ମୂଲ୍ୟବୋଧଭିତ୍ତିକ ରାଜନୀତିର ପ୍ରତୀକ ଥିଲେ ଗଙ୍ଗାଧର

ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ସ୍ବର୍ଗତ ଗଙ୍ଗାଧର ମହାପାତ୍ର ଥିଲେ ମୂଲ୍ୟବୋଧଭିତ୍ତିକ ରାଜନୀତିର ପ୍ରତୀକ। ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ସହକର୍ମୀଭା‌ବେ କାମ କରିଥିଲେ ଓ ସ୍ବାର୍ଥ ତ୍ୟାଗ କରି ସମାଜ କଲ୍ୟାଣ ପାଇଁ ବ୍ରତୀ ହୋଇଥିଲେ। ସେ ଥିଲେ ସର୍ବଜନପ୍ରିୟ ନେତା। ଆଜି ସେଭଳି ନେତୃତ୍ବର ଅଭାବବୋଧ ଅନୁଭୂତ ହେଉଛି। ଆଜି ସନ୍ଧ୍ୟାରେ ଭାରତୀୟ ବିଦ୍ୟାଭବନରେ ଗଙ୍ଗାଧର ମହାପାତ୍ରଙ୍କ ୧୦୯ତମ ଜନ୍ମବାର୍ଷିକ ମହୋତ୍ସବ ଓ ଗଙ୍ଗାଧର ମହାପାତ୍ର ସମ୍ମାନ ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି।

ଏହି ଅବସରରେ ‌ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି ଯେ ବର୍ତ୍ତମାନ ସମାଜରେ ବିଭିନ୍ନ ପ୍ରକାର ଅବକ୍ଷୟ ଓ ବିଲକ୍ଷଣ ଦେଖିବାକୁ ମିଳୁଛି। ପୁରୁଣା ରାଜନୈତିକ ଲୋକେ ବର୍ତ୍ତମାନର ରାଜନୀତି ସହ ଖାପ ଖୁଆଇ ପାରୁନାହାନ୍ତି। ମନ୍ତ୍ରୀ ବଡ଼ ନା ସଚିବ ବଡ଼ ବୋଲି ଯେଉଁ ଆଲୋଚନା ହେଉଛି, ସେ ସମ୍ପର୍କରେ ଆଜିର ମନ୍ତ୍ରୀମାନେ ମୁହଁ ଖୋଲି ମନ୍ତ୍ରୀ ବଡ଼ ବୋଲି ଖୋଲାଖୋଲି କହିପାରୁନାହାନ୍ତି। ସଂଖ୍ୟା ଖେଳ ପଛରେ ସମସ୍ତେ ଧାଉଁଛନ୍ତି। ଜାତି, ଧର୍ମ, ଆଚଂଳିକ ବୈଷମ୍ୟକୁ ବ୍ୟବହାର କରି ସଂଖ୍ୟା ଯୋଗାଡ଼ କରାଯାଉଛି। ମୂଲ୍ୟବୋଧ ବଞ୍ଚାଇ ରଖିବାକୁ ଯେଉଁ ଲୋକମାନଙ୍କ ପାଖରେ ସାମର୍ଥ୍ୟ ଅଛି, ସେମାନେ ପ୍ରତିଦିନ ଗାଁ ରାଜନୈତିକ ହାଟରେ ବିକ୍ରି ହେଉଛନ୍ତି।

ଗଙ୍ଗାଧର ମହାପାତ୍ର ଯେଉଁ ସମୟରେ ପ୍ରତିନିଧିତ୍ବ କରୁଥିଲେ, ସେ ସମୟରେ ଏ ପ୍ରକାର ସଙ୍କଟ ନଥିଲା। ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ମୁଖ୍ୟବକ୍ତା ତଥା ‘ସୁବାର୍ତ୍ତା’ର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ ଗଙ୍ଗାଧର ମହାପାତ୍ରଙ୍କୁ ଜଣେ ବିସ୍ମୟ ପ୍ରତିଭା ଭାବେ ବର୍ଣ୍ଣନା କରିଥିଲେ। ତାଙ୍କୁ ଜଣେ ପ୍ରତିବଦ୍ଧତାଧର୍ମୀ ମାନସିକତାର ରାଜନେତା ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ସିବିଆଇ ଜଜ୍‌ ସଞ୍ଜୟ ପଣ୍ଡା, ପୂର୍ବତନ ପ୍ରଶାସକ ନରେନ୍ଦ୍ର ମିଶ୍ର, ପ୍ରଫେସର ବୁଦ୍ଧଦେବ ମିଶ୍ର, ଭାଷାବିତ୍ ଦେବୀ ପ୍ରସନ୍ନ ପଟ୍ଟନାୟକ ପ୍ରମୁଖ ସ୍ବର୍ଗତ ମହାପାତ୍ରଙ୍କ ସଂଗ୍ରାମୀ ଓ ଆଦର୍ଶ ଜୀବନ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଆଇନଜୀବୀ ଦେବୀ ପ୍ରସାଦ ଧଳଙ୍କୁ ‘ଗଙ୍ଗାଧର ମହାପାତ୍ର ସମ୍ମାନ-୨୦୨୨’ ପ୍ରଦାନ କରାଯାଇଥିଲା। ଫାଉଣ୍ଡେସନର ଟ୍ରଷ୍ଟି ସୀତାବଲ୍ଲଭ ମହାପାତ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ଉମାବଲ୍ଲଭ ମହାପାତ୍ର ଧନ୍ୟବାଦ ଦେଇଥିଲେ। ପର୍ଶୁରାମ ଦ୍ବିବେଦୀ, ରମାକାନ୍ତ ମିଶ୍ର, ନିରଞ୍ଜନ ବିଶ୍ବାଳ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ସମ୍ବନ୍ଧିତ ଖବର