ତଡ଼ିପାର୍‌ ଗ୍ୟାଙ୍ଗର ଗୁଳିମାଡ଼ ମାମଲା : ଆକାଶ, ଅଗ୍ନିଙ୍କୁ ପାଉନି ପୁଲିସ

ଭୁବନେଶ୍ବର : ମଙ୍ଗଳବାର ସନ୍ଧ୍ୟାରେ ଡୁମୁଡ଼ୁମା ବଜାରରେ ଗୁଳିମାଡ଼ କରି ଫେରାର୍ ହୋଇଯାଇଥିବା ତଡ଼ିପାର୍‌ ଗ୍ୟାଙ୍ଗ୍‌ର ସଦସ୍ୟ ଅଗ୍ନି, ଆକାଶ ଓ ବଳିଆକୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇନାହିଁ। ଦୁଇ ଦୁଇଟି ସ୍ବତନ୍ତ୍ର ଟିମ୍‌ ସେମାନଙ୍କୁ ଠାବ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ ହେଁ ସଫଳ ହୋଇନାହାନ୍ତି। ତେବେ ଗୁଳିମାଡ଼ର ଶିକାର ହୋଇଥିବା ଶୁଭମ୍‌ ସିଂହ ଏବେ ସୁସ୍ଥ ଅଛନ୍ତି। ଏମ୍‌ସରେ ଚିକିତ୍ସିତ ହେବା ପରେ ତାଙ୍କୁ ଏବେ ଘରକୁ ଫେରାଇ ଅଣାଯାଇଛି। ପୁଲିସ ତାଙ୍କ ଘରକୁ ଯାଇ ପଚରାଉଚରା କରିଛି। ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିବା ପଛରେ ଥିବା କାରଣ ବାବଦରେ ପୁଲିସ ଛାନ୍‌ଭିନ୍ କରିଛି।

ଗତକାଲି ଶୁଭମ୍‌ ଡୁମୁଡୁମା ବଜାରସ୍ଥିତ ଏକ ଜୁସ୍‌ ଦୋକାନ ନିକଟରେ ଛିଡ଼ା ହୋଇଥିଲେ। ହଠାତ୍ ଦୁଇଟି ବାଇକ୍‌ରେ ୩ ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚି ଶୁଭମ୍‌ଙ୍କୁ ଗାଳିଗୁଲଜ କରିଥିଲେ। ଶୁଭମ୍‌ ପ୍ରତିବାଦ କରିବାରୁ ହଠାତ୍ ଜଣେ ବନ୍ଧୁକ ବଟ୍‌ରେ ତାଙ୍କ ମୁଣ୍ଡକୁ ଛେଚି ଦେଇଥିଲା। ଗଣ୍ଡଗୋଳ ପାଇଁ ସେଠାରେ ଲୋକଙ୍କ ଭିଡ଼ ହେବା ଦେଖି ଦୁର୍ବୃତ୍ତମାନେ ଫାଙ୍କା ଗୁଳି ଚାଳନା କରି ଫେରାର୍‌ ହୋଇ ଯାଇଥିଲେ। ଦୋକାନୀମାନେ ତୁରନ୍ତ ଶୁଭମ୍‌ଙ୍କୁ ଏମ୍‌ସ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଗୁଳି କରିଥିବା ଯୁବକମାନେ ସରକନ୍ତରା ଅଞ୍ଚଳର ଆକାଶ, ତା ଭାଇ ଅଗ୍ନି ଓ ବଳିଆ ବୋଲି ସ୍ଥାନୀୟ ଲୋକଙ୍କଠାରୁ ଜଣାପଡ଼ିଥିଲା। ପୁଲିସ ତଦନ୍ତ କରିବା ପରେ ଏହା ସେମାନଙ୍କ କାଣ୍ଡ ବୋଲି ପ୍ରମାଣ ପାଇଥିଲା।

ସମ୍ବନ୍ଧିତ ଖବର