ଭୁବନେଶ୍ବର: ବହୁ ଦିନ ଧରି କମିସନରେଟ୍‌ ପୁଲିସ ଖୋଜୁଥିବା ‘ଲୁଟେରା ଗ୍ୟାଙ୍ଗ୍‌ ଅଫ୍‌ ପିପିଲି’କୁ ଠାବ କରାଯାଇଛି। ବିଭିନ୍ନ କମ୍ପାନିର ପିକ୍‌ଅପ୍‌ ଭ୍ୟାନ୍‌, ୱିଙ୍ଗର୍‌ ଓ ଟାଟା ଏସ୍‌ ଭଳି ଚାରିଚକିଆ ଗାଡ଼ି ଚୋରି କରି କମିସନରେଟ୍‌ ପୁଲିସର ନିଦ ହଜାଇଦେଇଥିବା ଏହି ଗ୍ୟାଙ୍ଗ୍‌ର ୨ ସଦସ୍ୟ ଶେଷରେ ପୁଲିସ ପଞ୍ଝାରେ ପଡ଼ିଛନ୍ତି। ସେମାନେ ହେଲେ ପିପିଲି ଭବାନୀପୁର ଅଞ୍ଚଳର ଅର୍ମାନ୍‌ ଶାହା(୨୫) ଓ ମଢ଼ିଆଳିସାହିର ଇଫ୍‌ତିକାର୍‌ ଆଲମ୍‌ ଓରଫ ଲକି(୨୩)। ପୁଲିସ ଚଢ଼ଉ ବାବଦରେ ଖବର ଖେଳିଯିବା ପରେ ଗ୍ୟାଙ୍ଗ୍‌ର ୮ଜଣ ଫେରାର ହୋଇଯାଇଛନ୍ତି। ପୁଲିସ ଗିରଫ ୨ ଅଭିଯୁକ୍ତଙ୍କ ନିକଟରୁ ୯ଟି ଚାରିଚକିଆ ଗାଡ଼ି ଓ ଗୋଟିଏ ଚାରିଚକିଆ ଗାଡ଼ିର ସ୍କ୍ରାପ୍‌ ଜବତ କରିଛି। ଚୋରା ଗାଡ଼ିରେ ବିଭିନ୍ନ ଚୋରା କାରବାର କରିବା ସହ ସ୍କ୍ରାପ୍‌ କରି ବିକିବା ଥିଲା ଏହି ଗ୍ୟାଙ୍ଗ୍‌ର କାମ। ଆଜି ପୁଲିସ ସେବାଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ, ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ ଓ ଡିସିପି ଜଗମୋହନ ମୀନା ଏହି ଗ୍ୟାଙ୍ଗ୍‌ର କାରନାମା ବାବଦରେ ସୂଚନା ଦେଇଛନ୍ତି। ଖୁବ୍‌ ଶୀଘ୍ର ଏହି ଗ୍ୟାଙ୍ଗ୍‌ର ୮ଜଣଙ୍କୁ ଗିରଫ କରାଯିବ ଏବଂ ସେମାନେ ଚୋରି କରି ଲୁଚାଇ ରଖିଥିବା ଆହୁରି ୮ଟି ଗାଡ଼ି ଜବତ କରାଯିବ ବୋଲି କୁହାଯାଇଛି। ଆଜି କୋର୍ଟ ଚାଲାଣ ହୋଇଥିବା ଅର୍ମାନ୍‌ ଓ ଇଫ୍‌ତିକାର୍‌ ବିରୋଧରେ ୧୧ରୁ ଅଧିକ ମାମଲା ରହିଛି।  

Advertisment

୩ ମାସ ହେଲା ଏହି ଗ୍ୟାଙ୍ଗ୍‌ ରାଜଧାନୀରେ ବେଶ୍‌ ସକ୍ରିୟ ଥିଲା। ବଡ଼ଗଡ଼, ଲକ୍ଷ୍ମୀସାଗର, ମୈତ୍ରୀବିହାର ଓ ଖଣ୍ଡଗିରି ଅଞ୍ଚଳରୁ ଗାଡ଼ି ଚୋରି କରି ପୁଲିସ ନିଦ ହଜାଇଥିଲା। ପୁଲିସକୁ ଚ୍ୟାଲେଞ୍ଜ୍‌ ଦେବା ଭଳି ଲଗାତାର ଚୋରି କଲେ। ତେଣୁ ଏହି ଗ୍ୟାଙ୍ଗ୍‌କୁ ଧରିବା ପାଇଁ ସ୍ପେସାଲ୍‌ ସ୍କ୍ବାଡ୍‌, ବଡ଼ଗଡ଼, ଲକ୍ଷ୍ମୀସାଗର ଓ ମୈତ୍ରୀବିହାର ଥାନାକୁ ନେଇ ୩ଟି ଟିମ୍ ଗଠନ କରାଯାଇଥିଲା। ଚୋରି ହୋଇଥିବା ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍‌, ଚୋରି ସମୟ ଏବଂ ସେହି ସ୍ଥାନରେ ସକ୍ରିୟ ଥିବା କିଛି ମୋବାଇଲ୍‌ ନମ୍ବରକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜ୍‌ ଓ ନମ୍ବର ଯାଞ୍ଚ କରି ପୁଲିସ ପ୍ରଥମେ ଅର୍ମାନ୍‌କୁ ଚିହ୍ନଟ କରିଥିଲା। ଗତକାଲି ରାତିରେ ସେ ପିପିଲିରେ ଥିବା ଜାଣି ଦୁଇଟି ଟିମ୍‌ ସେଠାରେ ଚଢ଼ଉ କରିଥିଲା। ଅର୍ମାନ୍‌କୁ କାବୁ କରିବା ପରେ ସେ ଇଫ୍‌ତିକାର୍‌ ସମ୍ପର୍କରେ ତଥ୍ୟ ଦେଇଥିଲା। ଅନ୍ୟମାନଙ୍କ ବିଷୟରେ ସୂଚନା ମିଳିଥିଲେ ହେଁ ସେମାନେ ପୁଲିସ ଚଢ଼ଉ ବାବଦରେ ସୂଚନା ପାଇ ଫେରାର ହୋଇଯାଇଥିଲେ। ସେମାନଙ୍କ ଅପରାଧିକ ଇତିହାସରୁ ଜଣାପଡ଼ିଛି ଯେ ଏହି ଗ୍ୟାଙ୍ଗ୍‌ ରାଜଧାନୀ ସମେତ କଟକ, ପୁରୀ, ଖୋର୍ଦ୍ଧା ଆଦି ବିଭିନ୍ନ ଜିଲ୍ଲାରେ ସକ୍ରିୟ ଥିଲେ। ତେଣୁ ଏହି ଗ୍ୟାଙ୍ଗ୍‌ର ଚେର ବହୁ ଜିଲ୍ଲାକୁ ଲମ୍ବିଛି ବୋଲି କୁହାଯାଇଛି।  

ଟାର୍ଗେଟ୍‌ରେ ପୁରୁଣା ଗାଡ଼ି
ଏହି ଗ୍ୟାଙ୍ଗ୍‌ ମୁଖ୍ୟତଃ ରାସ୍ତାକଡ଼ର ପାର୍କିଂରେ ଥିବା ପୁରୁଣା ମଡେଲ୍‌ ଚାରିଚକିଆ ଗାଡ଼ିକୁ ଟାର୍ଗେଟ୍‌ କରୁଥିଲେ। ନୂଆ ମଡେଲ୍‌ ଗାଡ଼ିଗୁଡ଼ିକରେ ସେନ୍‌ସର୍‌ ସାଙ୍ଗକୁ ଟ୍ରାକିଂ ଚିପ୍‌ ଲାଗିଥିବାରୁ ସେଥିରେ ସେମାନେ ହାତ ମାରୁନଥିଲେ। ପୂର୍ବରୁ ରେକି କରି ଗାଡ଼ି ଠାବ କରୁଥିଲେ ଏବଂ ରାତିରେ ନକଲି ଚାବିରେ ଗାଡ଼ି ଚୋରି କରୁଥିଲେ। ଗାଡ଼ି ଉଠାଇବା ପରେ କିଛି ଦିନ ପାଇଁ ଜଙ୍ଗଲିଆ ଅଞ୍ଚଳରେ ଲୁଚାଇ ରଖୁଥିଲେ। ଏମିତିକି ସେହି ଜଙ୍ଗଲ ଭିତରେ ଗାଡ଼ିର ରଙ୍ଗ ବଦଳାଇବା ସହ ନମ୍ବର ପ୍ଲେଟ୍‌ ପରିବର୍ତ୍ତନ କରୁଥିଲେ। ଚୋରି ଗାଡ଼ିଗୁଡ଼ିକ ମଧ୍ୟରୁ ଯେଉଁଗୁଡ଼ିକ ବେଶି ଖରାପ ଥିଲା‌, ସେଗୁଡ଼ିକୁ ଶାଗମାଛ ଦରରେ କବାଡ଼ିଆରେ ସ୍କ୍ରାପ୍‌ କରି ବିକ୍ରି କରୁଥିଲେ। ଭଲ ଗାଡ଼ିକୁ ବିଭିନ୍ନ ଅପରାଧିକ କାର୍ଯ୍ୟରେ ବ୍ୟବହାର କରୁଥିଲେ।