ଭୁବନେଶ୍ୱର: ଜଣେ ପ୍ରକୃତ ଜନନାୟକଙ୍କ ଆଚରଣ ଓ ଉଚ୍ଚାରଣ କିଭଳି ହେବା ଆବଶ୍ୟକ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଗଙ୍ଗାଧର ମହାପାତ୍ର ଥିଲେ ତା‘ର ମୂର୍ତ୍ତିମନ୍ତ ପ୍ରତୀକ। ସ୍ୱର୍ଗତ ମହାପାତ୍ରଙ୍କ ଜୀବନୀ ପୁନର୍ବାର ପ୍ରକାଶ ପାଇବା ଉଚିତ। ତେଣୁ ଆଜିର ଯୁବସମାଜ ତାଙ୍କ ଜୀବନୀ ପଢ଼ିବାର ଏକାନ୍ତ ଆବଶ୍ୟକତା ରହିଛି। ଗଙ୍ଗାଧର ମହାପାତ୍ର ଫାଉଣ୍ଡେସନ ପକ୍ଷରୁ ବୁଦ୍ଧମନ୍ଦିର ସଭାଗୃହରେ ଆୟୋଜିତ ସ୍ବର୍ଗତ ମହାପାତ୍ରଙ୍କ ୧୧୨ତମ ଜୟନ୍ତୀ ଉତ୍ସବରେ ଯୋଗଦେଇ ଅତିଥିମାନେ ଏଭଳି କହିଛନ୍ତି। ଫାଉଣ୍ଡେସନ୍ର ଅଧ୍ୟକ୍ଷ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ ଜଣେ ପ୍ରକୃତ ଜନନେତା କହିଲେ ସ୍ୱର୍ଗତ ମହାପାତ୍ରଙ୍କୁ ବୁଝାଏ ବୋଲି କହିଥିଲେ। ଓଡ଼ିଶାର ଐତିହାସିକ ପୁରୁଷଙ୍କ ବିଷୟରେ ଆମ ପିଲାମାନେ ଜାଣିପାରୁନାହାନ୍ତି। ତାହା ସେମାନେ କିଭଳି ଜାଣିବା ସେଥିପାଇଁ ମଧ୍ୟ ଉଦ୍ୟମ ହେଉନାହିଁ। ଫଳରେ ସମାଜରେ ବିଲକ୍ଷଣ ଦୃଶ୍ୟମାନ ହେଉଛି। ଗଣତନ୍ତ୍ର, ଶିକ୍ଷା ବ୍ୟବସ୍ଥା ତଥା ଭାଷା ସାହିତ୍ୟର ସୁରକ୍ଷା ପାଇଁ ସ୍ୱର ଶାଣିତ କଲେ ହିଁ ଗଙ୍ଗାଧରଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଥିଲେ।
ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ବିଶ୍ୱରଞ୍ଜନ ଯୋଗ ଦେଇ ସାମଗ୍ରିକ ଭାବରେ ତାଙ୍କର ଅମ୍ଲାନ କୃତି ଆକଳନ କରିବା ଅସମ୍ଭବ ବୋଲି କହିଥିଲେ। ତାଙ୍କ ମନ୍ତ୍ରିତ୍ୱ ସମୟରେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଓ ଶ୍ରୀମନ୍ଦିରରେ ହୁଣ୍ଡି ପ୍ରତିଷ୍ଠା ହୋଇଥିଲା। ତାଙ୍କ ଆତ୍ମଜୀବନୀ ପୁର୍ନବାର ପ୍ରକାଶ ପାଇବା ସହିତ ଏହାକୁ ସମସ୍ତେ ପଢ଼ିବା ଆବଶ୍ୟକ ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ଯୋଗଦେଇ ସ୍ବର୍ଗତ ମହାପାତ୍ର ଗଣତାନ୍ତ୍ରିକ ବିଚାର ଓ ଧର୍ମନିରପେକ୍ଷତା ପାଇଁ କେବେ ସାଲିସ୍ କରୁନଥିଲେ ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ଯୋଗଦେଇ ଜଣେ ଦକ୍ଷ ଓକିଲ ଭାବେ ପରିଚିତ ଥିଲେ ବୋଲି କହିଥିଲେ। ଅନ୍ୟାନ୍ୟ ଅତିଥି ଭାବେ ବିଶିଷ୍ଟ ଭାଷାବିତ୍ ଦେବୀ ପ୍ରସନ୍ନ ପଟ୍ଟନାୟକ, ସାମ୍ୱାଦିକ ପ୍ରଦ୍ୟୁମ୍ନ ଶତପଥୀ, ଦିଲୀପ ଦାସଶର୍ମା, ପୂର୍ବ ପ୍ରଶାସକ ସହଦେବ ଜୟସିଂହ, ଧାରା ଶ୍ରୀରାଧା ଟ୍ରଷ୍ଟର ଅଧ୍ୟକ୍ଷ ଅମରେନ୍ଦ୍ର ମହାପାତ୍ର, ଉମାବଲ୍ଲଭ ମହାପାତ୍ର, ପର୍ଶୁରାମ ଦ୍ୱିବେଦୀ, କଂଗ୍ରେସ ନେତା କିଶୋର ଜେନା, ଡାକ୍ତର ଅଭୟ ଦାସ ଓ ଦୂରଦର୍ଶନର ପୂର୍ବତନ ନିର୍ଦ୍ଦେଶକ ଗୋପାଳ ମହାପାତ୍ର ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ବରିଷ୍ଠ ଆଇନଜୀବୀ ତଥା ଭୁବନେଶ୍ୱର ବାର୍ ଆସୋସିଏସନର ପୂର୍ବତନ ସଭାପତି ଶିବାନନ୍ଦ ରାୟଙ୍କୁ ‘ଗଙ୍ଗାଧର ମହାପାତ୍ର ସମ୍ମାନ-୨୦୨୫’ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ଟ୍ରଷ୍ଟି ପ୍ରଫେସର ବୁଦ୍ଧଦେବ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ସୀତାବଲ୍ଲଭ ମହାପାତ୍ର ଧନ୍ୟବାଦ ଦେଇଥିଲେ। ଶୀଳଭଦ୍ର ଶାସ୍ତ୍ରୀ, ଅରବିନ୍ଦ ତ୍ରିପାଠୀ ଓ ମିତ୍ରଭାନୁ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
‘ଗଙ୍ଗାଧର ମହାପାତ୍ରଙ୍କ ଜୀବନୀ ପୁନର୍ବାର ପ୍ରକାଶ ପାଇବା ଉଚିତ’
ଜଣେ ପ୍ରକୃତ ଜନନାୟକଙ୍କ ଆଚରଣ ଓ ଉଚ୍ଚାରଣ କିଭଳି ହେବା ଆବଶ୍ୟକ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଗଙ୍ଗାଧର ମହାପାତ୍ର ଥିଲେ ତା‘ର ମୂର୍ତ୍ତିମନ୍ତ ପ୍ରତୀକ। ସ୍ୱର୍ଗତ ମହାପାତ୍ରଙ୍କ ଜୀବନୀ ପୁନର୍ବାର ପ୍ରକାଶ ପାଇବା ଉଚିତ। ତେଣୁ...
/sambad/media/media_files/2025/07/15/fhgyhjrther-2025-07-15-07-03-43.jpg)