ ଦୁଇଟି ମାଟିରେ ମିଶିବା ପରେ ସେମାନେ ଚାଲିଯାଇଥିଲେ।
କର୍ମଚାରୀମାନଙ୍କଠାରୁ ଖବର ପାଇ ଦୁଇ ଦୋକାନର ମାଲିକ ସୁବାସ ଅଗ୍ରୱାଲ ଓ ପ୍ରଦୀପ କୁମାର ସାମଲ ସେଠାରେ ପହଞ୍ଚିବା ସହ ନୂଆପଲ୍ଲୀ ଥାନାକୁ ଜଣାଇଥିଲେ। ନୂଆପଲ୍ଲୀ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁକରିବା ସହ ନିକଟସ୍ଥ ଅଞ୍ଚଳର ସିସିଟିଭି ଫୁଟେଜ୍ରୁ ଗ୍ୟାଙ୍ଗ୍କୁ ଠାବ କରିବାକୁ ଉଦ୍ୟମ କରିଥିଲା। ‘ଦାଦାବଟିକୁ ନା’ ଯୋଜନାକୁ ଗୁରୁତ୍ବ ଦେଉଥିବା କମିସନରେଟ୍ ପୁଲିସ ଏହି ମାମଲାର ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ଲାଗିପଡ଼ିଥିଲା। ସୂଚନାଯୋଗ୍ୟ ଯେ ଏକଦା ଜାତୀୟ ନିରାପତ୍ତା ଆଇନ(ଏନ୍ଏସ୍ଏ)ରେ ଜେଲ୍ ଯାଇଥିବା ଦୁର୍ଦ୍ଦାନ୍ତ ନକୁଳକୁ ଏହି ମାମଲାରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା। ୨୦୧୮ ମସିହାରେ ନକୁଳ ସମ୍ ହସ୍ପିଟାଲ ନିକଟରେ ଏକ ଗୁଳିକାଣ୍ଡ କରିଥିବା ଅଭିଯୋଗରେ ଏନ୍ଏସ୍ଏ ବଳରେ ଗିରଫ ହୋଇଥିଲା। ତା’ ନାଁରେ ଚନ୍ଦକା ଓ ଖଣ୍ଡଗିରି ଥାନାରେ ଜୋର୍ଜବରଦସ୍ତ ଜମି ଦଖଲ ଦେବା ବା ଜମିରୁ ବେଦଖଲ କରିବା, ଦାଦାବଟି ଆଦାୟ କରିବା ଭଳି ସଂଗିନ୍ ମାମଲା ଥିଲା। ଏମିତିକି ତା’କୁ ଅନେକ ଥର ୧୧୦ ଦଫାରେ ଗିରଫ କରାଯାଇଥିଲା।
ଦାଦାବଟିକୁ ବରଦାସ୍ତ କରାଯିବନି: ଡିସିପି
ଏହି ମାମଲା ପରେ ଡିସିପି ଶ୍ରୀ ସିଂ ପୁଣି ଚେତାବନୀ ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଦାଦାବଟି, ସୁପାରି ନେଉଥିବା ଅପରାଧୀଙ୍କୁ ଆଦୌ ବରଦାସ୍ତ କରାଯିବ ନାହିଁ। ଖୋଜିଖୋଜି ଗିରଫ କରାଯିବ। ରାଜଧାନୀରେ ମାତିଥିବା ଏଭଳି ଗ୍ୟାଙ୍ଗ୍ ବାବଦରେ ନିୟମିତ ତଥ୍ୟ ସଂଗ୍ରହ ଚାଲିଛି। ତେଣୁ ଏଭଳି ଦାଦାଗିରି କରୁଥିବା ଗ୍ୟାଙ୍ଗ୍ଠାରୁ କୌଣସି ପ୍ରକାର ଧମକଚମକ ମିଳିବା ମାତ୍ରେ ପୁଲିସ ପକ୍ଷରୁ ଜାରି ହୋଇଥିବା ଟୋଲ୍ ଫ୍ରି ନମ୍ବର -୭୦୭୭୭୯୮୧୧ରେ ଯୋଗାଯୋଗ କରିବାକୁ ଡିସିପି ଶ୍ରୀ ସିଂ ପୁଣି କହିଛନ୍ତି। ବିନା ଭୟରେ ଲୋକେ ପୁଲିସକୁ ସହଯୋଗ କଲେ, ମାଫିଆମାନଙ୍କୁ ସାବାଡ୍ କରାଯାଇପାରିବ। ଉଲ୍ଲେଖଯୋଗ୍ୟ କି ଆଜି ନୂଆପଲ୍ଲୀ ମାମଲାରେ ଗିରଫ ହୋଇଥିବା ୭ ବାଉନ୍ସରଙ୍କୁ ଖୋଲା ଦେହରେ ରଶିରେ ବାନ୍ଧି ପୁଲିସ ରାସ୍ତାରେ ଚଲାଇ ଚଲାଇ କୋର୍ଟ ଚାଲାଣ କରିଥିଲା।
ମାଫିଆ ରାଘବ କରିଥିଲା ୩୫ ଲକ୍ଷର ଡିଲ୍
ଏହି ମାମଲା ପଛର ମାଷ୍ଟରମାଇଣ୍ଡ ତଥା ଜମି ମାଫିଆ ରାଘବ ଜେନାକୁ ଖୋଜୁଛି କମିସନରେଟ୍ ପୁଲିସ। ବାଉନ୍ସର ଗ୍ୟାଙ୍ଗ୍ ମୁଖିଆ ନକୁଳ ମହାକୁଡ଼କୁ ନିୟୋଜିତ କରିଥିବା ରାଘବକୁ ଧରିବା ପାଇଁ ତନାଘନା ଚାଲିଛି। ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ ରଞ୍ଜିତ୍ଙ୍କୁ ଜମି ଦଖଲ ଦେବା ପାଇଁ ରାଘବ ୩୫ ଲକ୍ଷ ଟଙ୍କାର ଡିଲ୍ କରିଥିଲା। ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କା ସେ ଅଗ୍ରିମ ଆକାରରେ ଉଠାଇଛି। ସେଦିନ ରାତିର ଅପରେସନ୍ ପାଇଁ ରାଘବ ହିଁ ବସ୍, ୪ଟି କାର୍, ଟ୍ରକ୍, ବୁଲ୍ଡୋଜର୍ ଆଦି ଯୋଗାଡ଼ କରିଥିଲା। ଏମିତିକି ଲକ୍ଷ୍ମୀସାଗର ଥାନା ଅଞ୍ଚଳର ଏକ ବସ୍ତିରୁ ଟ୍ରକ୍ ଯୋଗେ ୬୦ରୁ ଊର୍ଧ୍ବ ମହିଳାଙ୍କୁ ବି ସେ ଆଣିଥିଲା। କିଛି ମହିଳା ଏହି ବେଆଇନ ଜମି ଦଖଲ ବାବଦରେ ଜାଣିଥିବା ବେଳେ ଅନ୍ୟମାନଙ୍କୁ ଅଧିକ ମଜୁରିର ଲୋଭ ଦେଖାଇ ରାଘବ ବସ୍ତିରୁ ଉଠାଇଥିଲା। ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ ସରିଛି ଓ ଖୁବ୍ଶୀଘ୍ର ସମସ୍ତଙ୍କୁ ଗିରଫ କରାଯିବ ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି।